ଗଣଦୁଷ୍କର୍ମ ପୀଡ଼ିତା ଛାତ୍ରୀଙ୍କ ଆତ୍ମହତ୍ୟା, ଫାଷ୍ଟଟ୍ରାକ୍‌ କୋର୍ଟରେ ଚାଲିଥିଲା ମାମଲାର ବିଚାର

ସମ୍ବଲପୁର/ବୁର୍ଲା : କୁନ୍ଦୁଲି ଘଟଣା ପରେ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି କରିଥିବା ସମ୍ବଲପୁର ଜିଲ୍ଲା ଶାସନ ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ନାବାଳିକା ଛାତ୍ରୀଙ୍କ ମୃତଦେହ ଆଜି ତାଙ୍କ ଘରୁ ଉଦ୍ଧାର କରାଯାଇଛି। ଲୋକଲଜ୍ଜାରେ ଏହି ନାବାଳିକା ଜଣକ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି ବୋଲି କୁହାଯାଉଛି।

ଗତ ୩ ତାରିଖ ଦିନ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଶାସନ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ବଜାରରୁ ଫେରୁଥିବା ସମୟରେ ଜଣେ ଛାତ୍ର ଦୁଷ୍କର୍ମ କରିଥିଲା। ଠିକ୍‌ ସେହି ସମୟରେ ୨ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ବଦ୍‌ନାମ କରିବାର ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମାମଲା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ଏହି ମାମଲାରେ ଜଣେ ନାବାଳକଙ୍କ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ତ୍ୱରିତ ବିଚାର ପାଇଁ ନିର୍ଦେଶ ହୋଇଥିଲା ଓ ସେହି ଅନୁସାରେ ବିଚାର ମଧ୍ୟ ଆଗେଇଥିଲା। ମାତ୍ର ବିଚାର ସରିବା ପୂର୍ବରୁ ଆଜି ନାବାଳିକାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ପରିସ୍ଥିତି ଦୃଷ୍ଟିରୁ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହୁଥିବା ବେଳେ ପ୍ରକୃତରେ ଏହା ଆତ୍ମହତ୍ୟା କି ସୁପରିକଳ୍ପିତ ହତ୍ୟାକାଣ୍ଡ ସେ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି।

ଏ ସଂକ୍ରାନ୍ତରେ ଏସ୍‌ପି ସଂଜୀବ ଅରୋରା କହିଛନ୍ତି ଯେ, ପୀଡ଼ିତା ଜଣକ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତଦନ୍ତ ପରେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ। ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ମାମଲାର ୧୫ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ମାମଲାର ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ପାଇଁ ଜିଲ୍ଲା ବିଚାର ବିଭାଗକୁ ମଧ୍ୟ ନିବେଦନ କରାଯାଇଥିଲା। ଏଥିସହିତ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୨ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି।

ସ୍ଥାନୀୟ ଅଞ୍ଚଳର କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଗଣଦୁଷ୍କର୍ମର ପୀଡ଼ିତା ନାବାଳିକାଙ୍କ ଜୀବନ ପ୍ରତି ସବୁବେଳେ ବିପଦ ଥିଲେ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିଲା। ତେବେ, ଏହି ଅଭିଯୋଗକୁ ଏସ୍‌ପି ଶ୍ରୀ ଆରୋରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ‘ ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିବାର କୌଣସି ସୂଚନା ମିଳିନଥିଲା। ଏମିତିକି ତାଙ୍କ ସୁରକ୍ଷା ପାଇଁ ତାଙ୍କ ପରିବାର ପକ୍ଷରୁ ମଧ୍ୟ କିଛି କୁହାଯାଇନଥିଲା। ସେପରି ହୋଇଥିଲେ ନିଶ୍ଚିତ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥାଆନ୍ତା। ଏମିତିକି ନିଜେ ପୀଡ଼ିତା ବି କୌଣସି ପ୍ରକାର ମାନସିକ ଚାପରେ ଥିବା ଭଳି ଲାଗୁ ନଥିଲେ ଓ ତଦନ୍ତରେ ସହଯୋଗ କରୁଥିଲେ।’

ସମ୍ବନ୍ଧିତ ଖବର