ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ୩ଗିରଫ

ବୋରିଗୁମ୍ମା : ବୋରିଗୁମ୍ମା ପୁଲିସ ପକ୍ଷରୁ ୨ଟି ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଜୟନ୍ତୀଗିରି ଗ୍ରାମର ଆର. ନାଗେନ୍ଦ୍ର ରାଓଙ୍କ ଘରେ ବିସ୍ଫୋରକ ସାମଗ୍ରୀ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଆଜି ବୋରିଗୁମ୍ମା ଥାନା ଅଧିକାରୀ ସାଗରିକା ନାଥଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ନାଗେନ୍ଦ୍ରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା। ସେହିପରି କଙ୍କଡାଗୁଡା ପାହାଡ ନିକଟରେ ଏକ ବାଇକ୍‌ରେ ନିଆଯାଉଥିବା ବିସ୍ଫୋରକ ସାମଗ୍ରୀ ଗୁଡିକୁ ପୁଲିସ ଜବତ କରିଛି। ଏହି ବାଇକ୍‌ରେ ଥିବା ସୁବାସ ସାହୁ ଓ ଶିବରାମ ପାଣିଗ୍ରାହୀଙ୍କୁ ପୁଲିସ ଗିରଫ କରିଥିଲା। ଏହି ଚଢାଉ ସମୟରେ ପୁଲିସ ୨୬ପ୍ୟାକେଟ୍‌ ବୈଦ୍ୟୁତିକ ବିସ୍ଫୋରକ, ୩ବଣ୍ଡଲ କୋଡେକ୍ସ ତାର, ୩୮ଟି ସେଫଟି ଫ୍ୟୁଜ୍‌, ୪୨୩ଟି ଡିଟୋନେଟର, ୨ଟି ବସ୍ତାରେ ଥିବା ୭୩କିଲୋ ଏମୋନିୟମ ନାଇଟ୍ରେଟ୍‌ ଜବତ କରିଛି। ଗତ ୫ବର୍ଷ ତଳେ ଶିବରାମ ପାଣିଗ୍ରାହୀଙ୍କୁ ବିସ୍ଫୋରକ ଦ୍ରବ୍ୟ ରଖିବା ଅଭିଯୋଗରେ ବୋରିଗୁମ୍ମା ପୁଲିସ ଓ ଛତିଶଗଡ ପୁଲିସ ଗିରଫ କରି ଜେଲ୍‌ ପଠାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର