ପୂର୍ବ ଘଟଣାକ୍ରମ ଓ ପରିସ୍ଥିତିର ତଦନ୍ତ ହେବ: ଜଷ୍ଟିସ ରଘୁବୀର ଦାଶ

କଟକ : ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଥିବା ବେଳେ ତଦନ୍ତର ଟର୍ମ ଅଫ୍‌ ରେଫରେନ୍ସ ସଂପର୍କିତ ବିଜ୍ଞପ୍ତି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ଆଜି ତଦନ୍ତ କମିସନଙ୍କ ଅଧ୍ୟକ୍ଷ ଜଷ୍ଟିସ ରଘୁବୀର ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଚାବି ହଜିବାର ପୂର୍ବବର୍ତ୍ତୀ ଘଟଣାକ୍ରମ ତଥା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଚାବି ହଜିଲା ଓ ଏସବୁଥିରେ କେଉଁ ବ୍ୟକ୍ତି, ଅନୁଷ୍ଠାନ ବା ପଦାଧିକାରୀଙ୍କ ଭୂମିକା ରହିଛି ତାହା ତଦନ୍ତ ପରିସରଭୁକ୍ତ। କେଉଁମାନେ କେତେ ଦୂର ପର୍ଯ୍ୟନ୍ତ ଏଥି ପାଇଁ ଉତ୍ତରଦାୟୀ ତାହା ତଦନ୍ତ କରାଯିବ। ଭବିଷ୍ୟତରେ ଯେମିତି ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ହେବ, ସେଥି ପାଇଁ କଣ ପଦକ୍ଷେପ ନିଆଯିବ ସେ ସଂପର୍କରେ ରିପୋର୍ଟ ଦିଆଯିବ। ତଦନ୍ତ ସାରିବାକୁ ସରକାର ୩ ମାସ ଦେଇଛନ୍ତି। ଏହି ସମୟସୀମା ମଧ୍ୟରେ ତଦନ୍ତ ସାରିବାକୁ ଚେଷ୍ଟା କରାଯିବ। ଯଦି ଏହି ସମୟ ମଧ୍ୟରେ ତଦନ୍ତ ନ ସରିଲା ତେବେ ସମୟ ବଢାଇବା ପାଇଁ କୁହାଯିବ। କଟକରେ ତଦନ୍ତ କମିସନଙ୍କ ମୁଖ୍ୟ କାର୍ଯ୍ୟାଳୟ କରିବା ପାଇଁ କୁହାଯାଇଛି। ତଦନ୍ତ ସମୟରେ ପୁରୀ ଯିବାକୁ ପଡିବ। ଟର୍ମ ଅଫ୍‌ ରେଫରେନ୍ସ ନେଇ ଗେଜେଟ ନୋଟିଫିକେସନ୍‌ ପ୍ରକାଶ ପାଇ ସାରିଥିବା ବେଳେ ଖୁବ୍‌ଶୀଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ। ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ଓ ଅନୁଷ୍ଠାନଠାରୁ ସତ୍ୟପାଠ ଜରିଆରେ ତଥ୍ୟ ମଗାଯିବ ବୋଲି ଜଷ୍ଟିସ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର