ଜଣ୍ଡିସ୍‌ ନେଲା ଛାତ୍ରୀଙ୍କ ଜୀବନ : ସମ୍ବଲପୁରରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୮୩ ଆକ୍ରାନ୍ତ

ପଡ଼ିଆବାହାଲ : ସମ୍ବଲପୁର ସେଣ୍ଟ ଜୋନ୍ସ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶାଶ୍ୱତୀ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଜଣ୍ଡିସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ଏଥିପୂର୍ବରୁ ହେପାଟାଇଟିସ ଇ ଜଣ୍ଡିସ ଯୋଗୁଁ ପେନ୍‌ସନ୍‌ ପଡ଼ାର ଏମ୍‌ଡି ଜହିର ଅହମ୍ମଦ(୫୬)ଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ୨୦୧୮ ମସିହାରେ ଜଣ୍ଡିସରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଶାଶ୍ୱତୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମେ ସମ୍ବଲପୁର ଏବଂ ପରେ ବୁର୍ଲା ସ୍ଥିତ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ହସପିଟାଲକୁ ପଠାଯାଇ ଥିଲା। ସେଠାରେ ଦୁଇ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟଦିଗରେ ଡାକ୍ତରଖାନା ପକ୍ଷରୁ କୁହାଯାଇଛି, ଶାଶ୍ୱତୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ସେପ୍ଟିସେମିଆ ହୋଇଥିବା କହିଥିଲେ।

ଇତିମଧ୍ୟରେ ସମ୍ବଲପୁରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଥିବା ଏଡିଏମ୍‌ଓ (ପିଏଚ୍‌) ଡ.ପଞ୍ଚାନନ ନାୟକ କହିଛନ୍ତି। ପଡ଼ିଆବାହାଲ ନିକଟସ୍ଥ ବାହାମ ପଞ୍ଚାୟତର ସ୍ଥାୟୀ ନିବାସୀ ତଥା ଧନକଉଡ଼ାରେ ରହୁଥିବା ପ୍ରଦୀପ୍ତ ମିଶ୍ର ଏବଂ ପୁଷ୍ପମିତ୍ରା ମିଶ୍ରଙ୍କ ବଡ଼ ଝିଅ ଶାଶ୍ୱତୀ। ମାସେ ପୂର୍ବରୁ ତାଙ୍କୁ ଟାଇଫଏଡ଼ ହୋଇଥିଲା। ଏହାପରେ ପରୀକ୍ଷଣ ପରେ ଜଣ୍ଡିସ, ୟୁରିନ ଇନଫେକସନ ବାହାରିଥିଲା। ଏଥିଯୋଗୁଁ ତାଙ୍କୁ ତୁରନ୍ତ ସ୍ଥାନୀୟ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇ ଥିଲା।

ସମ୍ବନ୍ଧିତ ଖବର