ରାଜ୍ୟ ସରକାର ଆରମ୍ଭ କଲେ ସର୍ବକ୍ଷମା ଯୋଜନା: ନିର୍ମାଣଗତ ଅନିୟମିତତାକୁ ସୁଧାରିବା ଲାଗି ସୁଯୋଗ

ଭୁବନେଶ୍ୱର: ବିଭିନ୍ନ କାରଣରୁ ସରକାରୀ ଅନୁମୋଦନ ନେଇ ନଥିବା ଅଥବା ଅନୁମୋଦିତ ନକ୍ସାରେ ବ୍ୟତିକ୍ରମ କରି ଗୃହ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ଲାଗି ଖୁସୀ ଖବର। ରାଜ୍ୟ ସରକାର ଏହି ସବୁ ବ୍ୟତିକ୍ରମକୁ ସୁଧାରି ବାର ସୁଯୋଗ ଦେଇଛନ୍ତି ନିର୍ମାଣକର୍ତ୍ତାଙ୍କୁ। ରାଜ୍ୟସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନୂଆ ସର୍ବକ୍ଷମା ଯୋଜନା ଆରମ୍ଭ କରାଯାଇଛି। ଏ ନେଇ ବୁଧବାର ବିଧିବଦ୍ଧ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହି ଯୋଜନା ଅନୁସାରେ ହିତାଧିକାରୀ ଜରିମାନା ଦେୟ ଦେଇ ଅନିୟମିତତାକୁ ନିୟମିତ କରିପାରିବେ। ରାଜ୍ୟର ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ବିକାଶ ପରିଷଦ ଏବଂ ପୌର ସଂସ୍ଥା ଅଧିନରେ ଥିବା ନିର୍ମାଣ ଲାଗି ଏହା ଉଦ୍ଦିଷ୍ଟ।

ବୁଧବାର ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ଦ୍ୱାରା ସର୍ବକ୍ଷମା ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ବିନା ଅନୁମୋଦନରେ ହୋଇଥିବା ଗୃହ କାର୍ଯ୍ୟକୁ ଅନୁମୋଦିତ କରିବାରେ ସାହାଯ୍ୟ କରିବ। ଅଧିସୂଚନାର ପ୍ରଚଳନ ପୂର୍ବରୁ ବି ହୋଇଥିବା ନିର୍ମାଣ କାର୍ଯ୍ୟ ବି ଏଥିରେ ପରିସରଭୁକ୍ତ ହେବ ଓ ଏଥିପାଇଁ ଦେୟ ପ୍ରଦାନ କରିବାକୁ ପଡ଼ିବ।

ପୂର୍ବରୁ ବିନା ଅନୁମୋଦନରେ ଗୃହ ନିର୍ମାଣ କରିଥିବା ନାଗରିକ ସର୍ବକ୍ଷମା ଯୋଜନାର ଅନୁମୋଦନ କରିବା ପାଇଁ ସଂପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରୁ ଏକ ଫର୍ମ ଆଣି ତାହାକୁ ପୂରଣ କରିବା ସହ ଦେୟ ଦେବାକୁ ହେବ।

ଉନ୍ନୟନ କର୍ତ୍ତୃପକ୍ଷଙ୍କ ପରିସର ଭିତରେ ଏହି ଯୋଜନା ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ କରାଯିବ। ଏହା ଉଚିତ ନିୟମାବଳୀର ବିରୋଧଚାରଣ କରୁନଥିବ। ଏହା କୌଣସି ସମାଜିକ ପ୍ରତିବନ୍ଧକ ବା ବିପଦର କାରଣ ହେଉନଥିବା ବୋଲି ମଧ୍ୟ କଡ଼ା ସୂଚନା ରହିଛି। ଏଥିସହ ଏହି ଯୋଜନା ଅଗ୍ନି ନିର୍ବାପନ ସଂକ୍ରାନ୍ତୀୟ ସମସ୍ତ ନିୟମାବଳୀ ଅନୁସାରେ ଅନୁମୋଦିତ ଧାରାକୁ ଅନୁସରଣ କରିବା ସହ ସମସ୍ତ ଧାରା ଓ ଉପଧାରାକୁ ପାଳନ କରିବ।

ପ୍ରଥମଥର ପାଇଁ ୨୦୦୭ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷରେ ଲାଗୁ ହୋଇଥିଲା ସର୍ବକ୍ଷମା ଯୋଜନା । ତେବେ ଦ୍ୱିତୀୟଥର ପାଇଁ ଲାଗୁ ହୋଇଥିବା ସର୍ବକ୍ଷମା ଯୋଜନା ବିଡିଏ ସହ ୯ଟି ଉନ୍ନୟନ କର୍ତ୍ତୁପକ୍ଷରେ ଲାଗୁ କରିବାକୁ ସରକାରଙ୍କ ନିଷ୍ପତି । ଏଥିରେ ରହିଛି- କଟକ ଉନ୍ନୟନ କର୍ତ୍ତୁପକ୍ଷ, ସମ୍ବଲପୁର ଉନ୍ନୟନ କର୍ତୃପକ୍ଷ, ତାଳଚେଳ-ଅନୁଗୁଳ-ମୁଣ୍ଡୁଳି ଉନ୍ନୟନ କର୍ତୃପକ୍ଷ , ରାଉରକେଲା ଉନ୍ନୟନ କର୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତୃପକ୍ଷ , ପୁରୀ-କୋଣାର୍କ ଉନ୍ନୟନ କର୍ତୃପକ୍ଷ , କଳିଙ୍ଗନଗର ଉନ୍ନୟନ କର୍ତ୍ତୁପକ୍ଷ ଏବଂ ପାରାଦ୍ୱୀପ ଉନ୍ନୟନ କର୍ତୃପକ୍ଷ ।

ସମ୍ବନ୍ଧିତ ଖବର