ସରକାରୀ ସ୍ବାସ୍ଥ୍ୟ‌ ସେବାକୁ ଉପହାସ : ଦଶମ ଫେଲ୍‌ ଆଟେଣ୍ଡାଣ୍ଟ ସାଜିଛନ୍ତି ଡାକ୍ତର

‌ଷ୍ଟେଥୋ ପକାଇ ବିପି ମାପୁଛନ୍ତି, ଔଷଧ ବି ଲେଖୁଛନ୍ତି

ଅସ୍ତରଙ୍ଗ/ପୁରୀ : ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା କେଉଁ ସ୍ତରକୁ ଗଲାଣି ତାର ଏକ ବିଡମ୍ବିତ ଉଦାହରଣ ରାଜଧାନୀରୁ ମାତ୍ର ୭୦ କିମି ଦୂର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅସନସ୍ଥିତ ରେଡକ୍ରସ୍‌ ମେଡିକାଲ‌ରେ ଦେଖିବାକୁ ମିଳିଛି। ଏମ୍‌ବିବିଏସ୍‌ ଡାକ୍ତରଙ୍କ ବଦଳରେ ଏଠାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ (ଆଟେଣ୍ଡାଣ୍ଟ) ଡାକ୍ତର ସାଜି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ସବୁଠୁ ବଡ଼ କଥା ହେଲା, ଡାକ୍ତରଙ୍କ ଭଳି ବେକରେ ‌ଷ୍ଟେଥୋ ପକାଇ ରୋଗୀ ଚିକିତ୍ସା କରୁଥିବା ଏହି କର୍ମଚାରୀ ଜଣକ ଦଶମ ବି ପାସ୍‌ କରିନାହାନ୍ତି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୯ ମାସ ହେଲା ସେ ଡାକ୍ତର ଭୂମିକାରେ‌ ରୋଗୀ ଦେଖି ଆସୁଛନ୍ତି।

୧୯୮୦ ମସିହା‌ରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅସନଠାରେ ସ୍ଥାପିତ ହୋଇଥିଲା ରେଡକ୍ରସ୍ ସ୍ୱାସ୍ଥ୍ୟ କେନ୍ଦ୍ର। ବ୍ଲକର ଆଳସାହି, ନଈଗୁଆଁ, ଆଳଙ୍ଗପୁର ଓ ନଗର ପଞ୍ଚାୟତବାସୀ ଏହି ଡାକ୍ତରଖାନା ଉପ‌ରେ ନିର୍ଭର କରନ୍ତି। ଏଠାରେ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ସବୁପ୍ରକାର ସୁବିଧା ମିଳୁଥିଲା। ପ୍ରତି ଦିନ ୧୦୦ରୁ ୧୫୦ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ। ହେଲେ ସମୟ କ୍ରମେ ଡାକ୍ତରଖାନାଟି ଏବେ ନାମକୁ ମାତ୍ର ଚାଲିଛି। ଦୀର୍ଘ ୬ ବର୍ଷ ହେଲା ଏଠାରେ ଡାକ୍ତର କିମ୍ବା ନର୍ସ ନାହାନ୍ତି। ଅବଶ୍ୟ ସପ୍ତାହକୁ ଏଠାକୁ ଜଣେ ଡାକ୍ତର ଆସୁଥିଲେ, କିନ୍ତୁ ଗତ ୯ ମାସ ହେଲା ସେ ବି ଆସୁନାହାନ୍ତି। ତାଙ୍କ ବଦଳ‌ରେ ଏଠାରେ କାମ କରୁଥିବା ଆଟେଣ୍ଡାଣ୍ଟ ତପନ ଶତପଥୀ ରୋଗୀ ଚିକିତ୍ସା କରୁଛନ୍ତି। ପ୍ରତିଦିନ ତପନ ଡାକ୍ତରଖାନାକୁ ଆସନ୍ତି। ଡାକ୍ତରଙ୍କ ଚୌକି‌ରେ ବସି ରୋଗୀ ଦେଖିବା ଆରମ୍ଭ କରନ୍ତି। ଷ୍ଟେଥୋ ପକାଇ ବିପି (ରକ୍ତ ଚାପ) ମାପନ୍ତି, ନାଡି (ପଲ୍ସ) ଦେଖି ‌‌ରୋଗୀଙ୍କଠାରୁ ରୋଗ ଲକ୍ଷଣ ବୁଝି ଔଷଧ ଲେଖନ୍ତି। ରୋଗୀମାନେ ବି ତାଙ୍କ ପ୍ରେସ୍‌କ୍ରିପସନ୍‌କୁ ଭରସା କରି ଔଷଧ ନେଉଛନ୍ତି। ଡାକ୍ତର ନଥିବାରୁ ଆଟେଣ୍ଡାଣ୍ଟଙ୍କୁ ଏଠାକାର ଗରିବ ମତ୍ସ୍ୟଜୀବୀମାନେ ଡାକ୍ତର ମାନି ନେଇଛନ୍ତି। ଗତ ୯ ମାସ ଧରି ଏଭଳି ଢଙ୍ଗରେ ଚାଲିଛି ଡାକ୍ତରଖାନା। ଅସ୍ତରଙ୍ଗ ବ୍ଲକର ୪ଟି ପଞ୍ଚାୟତର ୧୫ ହଜାର ‌ଲୋକଙ୍କ ପାଇଁ ତପନ ସାହାଭରସା ପାଲଟିଛନ୍ତି।

କହିବା ବାହୁଲ୍ୟ, ୨୦୦୨ରୁ ପୁରୀ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଡାକ୍ତରଖାନା ଚାଲୁଛି। ଏଥି ପାଇଁ ବାର୍ଷିକ ୪ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ଆସୁଥିଲେ ମଧ୍ୟ ମେଡିକାଲ ବିକାଶରେ ତାହା ଖର୍ଚ୍ଚ କରାଯାଉନାହିଁ। ଡାକ୍ତରଖାନାର ଦୁରାବସ୍ଥା ସଂପର୍କରେ ୪ଟି ପଞ୍ଚାୟତର ସରପଞ୍ଚ ଅଧିକାରୀ ବେହେରା, ମାନସ ସାହୁ, ଭୀମସେନ ସ୍ୱାଇଁ ଓ ରୋଜାଲିନ୍‌ ବେହେରା ବିଭିନ୍ନ ସମୟରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ପୁରୀ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ପରିଚାଳାନା ଦାୟିତ୍ବ ରାଜ୍ୟ ସରକାର ବହନ କରିବାକୁ ନିବେଦନ କରିଛନ୍ତି। କିନ୍ତୁ ସବୁ ପ୍ରୟାସ ନିଷ୍ଫଳ ହୋଇଛି। ଏଭଳି ଘଟଣା ସ୍ବାସ୍ଥ୍ୟ ସେବାକୁ ଖାଲି ଉପହାସ କରୁନି, ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକଳ ଅବସ୍ଥାକୁ ବି ପଦାରେ ପକାଇଛି।

ସମ୍ବନ୍ଧିତ ଖବର