୫ବିମାନ ଆସିଲା, ୫ ବିମାନ ବାତିଲ୍‌

ଭୁବନେଶ୍ବର : ଆଜିଠାରୁ ସାରା ଦେଶରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ସାରା ଦେଶରେ ୫୩୨ଟି ବିମାନ ଉଡ଼ାଣ କରିଥିବା ବେଳେ ଏଥିରେ ୩୯୨୩୧ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ସେହିପରି ଭୁବନେଶ୍ବର ବିମାନବନ୍ଦରକୁ ଆଜି ୫ଟି ବିମାନ ଆସିଥିବା ବେଳେ ୫ଟି ବିମାନ ଯାଇଛି। କେବଳ ଦିଲ୍ଲୀ ଓ ବେଙ୍ଗାଲୁରକୁ ବିମାନ ଉଡ଼ାଣ ସମ୍ଭବ ହୋଇଛି। ଭୁବନେଶ୍ବରରୁ ଝାରସୁଗୁଡ଼ା, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଓ ଚେନ୍ନାଇକୁ ଆଜିଠାରୁ ବିମାନ ଉଡ଼ାଣ ଆରମ୍ଭ ହେବାର ଥିଲେ ହେଁ ଉଡ଼ାଣ ହୋଇନି।

ଆଜି ମୋଟ୍ ୧୦ଟି ବିମାନ ଆସିବାର ଓ ୧୦ଟି ବିମାନ ଯିବାର ଥିଲେ ହେଁ ୫ଟି ବିମାନ ଆସିନଥିଲା। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମିଳିଥିବା ସୂଚନା ଅନୁଯାୟୀ, ଭିସ୍ତାରା ବିମାନ ୟୁକେ ୭୮୬ ସକାଳ ୯ଟା ୪୦ରେ ଆସିଥିବା ବେଳେ ଏଥିରେ ୭୧ଜଣ ଯାତ୍ରୀ ଆସିଥିଲେ। ଭୁବନେଶ୍ବରରୁ ୬୪ଜଣ ଯାତ୍ରୀ ଏଥିରେ ଦିଲ୍ଲୀ ଯାଇଥିଲେ। ଏହା ପରେ ଦିନତମାମ କୌଣସି ବିମାନ ଆସି କି ଯାଇ ନଥିଲା। ସଂଧ୍ୟା ୬ଟା ୩୦ରେ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀରୁ ଆସିଥିବା ବେଳେ ଏଥିରେ ୫୨ ଜଣ ଯାତ୍ରୀ ଆସିଥିଲେ ଓ ୪୩ ଜଣ ଯାଇଥିଲେ। ସେହିପରି ଏୟାର ଏସିଆ ବିମାନ ବେଙ୍ଗାଲୁରୁରୁ ୭ଟା ୩୫ରେ ଆସିଥିବା ବେଳେ ଏଥିରେ ୫୫ଜଣ ଯାତ୍ରୀ ଆସିଥିଲେ ଓ ୪୯ଜଣ ବେଙ୍ଗାଲୁରୁ ଯାଇଥିଲେ। ଇଣ୍ଡିଗୋ ବିମାନ ବେଙ୍ଗାଲୁରୁରୁ ରାତି ୮ଟା ୩୫ରେ ୮୨ଜଣ ଯାତ୍ରୀଙ୍କୁ ନେଇ ଆସିଥିବା ବେଳେ ଏଠାରୁ ୩୯ଜଣ ଯାତ୍ରୀ ନେଇ ଯାଇଥିଲା। ଇଣ୍ଡିଗୋ ବିମାନ ଦିଲ୍ଲୀରୁ ରାତି ୧୦ଟା ୩୦ରେ ୬୦ଜଣ ଯାତ୍ରୀ ଆଣି ଆସିଥିବା ବେଳେ ରାତି ୧୧ଟାରେ ୩୨ଜଣ ଯାତ୍ରୀ ନେଇ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି।

ଅପରପକ୍ଷେ ଆସନ୍ତାକାଲିଠାରୁ ହାଇଦ୍ରାବାଦକୁ ଏବଂ ୨୮ ତାରିଖରୁ କୋଲକତାକୁ ବିମାନ ଉଡ଼ାଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ବିମାନ କମ୍ପାନି କୋଲକାତାକୁ ବୁକିଂ ରଖୁ ନାହାନ୍ତି। ଭୁବନେଶ୍ବରରୁ କୋଲକାତାକୁ ଜୁନ୍‌ ୨ତାରିଖରୁ ଟିକେଟ୍ ବୁକିଂ ଦେଖାଉଛି। ସେହିପରି ହାଇଦ୍ରାବାଦକୁ ବି ଜୁନ୍‌ ୧ତାରିଖରୁ ବିଭିନ୍ନ ବିମାନ କମ୍ପାନି ଭୁବନେଶ୍ବରରୁ ବୁକିଂ ରଖୁଛନ୍ତି।

ସମ୍ବନ୍ଧିତ ଖବର