ନୟାଗଡ଼ରେ ପୁଣି ମାଓ ହମ୍‌ଲା : ଲୁଟିନେଲେ ୪ ବନ୍ଧୁକ

ବିଟ୍ ହାଉସ୍‌କୁ ଉଡ଼ାଇ ଦେବାକୁ ଚେତାବନୀ, ଜଙ୍ଗଲରେ ‘ସୁନ୍ଦରୀ’ ଛାଡ଼ିଛ, ପରିଣାମ ଭୋଗିବ

ଦଶପଲ୍ଲା : ମାର୍ଚ୍ଚ ୨୨ ତାରିଖରେ କୁଆଁରିଆ ମୃଗ ବିହାର ନିକଟରୁ ମାଓବାଦୀଙ୍କ ହାତଲେଖା ଦୁଇଟି ଧମକପୂର୍ଣ୍ଣ ପୋଷ୍ଟର୍‌ ଜବତର ଠିକ୍ ମାସକ ପରେ ଗତକାଲି ରାତିରେ ମାଓବାଦୀମାନେ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରୁ ୬ କିମି ଦୂର କୁଆଁରିଆ ବନ୍ୟପ୍ରାଣୀ ବିଭାଗ (ପୂର୍ବ) ବନାଞ୍ଚଳ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ କାର୍ଯ୍ୟାଳୟ ମଧ୍ୟରେ ଜବତ ହୋଇ ରହିଥିବା ୪ଟି ଦେଶୀ ବନ୍ଧୁକ ଲୁଟି ନେଇଛନ୍ତି। ଗଲାବେଳେ ଧମକପୂର୍ଣ୍ଣ ହାତଲେଖା ପୋଷ୍ଟର ଛାଡ଼ି ଯାଇଛନ୍ତି ଲାଲ ବାହିନୀ। ଖାଲି ସେତିକି ନୁହେଁ, ଆସନ୍ତା ୨୭ ତାରିଖରେ ବାଇଶୀପଲ୍ଲୀ ବିଟ୍ ହାଉସକୁ ବୋମା ପକାଇ ଉଡ଼ାଇ ଦିଆଯିବ ଏବଂ ଡିଏଫ୍ଓ, ବନ କର୍ମଚାରୀଙ୍କ କଠୋରରୁ କଠୋର ଦଣ୍ତ ଦିଆଯିବ ବୋଲି ଚେତାବନୀ ଶୁଣାଇଛନ୍ତି।

ବନପାଳ ହେମନ୍ତ କୁମାର କାଣ୍ତିଙ୍କ କହିବା ଅନୁଯାୟୀ, ‘ଗତକାଲି ରାତି ୯ଟା୧୦ରେ ହଠାତ୍‌ ଲାଇନ୍ କଟି ଯାଇଥିଲା। ଏହାର ପ୍ରାୟ ୫ ମିନିଟ୍ ପରେ କାନ୍ଧରେ ବନ୍ଧୁକ ପକାଇଥିବା ଏବଂ ହାତରେ ଭୁଜାଲି ଧରିଥିବା ୬ ଜଣ ସନ୍ଦିଗ୍ଧ ବ୍ୟକ୍ତି କାର୍ଯ୍ୟାଳୟ ଭିତରକୁ ପଶି ଆସିଥିଲେ। ଘରେ ଥିବା ମୋବାଇଲ୍‌ଗୁଡ଼ିକୁ ନେଇଯିବା ପରେ ସେମାନେ ମୋତେ ବାହାରକୁ ଧରି ନେଇ ଅଫିସ୍‌ ଚାବି କେଉଁଠି ଅଛି ବୋଲି ପଚାରିଥିଲେ। ମାତ୍ର ଚାବି ମୋ ପାଖରେ ନାହିଁ ବୋଲି ଜାଣିବା ପରେ ସେମାନେ ମତେ ସେଇଠି ବସାଇ ଦେଇଥିଲେ।

ଏପରିକି ପାଟିକଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ପରେ ୫ ଜଣ ରେଞ୍ଜର୍‌ଙ୍କ କ୍ବାର୍ଟରରେ ପଶିଥିବା ବେଳେ ଜଣେ ଗେଟ୍ ସମ୍ମୁଖରେ ଜଗି ରହିଥିଲା। ରେଞ୍ଜର୍‌ଙ୍କ କ୍ବାର୍ଟରରୁ ବାହାରିବା ପରେ ସେମାନେ ଇଣ୍ଟର୍‌ଫିକେସନ୍ ହଲ୍ (ବୈଠକ ଗୃହ) ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ଜବତ ହୋଇ ରହିଥିବା ୪ଟି ଦେଶୀ ବନ୍ଧୁକ ଧରି ପଳାଇ ଯାଇଥିଲେ। ଯିବା ପୂର୍ବରୁ ମୋବାଇଲ୍‌ଗୁଡ଼ିକ ଦେବା ପାଇଁ ବନପାଳଙ୍କ ପତ୍ନୀ ଅନୁରୋଧ କରିବାରୁ ସେମାନେ ପାଖ ନିର୍ମାଣାଧୀନ ଏକ କ୍ବାର୍ଟର ପିଲାର‌୍ ନିକଟରେ ମୋବାଇଲଗୁଡିକ ରଖି ବାହାରିି ଯାଇଥିଲେ। ଏହାର ପ୍ରାୟ ୫ ମିନିଟ୍ ପରେ ଏକ ଅଟୋ ଆସିବା ପରେ ସେମାନେ ସେଥିରେ ବସି ଜାତୀୟ ରାଜପଥରେ ଟାକରା ଅଭିମୁଖେ ଚାଲିଯାଇଥିଲେ,’ ବୋଲି ଶ୍ରୀ କାଣ୍ଡି କହିଛନ୍ତି।

ଅନ୍ୟପକ୍ଷରେ, ମାଓବାଦୀମାନେ ବନ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ପରେ ସେଠାରେ ୫ଟି ହାତଲେଖା ପୋଷ୍ଟର ଛାଡ଼ି ଯାଇଛନ୍ତି। ଯେଉଁଥିରେ ଡିଏଫ୍ଓ, ଫରେଷ୍ଟ ଗାର୍ଡ ଓ ୱାଚର୍‌ମାନଙ୍କୁ କଠୋରରୁ କଠୋର ଦଣ୍ତ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଖାଲି ସେତିକି ନୁହେଁ, ସେଥିରେ ଉଲ୍ଲେଖ ରହିଛି ଯେ, ସାତକୋଶିଆ ଓ ବାଇଶୀପଲ୍ଲୀ ଜଙ୍ଗଲରେ ଜନତାଙ୍କୁ ବିସ୍ଥାପିତ କରିବା ପାଇଁ ବନ ବିଭାଗ ଅତି ଚତୁରତାର ସହ ବାଘୁଣୀ ‘ସୁନ୍ଦରୀ’କୁ ଜଙ୍ଗଲରେ ଛାଡ଼ିଛି। ଫଳସ୍ବରୂପ ‘ସୁନ୍ଦରୀ’ ଜଙ୍ଗଲରେ ବୁଲି ବୁଲି ମଣିଷ ଶିକାର କରୁଛି। ବାଘ ଛାଡ଼ିଥିବାରୁ ବନ ବିଭାଗ ଅଧିକାରୀମାନଙ୍କୁ ଉଚିତ ଦଣ୍ତ ଦିଆଯିବ। ଏହାଛଡା ପୋଷ୍ଟରରେ ୱାଚର୍‌ ନାମରେ ଇନଫର୍ମର୍‌ କାମ କରୁଥିବା ଲୋକଙ୍କ ପାଇଁ ମରଣ ରାସ୍ତା ଖୋଲାଥିବା, ବିସ୍ଥାପନକୁ ବିରୋଧ, ଜନତାଙ୍କ ଉପରେ ହିନ୍ଦୁ ଫାସିବାଦୀ କାର୍ଯ୍ୟ ବନ୍ଦ କରିବା ସହ ୨୭ ତାରିଖରେ ବାଇଶିପଲ୍ଲୀ ବିଟ୍ ହାଉସ୍‌କୁ ଉଡ଼ାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଏ ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ଓ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର୍‌ଗୁଡିକୁ ଜବତ କରିଛନ୍ତି। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ଘଟଣାର ତଦନ୍ତ କରାଯାଉଛି ବୋଲି ନୟାଗଡ଼ ଏସ୍‌ପି ଶଶୀଭୂଷଣ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର