ରାଜସୁନାଖଳାରେ ମାତିଛନ୍ତି ଜମି ମାଫିଆ : ବାଦ୍ ପଡ଼ୁନି ମଶାଣି, ନାଳ, ଅନାବାଦୀ ଓ ଚାଷ ଜମି
ରାଜସୁନାଖଳା : ରଣପୁର ତହସିଲ ରାଜସୁନାଖଳା ରାଜସ୍ବ ନିରୀକ୍ଷଣ କାର୍ଯ୍ୟାଳୟ ଅଧୀନରେ ରାଜସୁନାଖଳା ମୌଜାର ଗାଁ ମଶାଣି, ଚାଷ ଜମି ପାଇଁ ଥିବା ନାଳ ଓ ଅନାବାଦୀ ଜମିଗୁଡ଼ିକୁ ଜମି ମାଫିଆମାନେ ଶାଗମାଛ ଦରରେ ସାଧାରଣ ଚାଷୀଙ୍କୁ ଲୁଟି ପ୍ଲଟିଂ କରି ଚଢ଼ା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଘଟଣାରୁ ପ୍ରକାଶ, ରାଜସୁନାଖଳା ଅଞ୍ଚଳଟି ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲାର ଏହା ଏକ ବ୍ୟାବସାୟିକ ପେଣ୍ଠସ୍ଥଳୀ, ଯାହାକି ୫୭ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ। ବ୍ୟାବସାୟିକ ଦୃଷ୍ଟିକୋଣରୁ ଆଖପାଖ ଅଞ୍ଚଳର ବ୍ୟବସାୟୀମାନେ ଘରବାରି କରି ବସବାସ କରିବା ପାଇଁ ପସନ୍ଦ କରିଥାଆନ୍ତି। ଏହାର ସୁଯୋଗ ନେଇ ଜମି ମାଫିଆମାନେ ସାଧାରଣ ବର୍ଗର ଗରିବ ଚାଷୀମାନଙ୍କ ଗହୀର ମଝିର ଜମି ହଡ଼ପ କରିବା ପାଇଁ ଜାଲ ବିଛାଇଛନ୍ତି। ପରେ ମୁଖ୍ୟ ରାସ୍ତାକୁ ଲାଗିରହିଥିବା ଜମିଗୁଡ଼ିକୁ ଚଢ଼ା ଦରରେ କ୍ରୟ କରି ଗହିରମଝିର ଜମିକୁ ସଂଯୋଗ କରୁଛନ୍ତି। ଜମି ମାଫିଆମାନେ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ଚାଷ ଜମିକୁ କିଭଳି ଘରବାରି କରି ରେଜେଷ୍ଟ୍ରି କରାଯାଉଛି, ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲଗାତାର ଭାବେ ଚାଷଜମିକୁ ଘରବାରି କିଷମ ପ୍ରକ୍ରିୟା ଅବ୍ୟାହତ ରହିଲେ ଆଗାମୀ ଦିନରେ ଚାଷଜମି, ଗୋଚର ଜମି ଓ ମଶାଣି ଜମି ଲୋପ ପାଇବାର ଆଶଙ୍କା ଦେଖାଯାଇଛି। ଏ ଦିଗରେ ଜିଲ୍ଲାପାଳ ଓ ତହସିଲଦାର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।