ଭର୍ତ୍ତୃହରିଙ୍କ ରାସ୍ତାରେ ଦାମ,କଂଗ୍ରେସ ସହ ମେଣ୍ଟ ପ୍ରସଙ୍ଗ ଉଠାଇଲେ

ଦଳ ଭିତରୁ ବିରୋଧ, ବିଜେପି ହାତରେ ଅସ୍ତ୍ର, ଗତବର୍ଷ ବିବାଦରେ ଫସିଥିଲେ ଭର୍ତ୍ତୃହରି

ଭୁବନେଶ୍ୱର: ଯେଉଁ ପ୍ରସଙ୍ଗ ନେଇ ଗତବର୍ଷ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଆଭ୍ୟନ୍ତରୀଣ ପାଣିପାଗରେ ଝଡ଼ ସୃଷ୍ଟି କରିଥିଲେ, ସେହି ସମାନ କଥା କହି ବିଜେଡି ଓ ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛନ୍ତି ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ।

ଗୁଜରାଟରେ ବିଜେପି ବିରୋଧରେ ସବୁ ରାଜନୈତିକ ଦଳ ଓ ସଂଗଠନ ଏକାଠି ହେଉଥିବା ଘଟଣାରେ ପ୍ରତିକ୍ରିୟା ରଖି ଡାକ୍ତର ରାଉତ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ୨୦୦୯ ମସିହାରୁ ଦୁଇ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଆସିଛି। ହେଲେ ଭାରତର ଅଖଣ୍ଡତାକୁ ରକ୍ଷା କରିବାକୁ ହେଲେ ସାଂପ୍ରଦାୟିକତାର ବିଷମଞ୍ଜି ବୁଣୁଥିବା ବିଜେପିକୁ ଶାସନରୁ ଦୂରେଇ ରଖିବାକୁ ପଡିବ। ଏଥିଲାଗି ଅନ୍ୟ କୌଣସି ଦଳ ଯଦି ବିଜେଡିକୁ ସହଯୋଗ କରିବାକୁ ଚାହେଁ, ତାହାହେଲେ ସେମାନଙ୍କୁ ଆନନ୍ଦର ସହକାରେ ଗ୍ରହଣ କରାଯାଇପାରେ। କଂଗ୍ରେସ ସହ ମିଶି ବିଜେଡି ଲଢିବାରେ ବାଧା ନାହିଁ। ଏପରିକି କଂଗ୍ରେସ କେଉଁ ଆସନରେ ଜିତିବ ସେ ନେଇ ପ୍ରସ୍ତାବ ଦେଉ ବୋଲି ଦାମ କହିଥିଲେ। ତେବେ କଂଗ୍ରେସ ସହ ମେଣ୍ଟ ନେଇ ଶେଷ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ନେବେ ବୋଲି ଦାମ ସ୍ପଷ୍ଟ କରିଛନ୍ତି। ଡାକ୍ତର ରାଉତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଗୋଳମାଳ ଧରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପୂର୍ବରୁ ଏକାଧିକ ବିଜେଡି ନେତା ଏହାକୁ ବିରୋଧ କରିଛନ୍ତି। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେପି ବିରୋଧରେ ଅସନ୍ତୋଷ ଜାହିର କରିଥିବା ବେଳେ ଏ ସଂକ୍ରାନ୍ତରେ କିଛି ମନ୍ତବ୍ୟ ଦେବା ଆଗରୁ ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଏହି ବିବାଦୀୟ ପ୍ରସଙ୍ଗକୁ ନେଇ ବେଶୀ କିଛି ମନ୍ତବ୍ୟ ଦେବାକୁ ଚାହିଁନାହାନ୍ତି। ତେବେ ବିଜେପିକୁ ଅସ୍ତ୍ର ମିଳିଯାଇଛି। ଦଳୀୟ ନେତାମାନେ ବିଜେଡିକୁ ଟାର୍ଗେଟ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକ ମଧ୍ୟ ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରିନାହାନ୍ତି। ସେମାନଙ୍କ ମତରେ ଏହା ବିଜେଡି ପାଇଁ ଘାତକ ହୋଇଛି। କାରଣ ବିଜେପିକୁ ନେଇ ବିଜେଡି ଆତଙ୍କିତ ହୋଇଛି, ଏଭଳି ଧାରଣା ସୃଷ୍ଟି ହେବା ସ୍ୱାଭାବିକ।

ଗୁଜରାଟରେ ବିଜେପିକୁ ରୋକିବା ଲାଗି ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ହାତ ମିଳାଉଥିବା ବେଳେ ଓଡ଼ିଶାରେ ଏଭଳି ସମ୍ଭବ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଡାକ୍ତର ରାଉତ। କହିଥିଲେ, ଗତ ତିନି ବର୍ଷ ଧରି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଶାସନକୁ ଆସିବା ପରେ ଗଣତାନ୍ତ୍ରିକ ପରମ୍ପରା ଓ ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରିଚାଲିଛନ୍ତି। ଧର୍ମନିରପେକ୍ଷ, ବିଭିନ୍ନତା ମଧ୍ୟରେ ଏକତା ହେଉଛି, ଭାରତବର୍ଷର ଶକ୍ତି। ହେଲେ ବିଜେପି ସରକାର ଏହା ଉପରେ ପ୍ରଚଣ୍ଡ କୁଠାରଘାତ କରୁଛନ୍ତି। ସବୁ ରାଜ୍ୟର ସମବିକାଶ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ହୋଇଥିଲେ ହେଁ ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଓ ଆଞ୍ଚଳିକ ଭାବନା ନେଇ କାମ କରୁଛନ୍ତି। ପରିଣାମରେ ସମଗ୍ର ଭାରତବର୍ଷରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। କିଏ ଗାନ୍ଧୀ ଓ ନେହେରୁଙ୍କୁ ଗୁଜରାଟ ବୋଲି ଚିତ୍ରଣ କଲେଣି ତ ଆଉ କେଉଁ ସାଂସଦ ତାଜମହଲ ସ୍ଥାନରେ ପୂର୍ବରୁ ଶିବ ମନ୍ଦିର ଥିଲା ବୋଲି କହିଲେଣି। କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶଧନରେ ରାଜ୍ୟରେ ଯଦି କୌଣସି ପ୍ରକଳ୍ପ ତିଆରି ହୁଏ, ତାହାହେଲେ ରାଜ୍ୟ ସରକାର କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରନ୍ତି। କିନ୍ତୁ ଗତ ତିନି ବର୍ଷ ହେଲା ଦେଖାଦେଉଛି କେନ୍ଦ୍ରମନ୍ତ୍ରୀମାନେ ଆସି ପ୍ରକଳ୍ପ ଉଦ୍‌ଘାଟନ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ଅତିଥିଭାବେ ଡାକୁଛନ୍ତି। ଏହା ରାଜ୍ୟ ପ୍ରତି ଏକ ଅସମ୍ମାନ ଓ ପୂର୍ବରୁ ଦେଶରେ କେବେ ଏଭଳି ଦେଖାଯାଇନଥିଲା।

ତେବେ ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ବିଜେଡିର ଅନ୍ୟ ନେତାମାନେ ସିଧା ସିଧା ପ୍ରତ୍ୟାଖ୍ୟାନ କରିଛନ୍ତି। ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଦାମ ବାବୁ ଯାହା କହିଛନ୍ତି, ତାହା ତାଙ୍କ ବ୍ୟକ୍ତିଗତ ମତ। ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୁରତ୍ୱ ବଜାୟ ରଖିଛି। ବିଜେଡି ସାଂସଦ କଲିକେଶ କହିଛନ୍ତି, ଓଡ଼ିଶାରେ ବିଜେପିକୁ ରୋକିବା ଲାଗି ବିଜେଡି ଏକାକୀ ସମର୍ଥ।

କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ୨୦୧୯ ନିର୍ବାଚନ ବହୁତ ଦିନ ବାକି ଅଛି। ଏବେ ମେଣ୍ଟ ନେଇ ଚିନ୍ତା କରିବାର ସମୟ ଆସିନାହିଁ। ଏହା ଦାମ ବାବୁଙ୍କ ନିଜସ୍ୱ ମତ। ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ବି ବିଜେଡି ନିଜ ଦଳକୁ ନେଇଥିଲା। ଗତ ନିର୍ବାଚନରେ ବିଭିନ୍ନ ଦଳରୁ ସେମାନେ ପାଖାପାଖି ୪୨ ଜଣଙ୍କୁ ନେଇଥିଲେ। ଏବେ ପଞ୍ଚାୟତ ନିର୍ବାଚନ ସତର୍କ ଘଣ୍ଟି ବଜାଇ ସାରିଛି। ରାଜ୍ୟର ଲୋକମାନେ ପରିବର୍ତନ ଚାହୁଁଛନ୍ତି, ଏକଥା ଜଣାପଡିଗଲାଣି। ଏପରିସ୍ଥଳେ କଂଗ୍ରେସ ବିଜେଡିର ଆଶାବାଡି ସାଜିବାରେ କିଛି ନୂତନତ୍ୱ ନାହିଁ। ଏକଥା ପୂର୍ବରୁ ବିଜେପି କହିଆସିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ କଟକ ସାଂସଦ ଶ୍ରୀ ମହତାବ ମଧ୍ୟ କଂଗ୍ରେସ ସହିତ ସଂପର୍କ କଥା ଉଠାଇ ବିବାଦରେ ଫସିଥିଲେ। ଏପରିକି ତାଙ୍କୁ ଦଳ ପକ୍ଷରୁ କୈଫିୟତ ନୋଟିସ ଜାରି କରାଯାଇଥିଲା। ଅବଶ୍ୟ ଏ ଘଟଣାରେ ଦଳ ପରବର୍ତୀ ସମୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା, କିନ୍ତୁ ଏହାକୁ ନେଇ ସେ ସମୟରେ ବହୁତ ହଲାପଟା ହୋଇଥିଲେ ଭର୍ତ୍ତୃହରି। ଏବେ ଡାକ୍ତର ରାଉତଙ୍କ ଭଳି ଅଭିଜ୍ଞ ନେତା ହଠାତ୍‌ କାହିଁକି ଏଭଳି କହିଲେ, ତାଙ୍କ ମୁହଁରେ ଦଳ ଏକଥା କୁହାଇଲା କି? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର