ବର୍ଷାରେ ବେହାଲ ସୂର୍ଯ୍ୟମନ୍ଦିର: ଭିତରେ ବାହାରେ ଲହଡ଼ି ଖାଉଛି ପାଣି

କୋଣାର୍କ(ବିଶ୍ୱଜିତ ରାଉତରାୟ) : ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ସମସ୍ୟା ପିଛା ଛାଡ଼ୁନି । ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିର ପରିସର ଓ ବେଢ଼ା ଚାରିପାଖ ସମେତ ମୁଖ୍ୟ ରାସ୍ତାରେ ଅସରାଏ ବର୍ଷାରେ ପାଣି ଲହଡ଼ି ଭାଙ୍ଗି ମନ୍ଦିରର ସ୍ଥାୟିତ୍ଵ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ଦୀର୍ଘ ସମୟ ଧରି ବର୍ଷା ଲାଗି ରହିଥିଲା।ଏହି ବର୍ଷାରେ ମନ୍ଦିର ବେଢ଼ା ବାହାରେ ଓ ପରିସରରେ ବର୍ଷାପାଣି ଜମିରହିଛି ।ଏହା ପୂର୍ବରୁ ୨୦୧୦ ମସିହାରେ ଏକାଧିକ ଥର,୨୦୧୬ ମସିହା ସେପ୍ଟେଟର ମାସ ,ଗତବର୍ଷ ଜୁଲାଇ ମାସରେ ଦୁଇଥର ,ଅକ୍ଟୋବର ଓ ନଭେମ୍ବର ମାସରେ ମଧ୍ୟ ଏହିପରି ବର୍ଷାରେ ମନ୍ଦିରରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଥିଲା ।ମନ୍ଦିର ଚାରିପାଖରେ ଜମି ରହୁଥିବା ବର୍ଷାପାଣି ନଷ୍କାସନ ପାଇଁ କୋଟି କୋଟି ଟଙ୍କ ବ୍ୟୟ ଅଟକଳରେ ନିର୍ମିତ ଡ଼୍ରେନ ଗୁଡ଼ିକ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଥିବାରୁ ବର୍ଷାପାଣି ନିଷ୍କାସିିତ ନ ହୋଇ ପାରି ରାସ୍ତା ଉପରେ ଲହଡ଼ି ଭାଙ୍ଗିଥିଲା ।ଯାହାଫଳରେ କେବଳ ମନ୍ଦିର ନୁହେଁ ସମଗ୍ର କୋଣାର୍କ ବଜାର ଜଳାର୍ଣ୍ଣବ ହୋଇପଡ଼ିଥିଲା।

ମନ୍ଦିର ପରିସର ଓ ସାମ୍ନା ରାସ୍ତାରେ ରହିଥିବା ବର୍ଷାପାଣିରେ ପର୍ଯ୍ୟଟକ ମାନେ ଅସନ୍ତୋଷପ୍ରକାଶ କରିଛନ୍ତି। । ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରରେ ଏହି ଜଳାର୍ଣ୍ଣବ ପରିବେଶକୁ ଦେଖି ପର୍ଯ୍ୟଟକ ମାନେ ସେମାନଙ୍କ ଅସନ୍ତୋଷ ଖୋଲାଖୋଲି ଭାବେ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ କୋଣାର୍କ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ମାନେ ଅସରାଏ ବର୍ଷାରେ ମନ୍ଦିର ପରିସରରେ ଆଶ୍ରୟ ନେବା ଭଳି ସ୍ଥାନ ନ ଥିବାରୁ ବର୍ଷାରେ ମହିଳା,ପୁରୁଷ ଓ ଛୋଟଛୋଟ ଶିଶୁ ପର୍ଯ୍ୟଟକ ମାନେ ମନ୍ଦିର ପରିସରରେ ଛତା ବ୍ୟବହାର କରି ମଧ୍ୟ ଓଦା ଅବସ୍ଥାରେ ବୁଲୁଥିବାର ଦେଖାଯାଇଛି । ଏଣେ ଅସରାଏ ବର୍ଷାରେ ପୂର୍ବଭଳି ମନ୍ଦିର ପରିସରରେ ପାଣି ଜମିବା ଆରମ୍ଭ ହୋଇଛି ।ଯାହାକି ମନ୍ଦିରର ମୁଳଦୁଆ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି ।

ଏହାକୁ ନେଇ ନାଗରିକ ସଂଗଠନ କୋଣାର୍କ ସୁରକ୍ଷା ସମିତି,ହସ୍ତଶିଳ୍ପ ବ୍ୟବସାୟୀ ମହାସଂଘ ଭଳି ସଂଗଠନ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମନ୍ଦିର ମଧ୍ୟରେ ଜମିରହୁଥିବା ବର୍ଷାଜଳ ନିଷ୍କସନ ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇ ଭୂତଳ ଡ଼୍ରେନେଜ ବ୍ୟବସ୍ଥା କରାଯିବା ଲାଗି ନିଷ୍ପତି ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଅନ୍ୟପକ୍ଷରେ ଏଏସଆଇର ସ୍ଥାନୀୟ ଅଧିକାରୀ ମାନେ ଏଦିଗରେ ସମୟୋଚିତ ପଦକ୍ଷେପ ନ ନେବାରୁ ମନ୍ଦିର ପରିସରରୁ ଜଳ ନିଷ୍କାସନ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର