ଟ୍ରାଫିକ ଜାମରେ ଆମ୍ବୁଲାନ୍ସରେ ଶିଶୁ ମୃତ୍ୟୁ ଘଟଣା: ସିସିଟିଭି ଆଧାରରେ କମିସନରେଟ୍ ପୁଲିସର ସ୍ପଷ୍ଟୀକରଣ, ଘଣ୍ଟାଏ ନୁହେଁ ୨୨ ମିନିଟରେ ହସ୍ପିଟାଲ୍ ପହଞ୍ଚିଥିଲା ଆମ୍ବୁଲାନ୍ସ

ଭୁବନେଶ୍ପର: ରାଜଧାନୀରେ ଟ୍ରାଫିକ ଜାମରେ ଫସି  ଆମ୍ବୁଲାନ୍ସରେ ଶିଶୁମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଶିଶୁମୃତ୍ୟୁ ନେଇ ଆଜି କମିସନରେଟ ପୁଲିସ ଟୁଇଟ୍ କରି  ସ୍ପଷ୍ଟୀକରଣ ଦେଇଛି । ଏକ ଘଣ୍ଟାରୁ ଅଧିକ ସମୟ ନୁହେଁ ବରଂ ୨୨ ମିନିଟ୍ ୩୮ ସେକେଣ୍ଡରେ ଆମ୍ବୁଲାନ୍ସ ରାଜଭବନ ଛକରୁ କିମ୍ସ ହସ୍ପିଟାଲରେ ପହଞ୍ଚିଛି ବୋଲି କହିଛି କମିସନରେଟ ପୁଲିସ । ସିସିଟିଭି ଫୁଟେଜ ସୂଚନା ଆଧାରରେ  ଏହି ସ୍ପଷ୍ଟୀକରଣ ଜାରି କରାଯାଇଛି।

ସବୁଠାରୁ ବଡ କଥା ହେଲା, ଏଜି ଛକ ଦେଇ ଆମ୍ବୁଲାନ୍ସ ଯାଇନାହିଁ ବରଂ ଆମ୍ବୁଲାନ୍ସଟି ରାଜଭବନ ଛକରୁ  ଦିନ ୧୦ଟା ୦୧ ମିନିଟ ୪୦ ସେକେଣ୍ଡରେ ବାହାରିଥିଲା । ୧୨୦ ବଟାଲିଅନ ନିକଟରେ ପହଂଚିବା ସମୟରେ ହୋଇଥିଲା ୧୦ଟା ୨ ମିନିଟ୍। ଏହାପରେ ନାଲକୋ ଛକରେ ୧୦ଟା ୧୦ ମିନିଟ୍ ଓ କିମସ ହସ୍ପିଟାଲ୍ ନିକଟରେ ଆମ୍ବୁଲାନ୍ସ ପହିଞ୍ଚିବା ବେଳକୁ ୧୦ଟା ୨୪ ବାଜିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ରାଜଭବନରୁ କିମସ ହସ୍ପିଟାଲ ୨୨ ମିନିଟ୍ ୩୮ ସେକେଣ୍ଡରେ ସମୟ ନେଇଛି ବୋଲି ପୁଲିସ କହିଛି ।

ମୂଳ ଅଭିଯୋଗ ଅନୁସାରେ, ଆମ୍ବୁଲାନ୍ସଟି ଏଜି ଛକ ବାଟେ ଯାଇଥିବା କୁହାଯାଇଥିଲା । ଟ୍ରାଫିକ୍ ଜାମରେ ଫସି ଆମ୍ବୁଲାନ୍ସଟି ୧ ଘଂଟା ୨୦ ମିନିଟ ସମୟ ନେବା କାରଣରୁ ଶିଶୁପୁତ୍ରଟି ପ୍ରାଣ ହରାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେଦିନ କ୍ୟାପିଟାଲ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସରେ ନେବା ପାଇଁ କୁହାଯାଇଥିବା ବେଳେ କାହିଁକି ଭେଂଟିଲେଟର ନ ଥିବା ଏକ ଘରୋଇ ଆମ୍ବୁଲାନ୍ସରେ ନିଆଗଲା, ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରାଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର