ବାରିପଦା : ୧୦୦ କୋଟି ଟଙ୍କା ବଜେଟ୍ରେ ସାନ୍ତାଳଜାତିର ମଉଡ଼ମଣି ତଥା ଭାରତର ପ୍ରଥମ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଭାତୃଦ୍ଵୟ ‘ସିଦୁ-କାହ୍ନୁ’ଙ୍କ ଜୀବନୀ ଉପରେ ଏକ ହଲିଉଡ୍ ଫିଲ୍ମ ନ ିର୍ମାଣ କରାଯାଇଛି ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ତଥାକଥିତ ଫିଲ୍ମର ଏକ ଟ୍ରେଲର ଭିଡିଓ ୟୁଟ୍ୟୁବ୍ରେ ଅପଲୋଡ୍ କରାଯାଇଛି, ଯାହାକି ଗତ କେତେଦିନ ହେଲା ଭାଇରାଲ୍ ହେବାରେ ଲାଗିଛି। ମାତ୍ର ଏଭଳି କୌଣସି ଫିଲ୍ମ ନିର୍ମାଣ ହୋଇନାହିଁ ଏବଂ କେହି ଜଣେ କେତେକ ପୁରୁଣା ହଲିଉଡ୍ ଫିଲ୍ମର କିଛି ଦୃଶ୍ୟକୁ ଯୋଡ଼ାଯୋଡ଼ି କରି ଏକ ଟ୍ରେଲର୍ ପ୍ରସ୍ତୁତ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ବାରିପଦାସ୍ଥିତ ସାନ୍ତାଳୀ ଫିଲ୍ମ ଆଣ୍ଡ ଆର୍ଟ ଡେଭଲପମେଣ୍ଟ ଆସୋସିଏସନ୍ ଏଭଳି ଖବରକୁ ଖଣ୍ଡନ କରିବା ସହ ମିଛ ଫିଲ୍ମ ନାଁରେ ସାନ୍ତାଳ ସଂପ୍ରଦାୟର ବରପୁତ୍ରଙ୍କୁ ବଦନାମ କରାଯାଉଛି ବୋଲି ମତ ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କେତେଦିନ ହେଲା ୟୁଟୁବ୍ରେ ଅପ୍ଲୋଡ୍ ହୋଇଥିବା ‘ଆନ୍ ଅନ୍ଟୋଲ୍ଡ ଷ୍ଟୋରି, ଏବାଉଟ୍ ଦି ଲିଜେଣ୍ଡେରି ସାନ୍ତାଳୀ ୱାରିଅର: ସିଦୁ ଆଣ୍ଡ କାହ୍ନୁ’ ଶୀର୍ଷକ ଏହି ୨ ମିନିଟ୍ ୨୫ ସେକେଣ୍ଡର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ରାଇରଙ୍ଗପୁରର ଶିକା ଟୁଡୁ ନାମକ ଜଣେ ସାନ୍ତାଳୀ ଯୁବକ ଏଭଳି ହଲିଉଡ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କଥା ଭାଇରାଲ୍ ଭିଡିଓରେ ଉଲ୍ଲେଖ ରହିଥିବାବେଳେ ଭିଡିଓର ଶେଷରେ ନିର୍ଦ୍ଦେଶକଙ୍କ ନାମ ଟୁଡୁ ଋଷିକା ବୋଲି ଉଲ୍ଲେଖ ରହିଛି। ମାତ୍ର ଏହା ଏକ ବିଭ୍ରାନ୍ତି ସୃଷ୍ଟିକାରୀ ମିଛ ଭିଡିଓ ବୋଲି ‘ସାନ୍ତାଳୀ ଫିଲ୍ମ ଆଣ୍ଡ ଆର୍ଟ ଡେଭଲପମେଣ୍ଟ ଆସୋସିଏସନ୍, ଓଡ଼ିଶା’ ଅଭିଯୋଗ ଆଣିଛି।
‘ସିଦୁ-କାହ୍ନୁ’ଭ୍ରାତା ହେଉଛନ୍ତି ସାନ୍ତାଳ ଜାତିର ଦୁଇ ବରପୁତ୍ର। ୧୮୫୫ ମସିହାରେ ଏମାନଙ୍କ ନେତୃତ୍ୱରେ ବର୍ତମାନର ଝାରଖଣ୍ଡ ଓ ମୟୂରଭଞ୍ଜରେ ଇଂରେଜମାନଙ୍କ ବିରୋଧରେ ଏକ ବିରାଟ ସାନ୍ତାଳ ମେଳି ହୋଇଥିଲେ। ଦୁଇ ଭାଇ ଇଂରେଜମାନଙ୍କ ସହ ବୀରତ୍ୱପୂର୍ଣ୍ଣ ଲଢ଼େଇ କରି ସ୍ୱାଧୀନତା ପାଇଁ ବଳିଦାନ ଦେଇଥିଲେ।
ଏଇ କିଛି ଦିନ ହେଲା ସିଦୁ-କାହ୍ନୁଙ୍କୁ ନେଇ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ହଲିଉଡ୍ ଫିଲ୍ମ ନିର୍ମାଣ କରାଯାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ମାର୍ଚ୍ଚ ୨୩ରୁ ଏହି ତଥାକଥିତ ହଲିଉଡ୍ ଫିଲ୍ମର ଟ୍ରେଲର କୁହାଯାଉଥିବା ଏକ ଭିଡିଓ ୟୁଟ୍ୟୁବ୍ରେ ପ୍ରସାରିତ ହେବାରୁ ଏହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କିଛି ଲୋକ ଏହା ସାନ୍ତାଳୀମାନଙ୍କ ପାଇଁ ଗୌରବର କଥା କହୁଥିବାବେଳେ ଏହା ଗୁଜବ ବୋଲି ଜଣାପଡ଼ିବା ପରେ କିଛି ସଂଗଠନ ଏହା ଏକ ଭାଇରାଲ୍ ଭିଡିଓ କହି ସାନ୍ତାଳମାନଙ୍କ ପାଇଁ ଅପମାନ ବୋଲି କହିଛନ୍ତି। ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ‘ସାନ୍ତାଳୀ ଫିଲ୍ମ ଆଣ୍ଡ ଆର୍ଟ ଡେଭଲପମେଣ୍ଟ ଆସୋସିଏସନ୍, ଓଡ଼ିଶା’ ଏକ ପ୍ରେସ୍ ଇସ୍ତାହାର ଜରିଆରେ ସୂଚନା ଦେଇଛି। ଏହି ଭିଡ଼ିଓ ୩ ଗୋଟି ହଲିଉଡ୍ ଫିଲ୍ମ ଜୁଲୁ (୧୯୬୪), ‘ଏପୋକାଲିପ୍ଟୋ(୨୦୦୬) ଏବଂ ‘ଦି ଡେଡ୍ ଲ୍ୟାଣ୍ଡ୍ସ (୨୦୧୪)ର କିଛି ଦୃଶ୍ୟକୁ ଯୋଡ଼ାଯୋଡ଼ି କରି ଏଡିଟିଂ କରି ଏପରି ମିଛ ଭିଡିଓ ନିର୍ମାଣ କରାଯାଇଛି ବୋଲି ଆସୋସିଏସନର ସଭାପତି ଦୀପକ କୁମାର ବେଶ୍ରା ସୂଚନା ଦେଇଛନ୍ତି।