କ୍ରିଏଟିଭ ଏକ୍ସପ୍ରେସ ଠକେଇ ମାମଲାରେ ଦୁଇ ଜଣଙ୍କ ଜାମିନ ଖାରଜ

କଟକ: କ୍ରିଏଟିଭ ଏକ୍ସପ୍ରେସ ଇଭେଣ୍ଟସ୍‌ ଆଣ୍ଡ ପ୍ରମୋଟର୍ସ ସଂସ୍ଥା ଦୁଇ ପଦାଧିକାରୀ ସଂପଦ କୁମାର ଯୋଗାଣିଆ ଓ ଅଜିତେଶ ଯୋଗାଣିଆଙ୍କ ଜାମିନ ଆବେଦନ କଟକ ଡେଜିଗନେଟେଡ୍‌ କୋର୍ଟ ଖାରଜ କରିଛନ୍ତି। କ୍ରାଇବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଦୁଇ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଥିବା ବେଳେ ସରକାରଙ୍କୁ ପକ୍ଷରୁ ଏହାକୁ ବିରୋଧ କରି ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଦର୍ଶାଇଥିଲେ ଯେ ମାମଲାର ତଦନ୍ତ ଚାଲିଛି। ଜମାକାରୀଙ୍କ ଟଙ୍କା ନେଇ ସଂସ୍ଥା ପ୍ରତିଶ୍ରୁତି ମୁତାବକ ଜମି ପ୍ରଦାନ କରି ନଥିବା ଏବେ ଯାଏ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ କ୍ରିଏଟିଭ୍‌ ସଂସ୍ଥାର ମୁଖ୍ୟ ବିକାଶ ଭୂୟାଁଙ୍କର ସହଯୋଗୀ ହେଉଛନ୍ତି ସଂପଦ ଓ ଅଜିତେଶ। ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ସଂସ୍ଥା ଶାଖା କାର୍ଯ୍ୟାଳୟ ଖୋଲି  ଲୋକଙ୍କ ନିକଟରୁ ୩ କୋଟିରୁ ଅଧିକ ଟଙ୍କା ଏମାନେ ଠକିଥିବା ନେଇ ଅଭିଯୋଗ ହୋଇଥିଲା।   ପ୍ରଥମେ ବିକାଶଙ୍କୁ ଗତ ବର୍ଷ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗତ ଫେବ୍ରୁଆରିରେ କ୍ରାଇବ୍ରାଞ୍ଚ ଗିରଫ କରିଥିଲା।

ସମ୍ବନ୍ଧିତ ଖବର