ଭାରତକୁ ଆମେରିକାର ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ପାକିସ୍ତାନର ବିରୋଧ

ଇସ୍ଲାମାବାଦ : ଭାରତକୁ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ପାକିସ୍ତାନ ବିରୋଧ କରିଛି । ଏହା ଦକ୍ଷିଣ ଏସିଆରେ ଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଆହୁରି ଗୁରୁତର କରିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଆୟେଶା ଫାରୁକି କହିଛନ୍ତି ଯେ ଭାରତକୁ ଆମେରିକା ଦ୍ୱାରା ଏପରି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବିକ୍ରି ଦକ୍ଷିଣ ଏସିଆର ଶକ୍ତି ସନ୍ତୁଳନକୁ ପ୍ରଭାବିତ କରିବ । ଏହି ନିଷ୍ପତ୍ତିର ପ୍ରଭାବ ପାକିସ୍ତାନ ଓ ଅନ୍ୟ ଦେଶମାନଙ୍କ ନିରାପତ୍ତା ଉପରେ ପଡ଼ିବ । ସେ କହିଛନ୍ତି ଯେ ଆମେରିକା ଓ ଭାରତର ସାମରିକ ସଂପର୍କ ସମଗ୍ର ଦକ୍ଷିଣ ଏସିଆର ଶାନ୍ତି ଓ ନିରାପତ୍ତାକୁ ବିପନ୍ନ କରୁଛି । ଦକ୍ଷିଣ ଏସିଆ ଆଉ କୌଣସି ନୂଆ ବିବାଦକୁ ସମ୍ଭାଳି ପାରିବ ନାହିଁ । ଏଣୁ ଅନ୍ତର୍ଜାତୀୟ ସମୁଦାୟ ଏଥିରେ ହସ୍ତକ୍ଷେପ କରିବା ଉଚିତ ।

ଗତ ମଙ୍ଗଳବାରଦିନ ଆମେରିକା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଭାରତକୁ ଏକ ଇଣ୍ଟିଗ୍ରେଟେଡ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ । ଏହାର ମୂଲ୍ୟ ୧.୮ ବିଲିୟନ ଡଲାର ବା ୧୮୬ କୋଟି ଡଲାର ହେବ । ଆମେରିକାର ପ୍ରତିରକ୍ଷା ନିରାପତ୍ତା ସହଯୋଗ ସଂସ୍ଥା ଏହି ନିଷ୍ପତ୍ତି ସଂପର୍କରେ ଆମେରିକା କଂଗ୍ରେସକୁ ଜଣାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗାମୀ ଭାରତଗସ୍ତ ପୂର୍ବରୁ ଆମେରିକା ଭାରତକୁ ଏହି ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି ପାଇଁ ପ୍ରସ୍ତାବ ଦେଇଛି ।

ସମ୍ବନ୍ଧିତ ଖବର