ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଶକମାନଙ୍କୁ ଆମନ୍ତ୍ରଣ କଲେ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭ ପାଇଁ ନିବେଶକମାନଙ୍କୁ ଆହ୍ଵାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୨ୟ ରୋଡ ଶୋ’ରେ ଯୋଗଦେଇ ସେ କହିଛନ୍ତି ଯେ ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଉତ୍ତମ ବାତାବାରଣ ରହିଛି ଓ ରାଜ୍ୟକୁ ଆସୁଥିବା ନିବେଶକମାନଙ୍କୁ ସରକାର ସବୁପ୍ରକାରର ସହାୟତା ଯୋଗାଇଦେବେ । ସେ କହିଛନ୍ତି ଯେ ଓଡ଼ିଶା ଖଣି ଓ ଖଣିଜ ଶିଳ୍ପର ଏକ କେନ୍ଦ୍ରସ୍ଥଳୀ ପାଲଟିଛି । ଆମ ଦେଶର ମୋଟ ଆଲୁମିନିୟମ ଉତ୍ପାଦନର ୫୪ ପ୍ରତିଶତ ଓଡ଼ିଶାରୁ ଆସୁଛି । ରାଜ୍ୟ ସରକାର ଖଣିଜ ଶିଳ୍ପର ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ଏକ ଭିଜନ ୨୦୩୦ ପ୍ରସ୍ତୁତ କରିଛନ୍ତି ଓ ସେ ଅନୁଯାୟୀ କାର୍ଯ୍ୟକରୁଛନ୍ତି । କେବଳ ଏତିକି ନୁହେଁ ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯାଉଛି ।

ମାନବ ସମ୍ବଳର ବିକାଶ ପାଇଁ ସ୍କିଲଡ ଇନ ଓଡ଼ିଶା ନାମକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନିବେଶକମାନଙ୍କ ସୁବିଧା ପାଇଁ ସରକାର ‘ଇନଭେଷ୍ଟ ଓଡ଼ିଶା’ ନାମକ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହି ଅବସରରେ ଦେଶର ପ୍ରମୁଖ ଶିଳ୍ପଦ୍ୟୋଗୀ ତଥା ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଥିଲେ ଯେ ତାଙ୍କ କମ୍ପାନି ଓଡ଼ିଶାରେ ୬ ନିୟୁତ ଟନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିଛି ଓ ଆଗକୁ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଯାଉଛି ଯଦ୍ୱାରା ଅନ୍ୟ ଛୋଟବଡ଼ କମ୍ପାନିମାନେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଏହି ରୋଡ ଶୋରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଓୟୋ ରୁମ୍ସ ମୁଖ୍ୟ ରିତେଶ ଅଗ୍ରଓ୍ଵାଲ, ରାଜ୍ୟ ଶିଳ୍ପ ସଚିବ ସଂଜୀବ ଚୋପ୍ରା ପ୍ରମୁଖ ଯୋଗ ଦେଇଥିଲେ ।  ଏହା ପୂର୍ବରୁ ମୁମ୍ବାଇଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ରୋଡଶୋ କରାଯାଇଥିଲା ।

ସମ୍ବନ୍ଧିତ ଖବର