ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ‘କାଳିଆ’ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଆଜି ଛାତ୍ରବୃତ୍ତି ପୋର୍ଟାଲକୁ ମଧ୍ୟ ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ଚାଷୀ ପିଲାଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏହି ଛାତ୍ରବୃତ୍ତି ଯୋଜନା ଆରମ୍ଭ କରାଯାଇଛି ବୋଲି ନବୀନ ନିଜ ବକ୍ତବ୍ୟରେ କହିଛନ୍ତି। ସେ କହିଛନ୍ତି ଚାଷୀ ପରିବାରର ଉନ୍ନତି ଘଟିଲେ ରାଜ୍ୟର ଉନ୍ନତି ଘଟିବ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସଚିବାଳୟରେ କାଳିଆ ଛାତ୍ରବୃତ୍ତି ଯୋଜନାର ୱେବ୍ ପୋର୍ଟାଲ ଏବଂ ଲୋଗୋ ଉନ୍ମୋଚନ କରିବା ଅବସରେ ନବୀନ କହିଛନ୍ତି, ଏହି ଛାତ୍ରବୃତ୍ତି ଯୋଜନା ଦ୍ୱାରା ଚାଷୀ ପରିବାରର ପିଲାମାନେ ଡାକ୍ତର, ଇଂଜିନିୟର, କୃଷି ବୈଜ୍ଞାନିକ ଏବଂ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ଲାଭ କରିପାରିବେ। ପିଲାମାନଙ୍କ ଉନ୍ନତି ହେଲେ ଚାଷୀ ଭାଇମାନଙ୍କ ଉନ୍ନତି ତଥଶ ଓଡ଼ିଶାର ଉନ୍ନତି ହୋଇପାରିବ। କାଳିଆ ଯୋଜନାର ହିତାଧିକାରୀ ମାନଙ୍କ ପିଲାମାନେ ଏହାର ସୁବିଧା ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
କାଳିଆ ଯୋଜନାରେ ୧୬ ଲକ୍ଷରୁ ଅଧିକ ଚାଷୀ ପ୍ରଥମ ପର୍ଯ୍ୟାୟରେ ୫୦୦୦ ଟଙ୍କା ଲେଖାଏଁ ପାଇଛନ୍ତି। ଚାଷୀ ପରିବାରର ଦୀର୍ଘସ୍ଥାୟୀ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ସେମାନଙ୍କ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ୱେବ୍ ପୋର୍ଟାଲ http://kalia.co.in/scholarship ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ଯୋଜନାରେ ସାମିଲ ହୋଇପାରିବେ।
ସୂଚନାଯୋଗ୍ୟ, କେନ୍ଦୁଝର ପଣ୍ଡାପଡାରେ ଆୟୋଜିତ ‘କାଳିଆ’ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ତାରିଖରେ ଯୋଗ ଦେଇ କାଳିଆ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଥିଲେ।
ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ, କାଳିଆ ଯୋଜନାରେ ହିତାଧିକାରୀ ଥିବା ଚାଷୀମାନଙ୍କ ପିଲାଙ୍କ ପାଇଁ ସରକାର କାଳିଆ ଛାତ୍ରବୃତ୍ତି ନାମରେ ଏହି ଯୋଜନା ପ୍ରଚଳନ କରିଛନ୍ତି। ଚାଷୀମାନଙ୍କ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ତଥା ବୃତ୍ତିଗତ ଶିକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଏହି ଅବସରରେ ଘୋଷଣା କରିଥିଲେ।