ଗୋବର୍ଦ୍ଧନ ପୀଠକୁ ମିଳୁ ସ୍ୱତନ୍ତ୍ର ମାନ୍ୟତା, ଜବରଦଖଲ ଜମି ଫେରାଇ ଅଣାଯାଉ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ସବ୍‌କମିଟି ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଗୋବର୍ଦ୍ଧନ ମଠର ଜମିକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଏହି ଜମି କିପରି ମଠ ଦଖଲକୁ ଫେରିବ ସେ ସଂପର୍କରେ ମଠ ପ୍ରତିନିଧି ଓ ଅନ୍ୟମାନଙ୍କ ମତାମତ ନିଆଯାଇଥିଲା। ଗୋବର୍ଦ୍ଧନ ପୀଠର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ରାଜ୍ୟ ସରକାର ଏହି ମଠକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ପୂର୍ବରୁ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୋବର୍ଦ୍ଧନ ପୀଠ ଜମିକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ସବିଶେଷ ଯାଞ୍ଚ କରି ମଠକୁ କିପରି ଜମି ଫେରିବ ତା’ ଉପରେ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ଏପରିକି କମିଟି ଏ ସଂପର୍କରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଆଜି ପୂର୍ବାହ୍‌ଣରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଦେବୋତ୍ତର କମିସନର୍‌, ମଠ ପ୍ରତିନିଧି, ଆଇନ ବିଭାଗ ଉପସଚିବ, ମୁକ୍ତିମଣ୍ଡପ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଗୋବର୍ଦ୍ଧନ ପୀଠ ଜମିକୁ ନେଇ ଯେଉଁ ଆଇନଗତ ବିବାଦ ଚାଲିଛି ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ମଠ ଜମି ଫେରସ୍ତ ନେଇ ଯେଉଁ ମତ ଦେଇଥିଲା ସେ ଉପରେ ବି ସବ୍‌କମିଟି ମତ ରଖିଥିଲା। ଉପସ୍ଥିତ ପ୍ରତିନିଧିମାନେ କହିଥିଲେ, ଗୋବର୍ଦ୍ଧନ ପୀଠର ସ୍ୱତନ୍ତ୍ରତା ରହିଛି। ଏଣୁ ପୀଠ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ରହିଛି। ବଦ୍ରିନାଥ ପୀଠ, ଦ୍ଵାରିକା ପୀଠ ଆଦିରେ ଶଙ୍କରାଚାର୍ଯ୍ୟଙ୍କ ଯେଉଁ ପୀଠ ରହିଛି ସେଥିପାଇଁ ସେଠାକାର ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପୀଠକୁ ଦେବୋତ୍ତର ଅଧୀନରେ ରଖାଯାଇନି। ସେଠାକାର ଶଙ୍କରାଚାର୍ଯ୍ୟଙ୍କ ଅଧୀନରେ ପୀଠ ପରିଚାଳିତ ହେଉଛି। ସମାନ ବ୍ୟବସ୍ଥା ପୁରୀ ଗୋବର୍ଦ୍ଧନ ପୀଠରେ ବି ହେବା ଦରକାର ବୋଲି ବୈଠକରେ ମତପ୍ରକାଶ ପାଇଥିଲା। କିନ୍ତୁ ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କର ହୋଇଥିବାରୁ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବାକୁ ଗୋବର୍ଦ୍ଧନ ପୀଠ ପ୍ରତିନିଧିଙ୍କୁ କୁହାଯାଇଥିଲା। ଜବାବରେ ପୀଠର ପ୍ରତିନିଧିମାନେ କହିଥିଲେ, ଦୁଇବର୍ଷ ତଳେ ମଠକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କୁ ମଠ ତରଫରୁ ଲିଖିତ ଭାବେ ଅବଗତ କରାଯାଇଛି। କିନ୍ତୁ ରାଜ୍ୟ ସରକାର ଅଦ୍ୟାବଧି ଏହାର ଉତ୍ତର ଦେଇନାହାନ୍ତି। ଆଜି ପର୍ଯ୍ୟନ୍ତ ଏହି ନିବେଦନ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଛି। ଏହା ଉପରେ ବିଚାରବିମର୍ଶ କରାଯାଉ ବୋଲି ମଠ ପ୍ରତିନିଧିମାନେ ମତ ଦେଇଥିଲେ। ଏହି ଅବସରରେ ଅନ୍ୟମାନେ କହିଥିଲେ, ଗୋବର୍ଦ୍ଧନ ପୀଠର ମାହାତ୍ମ୍ୟ ସାରା ବିଶ୍ୱ ଜାଣିଛି। ସନାତନ ବୈଦିକ ଧର୍ମ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଏହା ସର୍ବଶ୍ରେଷ୍ଠ ସ୍ଥାନ। ଏଭଳି ପରିସ୍ଥିତିରେ ମଠ ଜମି କିପରି ମଠ ନାଁକୁ ଫେରିବ ସେ ନେଇ ସମସ୍ତେ ଗୁରୁତ୍ଵାରୋପ କରିଥିଲେ।

ସମ୍ବନ୍ଧିତ ଖବର