ଛାତ୍ରୀ ନିବାସରେ ଅସଦାଚରଣ : ଜିଲ୍ଲା କ୍ରୀଡ଼ା ଅଧିକାରୀ ଗିରଫ

ମାଲକାନଗିରି : ମାଲକାନଗିରି ସ୍ଥିତ କ୍ରୀଡ଼ା ଛାତ୍ରୀ ନିବାସରେ କ୍ରୀଡ଼ାବିତ୍‌ଙ୍କ ସହ ଅସଦାଚରଣ। ନିର୍ଯାତନା ଅସହ୍ୟ ହେବାରୁ ମୁହଁ ଖୋଲିଛନ୍ତି ଦୁଇ କ୍ରୀଡ଼ାବିତ୍। ଏପରିକି ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ମାଲକାନଗିରି ପୁଲିସ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ଞାନେନ୍ଦ୍ର ବଡ଼ାଇଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, କ୍ରୀଡ଼ା ଅଧିକାରୀ ଶ୍ରୀ ବଡ଼େଇ ଅସଦାଚରଣ କରୁଥିବା ନେଇ ଦୁଇ ଅନ୍ତେବାସୀ ଅଭିଯୋଗ ଆଣିଥିଲେ। ଥାନାରେ ଏନେଇ ଏତଲା ଦେବାପରେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଛାତ୍ରୀନିବାସରେ ପହଞ୍ଚି ଛାନଭିନ କରିବା ସହ ଅନ୍ତେବାସୀଙ୍କୁ ପଚରାଉଚୁରା କରିଥିଲେ। ଅଭିଯୋଗରେ ସତ୍ୟତା ରହିଥିବା ନେଇ ପ୍ରମାଣ ମିଳିବାରୁ ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଗିରଫ କରାଯାଇଛି। ଅନ୍ତେବାସୀମାନେ ବହୁ ସଂଗିନ ଅଭିଯୋଗ କରିଛନ୍ତି। ତେଣୁ ଘଟଣାର ତଦନ୍ତ ଜାରି ରହିଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଆଗକୁ ଆହୁରି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିବାର ଅଛି। ଅତିଶୀଘ୍ର ପୂରା ଘଟଣା ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି। ଅଧିକ କିଛି ତଥ୍ୟ ପୁଲିସ ଦେଉ ନଥିବା ବେଳେ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ମାପିଚୁପି ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ସେହିଭଳି, କେଉଁ ପ୍ରକାର ଅସଦାଚରଣ କ୍ରୀଡ଼ାବିତ୍‌ଙ୍କ ସହ ହେଉଥିଲା। କେତେ ଦିନ ଧରି ଏଭଳି ଅନୈତିକ କାମ ଚାଲିଥିବା ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷରେ ଶ୍ରୀ ବଡ଼ାଇ ପୁଲିସ ଜିମାରେ ରହିଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଛାତ୍ରୀ କ୍ରୀଡାବାସରେ ଏଭଳି ଘଟଣା ଆଦୌ ନୂଆ ନୁହେଁ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର