ସହିଷ୍ଣୁତା ହେଉଛି ଆମ ଜାତୀୟତାବାଦ: ଇନ୍ଦ୍ରନାଥ

ସାହିତ୍ୟ-ରାଜନୀତି-ସାମ୍ବାଦିକତାର ସଙ୍ଗମରେ ନୂଆ ଓଡ଼ିଶା ସମ୍ଭବ: ସୌମ୍ୟରଞ୍ଜନ

ଭୁବନେଶ୍ବର : ଭାରତର ଜାତୀୟତାବାଦ କେବଳ ଭାଷା, ଭୂଗୋଳ ଏବଂ ଜାତୀୟତାକୁ ନେଇ ନୁହେଁ। ଆମର ବହୁତ ପରିଚୟ ରହିଛି। ଭାରତରେ ଜାତୀୟତାବାଦ ଆଧ୍ୟାତ୍ମିକ ପରଂପରା, ସତ୍ୟ ଏବଂ ସହିଷ୍ଣୁତା ଉପରେ ମଧ୍ୟ ଆଧାରିତ। ପୂରା ବିଶ୍ବରେ ଯେଉଁମାନେ ସ୍ପଷ୍ଟ ମତ ଦିଅନ୍ତି, ମହାନ୍ ଚିନ୍ତାଧାରା ରଖନ୍ତି, ଠିକ୍ କାର୍ଯ୍ୟ କରନ୍ତି ସେମାନେ ମାନବୀୟ ଏକତାର ମାଧ୍ୟମ ପାଲଟିଯାନ୍ତି। ଯାହା ଭାରତର ଜାତୀୟତାବାଦର ସାରାଂଶ। କିଛି ଲୋକ ଏହାକୁ ବୁଝୁ ନ ଥିବାରୁ ଏବେ ଦେଶ‌େର ଜାତୀୟତାବାଦକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ସ୍ବତନ୍ତ୍ରତା ସହ ବଞ୍ଚିବା ଏବଂ ସ୍ବତନ୍ତ୍ରତାର ସହ ତର୍କ କରିବା ହିଁ ଭାରତର ଜାତୀୟତାବାଦ, ଯାହା ରବୀନ୍ଦ୍ରନାଥ ଟାଗୋର୍ ଓ ମହାତ୍ମା ଗାନ୍ଧୀ ବି ବିଶ୍ବାସ କରୁଥିଲେ।

ଆଜି ସ୍ଥାନୀୟ ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ପ୍ରଥମ ଜାନକୀବଲ୍ଲଭ ସ୍ମାରକୀ ବକ୍ତୃତାମାଳାରେ ତୁଳନାତ୍ମକ ସାହିତ୍ୟର ବିଶିଷ୍ଟ ବିଦ୍ବାନ ଏବଂ ହିନ୍ଦୀ ବି‌ଶ୍ବକୋଷ ଓ ଭାରତୀୟ-ଇଂରାଜୀ ସାହିତ୍ୟ ବିଶ୍ବକୋଷର ସମ୍ପାଦକ ଇନ୍ଦ୍ରନାଥ ଚୌଧୁରୀ ‘ଜାତୀୟତାବାଦ: ରବୀନ୍ଦ୍ରନାଥ ଓ ଗାନ୍ଧୀ’ ଉପରେ ସ୍ମାରକୀ ବକ୍ତୃତା ଦେଇ ଏହା କହିଛନ୍ତି। ବର୍ତ୍ତମାନ ଦେଶରେ ଜାତୀୟତାବାଦରେ ସଙ୍କଟ ଦେଖାଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସ୍ବାମୀ ବିବେକାନନ୍ଦ, ରବୀନ୍ଦ୍ର ନାଥ ଟାଗୋର୍‌ ଓ ମହାତ୍ମା ଗାନ୍ଧୀ ଭାରତୀୟଙ୍କ ଜାତୀୟତାବାଦ ନେଇ କ’ଣ କହିଥିଲେ, ଏହା କିପରି ବଜାୟ ରହିବ ସେନେଇ ଶ୍ରୀ ଚୌଧୁରୀ ନିଜର ବକ୍ତବ୍ୟ ରଖିଥି‌େଲ। ଏହି ଅବସରରେ ଶ୍ରୀ ଚୌଧୁରୀ ଆମ ଓଡ଼ିଶାର ଦ୍ବାରା ପ୍ରକାଶିତ ‘ସାହିତ୍ୟ କୋଷ’କୁ ଉନ୍ମୋଚନ କରିଥିଲେ।

ଶ୍ରୀ ଚୌଧୁରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଆଜକୁ ଦୁଇ ବର୍ଷ ତଳେ ଦିଲ୍ଲୀର ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଯେତେବେଳେ ଏକ ଛାତ୍ର ଗୋଷ୍ଠୀ ଆତଙ୍କବାଦୀ ଅଫଜଲ ଗୁରୁର ଜୟନ୍ତୀ ପାଳନ କରିବାକୁ ଏକାଠି ହେଲେ ଏବଂ ସ୍ଲୋଗାନ୍ ଦେଲେ ‘ଅଫଜଲ ଗୁରୁ, ‌େତରେ କାତିଲ୍ ଅଭି ଜିନ୍ଦା ହୈ’ ଏବଂ ବହୁ ଭାରତ ବିରୋଧୀ ‌େସ୍ଲାଗାନ ଦେଲେ ଯେମିତି ‘ଭାରତ ତେରେ ଟୁକଡେ ହୋଙ୍ଗେ, ଇନସାଲ୍ଲା, ଇନସାଲ୍ଲା’। ଏହିଭଳି ସ୍ଲୋଗାନ ହିଁ ଭାରତର ଜାତୀୟତାବାଦକୁ ବିତର୍କକୁ ଟାଣିଥିଲା। ଆଉ ସୂଚାଇଥିଲା ଆମ ମାତୃଭୂମି ପ୍ରତି ବିପଦ ଅଛି। ଏହିଭଳି ଅନେକ ପ୍ରସଙ୍ଗ ଯାହା ଜାତୀୟତାବାଦ ଉପରେ ସଙ୍କଟ ସୃଷ୍ଟି କରିଥିଲା। ଉଦାହରଣ ସ୍ବରୂପ ‘କାହିଁକି ଜଣେ ମୁସଲିମ୍ ବନ୍ଦେ ମାତରମ୍ କିମ୍ବା ଜାତୀୟ ସଂଗୀତ ସଂପୂର୍ଣ୍ଣ ଗାଇବନି’। ଏହି ପ୍ରସଙ୍ଗ ସମାଜକୁ ଭାଗ ଭାଗ କରିଦେଲା। ତଥାକଥିତ ହିନ୍ଦୁ କଠୋରପନ୍ଥୀ (ଯେଉଁମାନେ ହିନ୍ଦୁତ୍ବକୁ ବୁଝନ୍ତିନି) ଗୋଟିଏ ଗୋଷ୍ଠୀ ହେଲେ। ଏହି ଗୋଷ୍ଠୀକୁ ବିରୋଧ କରିବା ପାଇଁ ଆଉ ଗୋଟିଏ ଗୋଷ୍ଠୀ ସେମାନଙ୍କ ଉପାୟରେ ବିରୋଧ କରିବା ଆରମ୍ଭ କରିଦେଲେ। ଦୁଇଟି ଯାକ ଶିବିର ନିଜର ଚରମ କଠୋରପନ୍ଥୀ ବିଚାରଧାରା ଯୋଗୁଁ ପୀଡ଼ିତ। କିନ୍ତୁ ନିଜ ଆଖିରେ ପରଦା ପକାଇଦେଲେ।

ମୁସଲମାନମାନେ ବନ୍ଦେ ମାତରମ୍ ସ୍ଲୋଗାନ୍‌କୁ ନେଇ ଭାଗ ଭାଗ ହୋଇଗଲେ। କିନ୍ତୁ ଯେଉଁମାନେ ଏହାକୁ ବିରୋଧ କରୁଥିଲେ ଏବଂ ଯେଉଁମାନେ ଏହାକୁ ସମର୍ଥନ କରୁଥିଲେ ସମସ୍ତେ ସଚ୍ଚୋଟ ଭାରତୀୟ। ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ। ଯଦି ଭାରତର ଜାତୀୟତାବାଦ ସହନଶୀଳତା ଉପରେ ପର୍ଯ୍ୟ‌େବସିତ ହୋଇଥାନ୍ତା ତେବେ ଏହାକୁ ଏକ ପ୍ରସଙ୍ଗ କରିବାର କିଛି କାରଣ ନଥିଲା। ଭାରତରେ ଧର୍ମ ଦ୍ବାରା ଶାସନ ହେଉଥିବା ରାଷ୍ଟ୍ର ଭଳି ଏକ ଢାଞ୍ଚା ଅଛି। ସମ‌େସ୍ତ ଜାଣନ୍ତି ଯେ, ଧର୍ମ ଭଲ ପାଇବା ପ୍ରଚାର କରେ। କିନ୍ତୁ ଏହାର ଭୁଲ୍ ପ୍ରଚାର ଦଙ୍ଗା ଏବଂ ହିଂସା ସୃଷ୍ଟି କରେ। ତତ୍କାଳୀନ ମୁସଲମାନ ଏବଂ ବ୍ରିଟିସ୍ ଶାସକମାନେ ବି ଓଡ଼ିଆଙ୍କର ଏକତା ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଯୋଗୁଁ ଓଡ଼ିଆମାନେ ଏକ ହୋଇ ରହିଥିଲେ। ଏହା ସେତେବେଳେ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିଥିଲା।

ଶ୍ରୀ ଚୌଧୁରୀ ଆହୁରି କହିଥିଲେ ଯେ, ଏବେ ଯଦି କେଉଁଠି ଗୋଟିଏ ଗଣଦୁଷ୍କର୍ମ ହେଉଛି ତେବେ ରାଜନୈତିକ ଦଳମାନେ ଖୋଜୁଛନ୍ତି କେଉଁ ରାଜ୍ୟରେ ହୋଇଛି। ସେଠାରେ କେଉଁ ରାଜନୈତିକ ଦଳ ଶାସନ କରୁଛି। ଏହାପରେ ମୁଖ୍ୟମନ୍ତ୍ରୀ ବିରୋଧରେ ସ୍ଲୋଗାନ ଏବଂ ଇସ୍ତଫା ଦାବି ହେଉଛି। ରାଜ‌ନୈତିକ ଦଳ ପରସ୍ପର ବିରୋଧରେ ଅସଭ୍ୟ ଭାବେ ଲଢ଼େଇ କରୁଛନ୍ତି। କିନ୍ତୁ ଏହି ସମସ୍ୟାର କିପରି ସମାଧାନ ହେବ ସେନେଇ କେହି ଚିନ୍ତା କରୁନାହାନ୍ତି। ଜାତୀୟତାବାଦୀଙ୍କର ମୌଳିକ ଦାବି ଦେଶବାସୀଙ୍କ ସୁରକ୍ଷା, ସମସ୍ତଙ୍କୁ ଖୁସିରେ ରଖିବା ହେବା ଦରକାର। ଟାଗୋର୍ କହୁଥିଲେ ସ୍ବାଧୀନତା ପାଇବା ପୂର୍ବରୁ ସମାଜରୁ ସମସ୍ତ ଖରାପ ଚିନ୍ତାଧାରା ଲୋପ ପାଇବା ଆବଶ୍ୟକ। ଜାତୀୟତାବାଦ ଏବଂ ସ୍ବାଧୀନତା ଠାରୁ ସ୍ବଦେଶୀ ସମାଜ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଟାଗୋର୍ କହୁଥିଲେ।

ଏବେ ଦେଶରେ ମହିଳାଙ୍କ ମନ୍ଦିର ପ୍ରବେଶ, କିଏ କେଉଁଠି ପୂଜା କଲେ ସେନେଇ ବିବାଦ ଉପୁଜୁଛି। ଯାହା ଜାତୀୟତାବାଦକୁ ଆଉ ଏକ ବିପଦ। ଜାନକୀ ବାବୁ ବୋଧେ ଏହା ଆଗୁଆ ଅନୁମାନ କରିପାରିଥିଲେ। ସେଥିପାଇଁ ସେ ଆସାମରେ ରାଜ୍ୟପାଳ ଥିବା ସମୟରେ କେନ୍ଦ୍ରୀୟ ଆସାମର ପାଟବାଉସି ସତ୍ରାରେ ଥିବା କୀର୍ତ୍ତନ ଘରେ ମହିଳାଙ୍କୁ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୋଧହୁଏ ସେ ଜାଣିପାରିଥିଲେ ଯେ ଆଗକୁ ଦରଘା, ମନ୍ଦିର ଏବଂ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ବିଭିନ୍ନ ପ୍ରସଙ୍ଗ ଉଠିବ। ଯାହା ଏବେ ସାମାଜିକ ଓ ରାଜନୈତିକ ଦୁନିଆରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

‘ସମ୍ବାଦ’ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ ଯେ, ଜାନକୀବଲ୍ଲଭ ପଟ୍ଟନାୟକ ଆମ ସମୟରେ ଜଣେ ସଫଳ ମଣିଷ ଥିଲେ। ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ଶ୍ରେଷ୍ଠ ସୋପାନକୁ ଯାଇପାରିଥିଲେ। ସାହିତ୍ୟ ତାଙ୍କର ପ୍ରବୃତ୍ତି ଥିଲା, ସାମ୍ବାଦିକତା ତାଙ୍କର ବୃତ୍ତି ଥିଲା। ସମାଜ ପାଇଁ କିଛି କରିବାକୁ ସେ ରାଜନୀତିକୁ ମାଧ୍ୟମ କରିଥିଲେ। କିନ୍ତୁ ଏବେ ରାଜନୀତି ଠାରୁ ସାହିତ୍ୟ ଦୂରେଇ ଯିବାକୁ ବସିଲାଣି। ସାହିତ୍ୟିକ ବନ୍ଧୁମାନେ ରାଜନେତାଙ୍କୁ ଦେଖିଲେ ନାକ ଟେକୁଛନ୍ତି। ସାହିତ୍ୟିକମାନେ ରାଜନେତାଙ୍କୁ ଘୃଣା ନକରି ହାତ ମିଳାଇଲେ ରାଜନୀତି ସମୃଦ୍ଧ ହୋଇପାରିବ। ସାହିତ୍ୟ-ରାଜନୀତି-ସାମ୍ବାଦିକତାର ସଙ୍ଗମରେ ନୂଆ ଓଡ଼ିଶା ଗଠନ ହୋଇପାରିବ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବର୍ତ୍ତମାନର ପରିସ୍ଥିତି ଯାହା ହେଲାଣି ସେଥିରେ ଜାତି, ଜାତୀୟତାବାଦ ସମ୍ପର୍କରେ ଭାରତୀୟମାନଙ୍କୁ ଚିନ୍ତା କରିବାକୁ ହେବ। ଜାତିର ପରିଭାଷାକୁ ନେଇ ଅନେକ ଦ୍ବନ୍ଦ୍ବ ସୃଷ୍ଟି ହେଲାଣି। ଏହାକୁ ତୁରନ୍ତ ଦୂର କରିବାକୁ ହେବ।

ଏହି ଅବସରରେ ସାହିତ୍ୟକୋଷ ସମ୍ପାଦନା ମଣ୍ଡଳୀର ସଦସ୍ୟ ଦାଶରଥୀ ଦାସ ଏବଂ ସୁଦର୍ଶନ ଆଚାର୍ଯ୍ୟ, କିପରି ସାହିତ୍ୟକୋଷ ରଚନା କରିବାକୁ ୧୦ ବର୍ଷ ଲାଗିଲା, ବହୁ ବାଧାବିଘ୍ନ ସତ୍ତ୍ବେ ୧୨୨ ଜଣ ଲେଖକଙ୍କୁ ନେଇ ଏହି ସାହିତ୍ୟକୋଷ ରଚନା କରାଯାଇଛି, ତାହା ବର୍ଣ୍ଣନା କରିଥିଲେ। ଏହି ପୁସ୍ତକରେ ଓଡ଼ିଶା ସାହିତ୍ୟ ସମ୍ପର୍କିତ ସମସ୍ତ ତଥ୍ୟ ଥିବାବେଳେ ସର୍ବଉପଯୋଗୀ ‌େହାଇପାରିବ ବୋଲି କହିଥିଲେ।

ପ୍ରାରମ୍ଭରେ ଆମ ଓଡ଼ିଶାର ସମ୍ପାଦକ (ପ୍ରକାଶନ) ଅସିତ୍‌ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ଦେଇଥିଲେ। କୋଣାର୍କ ନିର୍ମାଣକୁ ୧୨ ବର୍ଷ ଲାଗିଥିବା ବେଳେ ସାହିତ୍ୟକୋଷ ରଚନାକୁ କିପରି ୧୦ବର୍ଷ ଲାଗିଲା ତାହା ସେ କହିଥିଲେ। ଓଡ଼ିଆ ସାହିତ୍ୟର ଏହା ଏକ କୋଣାର୍କ ବୋଲି ଶ୍ରୀ ମହାନ୍ତି ବର୍ଣ୍ଣନା କରିଥିଲେ। ଶେଷରେ ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ସାହିତ୍ୟକୋଷର ସମ୍ପାଦନା ମଣ୍ଡଳୀର ସଦସ୍ୟ ଗଗନେନ୍ଦ୍ର ନାଥ ଦାଶ, ଗବେଷକ ଦେବେନ୍ଦ୍ର କୁମାର ଦାଶ ଓ ଗୌରାଙ୍ଗ ଚରଣ ଦାଶଙ୍କ ସମେତ ୧୨୨ଜଣ ଲେଖକଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଦେବେନ୍ଦ୍ର କୁମାର ଦାଶ ଓ ଗୌରାଙ୍ଗ ଚରଣ ଦାଶଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଶା ମୁକୁଲ ବାରିକ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର