ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ମାଲକାନଗିରି ବନ୍ଦ, ସାଧାରଣ ଜନଜୀବନ ପ୍ରଭାବିତ

ମାଲକାନଗିରି : ମାଲକାନଗିରିର ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ବଦଳି ଦାବିରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ବନ୍ଦ ପାଳନ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିର ସୀମାନ୍ତ ଗୋବିନ୍ଦପାଲିରୁ ମୋଟୁ ଯାଏଁ ଏହି ବନ୍ଦ ପାଳନ ହେଉଥିବା ହେତୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।

ଆଜି ଜିଲ୍ଲାର ଅଧିକଂଶ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଏପରିକି ଆଜି ଅଧିକାଂଶ ଶିକ୍ଷାନୁଷ୍ଠାନ ବି ବନ୍ଦ ରହିଥିବା ଜଣାଯାଇଛି। ସରକାରୀ ଅଫିସମାନଙ୍କରେ ବି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବନ୍ଦ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତ ଦେଖା ନ ଯାଏ ସେଥିଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାସାରା ପୁଲିସ ଛାଉଣି କରାଯାଇଛି।
ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବନ୍ଦ ପାଳନର ନେତୃତ୍ୱ ନେଉଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ ଯେ ମାଲକାନଗିରିର ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପାଇଁ ମଧ୍ୟ ଜିଲ୍ଲାପାଳ ହିଁ ଦାୟୀ। ରାଜ୍ୟ ସରକାର ତୁରନ୍ତ ଜିଲ୍ଲାପାଳଙ୍କୁ ବଦଳି କରନ୍ତୁ, ନଚେତ କଂଗ୍ରେସ ପକ୍ଷରୁ ପୂରା ଜିଲ୍ଲାରେ ବନ୍ଦ ପାଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ। ସରକାରଙ୍କୁ ୯ତାରିଖ ପର୍ଯ୍ୟନ୍ତ ଶ୍ରୀ ମାଝୀ ସମୟ ଦେଇଥିଲେ। ତେବେ ଜିଲ୍ଲାପାଳଙ୍କୁ ସରକାର ବଦଳି କରିନଥିବାରୁ ଆଜି ବଡ଼ଧରଣର ଆନ୍ଦୋଳନ କରିବାକୁ କଂଗ୍ରେସ ବାଧ୍ୟ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ସମ୍ବନ୍ଧିତ ଖବର