ଆଗାମୀ ଦିନରେ ଭାରତ ବିଶ୍ୱ ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହେବ: ଧର୍ମେନ୍ଦ୍ର

ଇଣ୍ଡିଆନ୍ ଏନର୍ଜି ଫୋରମ୍‌ ଉଦଘାଟିତ, ଆମେରିକା, ଚୀନ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଉର୍ଜା ବ୍ୟବହାରକାରୀ

ଭୁବନେଶ୍ୱର : ବର୍ତ୍ତମାନ ଆମେରିକା ଓ ଚୀନ୍ ପରେ ଭାରତ ବିଶ୍ୱର ତୃତୀୟ ବୃହତ ଊର୍ଜା ବ୍ୟବହାରକାରୀ ରାଷ୍ଟ୍ର। ଭାରତ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ହୋଇଥିବା ବେଳେ ଊର୍ଜା ବ୍ୟବହାର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବ। ଆଗାମୀ ଦଶକ ଗୁଡିକରେ ଭାରତ ବିଶ୍ବ ଊର୍ଜାଚାହିଦାର କେନ୍ଦ୍ର ବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀଠାରେ ଇଣ୍ଡିଆନ୍ ଏନର୍ଜି ଫୋରମ୍‌ର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରଗତିଶୀଳ ଗଣତନ୍ତ୍ର, ସ୍ଥିର ସରକାର ଓ ନୀତି, ଅର୍ଥନୈତିକ ସଂସ୍କାର ଆଧାରିତ ଅର୍ଥ ବ୍ୟବସ୍ଥା , ଦୃଢ଼ ଢାଞ୍ଚାଗତ ବ୍ୟବସ୍ଥା ଓ ସର୍ବୋପରି ଉଚ୍ଚାଭିଳାଷୀ ଭାରତୀୟ ସମାଜ ଓ ଯୁବପିଢ଼ି ପାଇଁ ଦେଶ ୫ ମିଲିୟନ୍ ଆମେରିକୀୟ ଡଲାର ଅର୍ଥ ବ୍ୟବସ୍ଥା ଆଡ଼କୁ ଦ୍ରୁତ ଅଗ୍ରସର ହେଉଛି । ଏହି ଦ୍ରୁତ ଅଭିବୃଦ୍ଧି ଅଭିମୁଖୀ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଊର୍ଜାକ୍ଷେତ୍ର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ। ଭାରତରେ ଉତ୍ତମ ବ୍ୟବସାୟ ବାତାବରଣ ଥିବା କାରଣରୁ ବିଶ୍ବର ଆଗୁଆ ତୈଳ ଓ ଗ୍ୟାସ୍ କ୍ଷେତ୍ରର କମ୍ପାନିମାନେ ଏଠାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥି ପାଇଁ ଦେଶର ଦ୍ରୁତ ଆର୍ଥିକ ବିକାଶ ଦିଗରେ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ବଡ଼ ଯୋଗଦାନ ହେବ।

ଶ୍ରୀ ପ୍ରଧାନ ଆହୁରି କହିଲେ, ଭାରତକୁ କମ୍ କାର୍ବନ ନିର୍ଗମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଊର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ ମୋଦୀ ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି। ଆଜି ଦିନରେ ଭାରତର ମୁଣ୍ଡପିଛା କାର୍ବନ ଗ୍ୟାସ୍ ନିର୍ଗମନ ବିଶ୍ବର ହାରାହାରି ହାର ଠାରୁ କମ୍ ରହିଛି । ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥ ବ୍ୟବସ୍ଥା କରିବା ପାଇଁ ୬୦ ନିୟୂତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତ୍ତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ୍ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ବୟନ ଚାଲିଛି। ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ନିମ‌େନ୍ତ ଜୈବ ଊର୍ଜା ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି । ନୂଆ ଜୈବ ଊର୍ଜାନୀତି ଦେଶର ଅନ୍ନଦାତା କୃଷକଙ୍କୁ ଊର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ବୟନ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର