ମନ୍ତ୍ରୀଙ୍କ ଉପସ୍ଥିତିରେ ଛାତ୍ର ସଂଘର୍ଷ : ୨ ଆହତ, ପୁଲିସ୍‌ର ମୃଦୁ ଲାଠିଚାଳନା

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ କମର୍ଦ୍ଦା ମହାବିଦ୍ୟାଳୟରେ ଆଜି ନୂତନ ଗୃହ ଉଦ୍‌ଘାଟନକୁ କେନ୍ଦ୍ର କରି ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷ ଫଳରେ କଲେଜ ପରିସର କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିବାବେଳେ ଉଦ୍‌ଘାଟନ ପାଇଁ ଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅନନ୍ତ ଦାସଙ୍କୁ ହଟହଟା ହେବାକୁ ପଡ଼ିଛି। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ସଂଘର୍ଷରେ ଏକାଧିକ ଛାତ୍ର ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିକିତ୍ସା ପାଇଁ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ଏହି କଲେଜର ଶ୍ରେଣୀଗୃହ ନିର୍ମାଣ କରିବାପାଇଁ ୯.୫ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ଦାସଙ୍କ ୬ଲକ୍ଷ ଟଙ୍କା ଅନୁଦାନ ସହିତ କଲେଜ ପାଣ୍ଠିରୁ ଟଙ୍କା ବ୍ୟୟ କରି ୨ଟି ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ମାତ୍ର ଫଳକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ନାମ ନ ଥିବା କାରଣରୁ ଏବିଭିପି ଓ ଛାତ୍ର କଂଗ୍ରେସ ସମର୍ଥିତ ଛାତ୍ରମାନେ ମନ୍ତ୍ରୀଙ୍କୁ ଏକଥା ପଚାରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ଆଜି ସକାଳେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କମର୍ଦ୍ଦା ମହାବିଦ୍ୟାଳୟର ଏକ ନବନିର୍ମିତ ଶ୍ରେଣୀ ଗୃହକୁ ଉଦ୍‌ଘାଟନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ କଲେଜରେ ପହଞ୍ଚିବାମାତ୍ରେ ଏହି ଦୁଇ ଛାତ୍ର ଗୋଷ୍ଠୀର ପିଲାମାନେ ମନ୍ତ୍ରୀଙ୍କୁ ଘେରି ଯାଇ ଏ କଥା ପଚାରିବା ସହ ଶ୍ରେଣୀଗୃହ ଉଦ୍‌ଘାଟନ ହୋଇ ପାରିବ ନାହିଁ ବୋଲି କହିଥିଲେ। ତେବେ ଏହାକୁ ବିଜୁ ଛାତ୍ର ଜନତା ସମର୍ଥିତ ଛାତ୍ରଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ଅବିଳମ୍ବେ ଏହି ଗଣ୍ଡଗୋଳ ସଂଘର୍ଷର ରୂପ ନେଇଥିଲା। ମନ୍ତ୍ରୀଙ୍କ ଉପସ୍ଥିତିରେ ଉଭୟ ଛାତ୍ରଗୋଷ୍ଠୀ ପରସ୍ପର ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ରମେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଛାତ୍ରମାନଙ୍କୁ ସଂଘର୍ଷରୁ ନିବୃତ୍ତ କରିବା ପାଇଁ ପୁଲିସକୁ ମୃଦୁ ଲାଠିଚାଳନା କରିଥିଲା। ଏହି ସଂଘର୍ଷରେ ବେଶ୍‌ କେତେଜଣ ଛାତ୍ର ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକ ଆହତ ହୋଇଥିବା ଦୀନବନ୍ଧୁ ଧଳ ଓ ସୁଦୀପ ଭଞ୍ଜଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା।

ସମ୍ବନ୍ଧିତ ଖବର