ଭୁବନେଶ୍ୱର (କେଶବ ପାଣି): ଆରମ୍ଭ ହୋଇଯାଇଛି ଏମ୍ବିବିଏସ୍ ନାମ ଲେଖା। ରାଜ୍ୟରେ ପ୍ରାୟ ୧୪୦୦ଟି ସିଟ୍ ଅଛି। ଏଥିରୁ ସରକାରୀ କଲେଜରେ ୧୦୫୦ଟି ଥିବା ବେଳେ ବେସରକାରୀ କଲେଜରେ ୩୫୦ଟି ସିଟ୍ ଅଛି। କିନ୍ତୁ ଏଥିରେ ନାମ ଲେଖାଇବା ପାଇଁ ଓଡ଼ିଶାରୁ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ନିଟ୍ ର୍ୟାଙ୍କ ପାଇଛନ୍ତି। ରାଜ୍ୟର ମେଡିକାଲ କଲେଜଗୁଡ଼ିକରେ(ଡିମ୍ଡ ବିଶ୍ୱବିଦ୍ୟାଳୟକୁ ବାଦ୍ ଦେଇ) ଥିବା ସିଟ୍ରୁ ୧୫% ସର୍ବଭାରତୀୟ କୋଟାରେ ପୂରଣ ହୋଇଥିବା ବେଳେ ବାକି ସିଟ୍ ପାଇଁ ଏବେ କାଉନସେଲିଂ ଚାଲିଛି। ରାଜ୍ୟରେ ଥିବା ଦୁଇଟି ଡିମ୍ଡ ବିଶ୍ୱବିଦ୍ୟାଳୟ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓ କିମ୍ସରେ ସ୍ୱଚ୍ଛ ଉପାୟରେ ନାମ ଲେଖାଇବା ପାଇଁ ମେଡିକାଲ୍ କାଉନସେଲିଂ କମିଟି କାଉନସେଲିଂ କରୁଛି। ବିଭିନ୍ନ ପର୍ଯ୍ୟାୟରେ କାଉନସେଲିଂ ଶେଷ ହେବା ପରେ ବଳକା ପଡ଼ିଥିବା ସିଟ୍ ଡିମ୍ଡ ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରାଯିବ। ସେଥିରେ ଅଗଷ୍ଟ ୨୭ରୁ ୩୧ ମଧ୍ୟରେ ମେରିଟ୍ ବେସିସ୍ରେ ନାମ ଲେଖା ହେବ। କିନ୍ତୁ ଏବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମନପସନ୍ଦର ମେଡିକାଲ କଲେଜରେ ନାମ ଲେଖାଇଦେବା ପାଇଁ ବୁଲୁଛନ୍ତି ର୍ୟାକେଟ୍। ଦଲାଲ୍ମାନେ ରେଡିଓ, ଟିଭିରେ ବିଜ୍ଞାପନ ଦେବା ସହ ମୋବାଇଲ୍କୁ ମେସେଜ୍ ପଠାଇ ଡାକୁଛନ୍ତି। କୌଣସି ପରିସ୍ଥିତିରେ ବି ମନପସନ୍ଦର କଲେଜରେ ସିଟ୍ ଦେବାର ସୁଯୋଗ ନଥିବାବେଳେ ଦଲାଲ୍ମାନେ କିନ୍ତୁ ନାମ ଲେଖାଇ ଦେବେ କହି ଏବେ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି। ଏହିଭଳି ଜଣେ ଦଲାଲ୍କୁ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୁଲିସ ଗିରଫ କରିଥିଲେ ହେଁ ଏହି ର୍ୟାକେଟ୍ ଉପରେ କିଛି ପ୍ରଭାବ ପଡ଼ିନି। ଶହ ଶହ ଅଭିଭାବକ/ଛାତ୍ରଛାତ୍ରୀ ଠକେଇର ଶିକାର ହେବାର ସମ୍ଭାବନା ଥିବାରୁ ଆମ ମୋବାଇଲକୁ ଆସିଥିବା ଏକ ମେସେଜ୍ରୁ ନମ୍ବର ଲଗାଇ ଏହି ର୍ୟାକେଟ୍ କିପରି କାମ କରୁଛି ସେନେଇ ‘ସମ୍ବାଦ’ର ଅନୁସନ୍ଧାନ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେ ଏଭଳି ଜଣେ ଦଲାଲଙ୍କ ମୋବାଇଲ ୯୦୯୦…କୁ ଫୋନ କରିଥିଲୁ: ‘ହେଲୋ। ମୋ ପୁତୁରା ଏମ୍ବିବିଏସ୍ରେ ନାମ ଲେଖାଇବ। କେତେ ଟଙ୍କା ପଡ଼ିବ? ବାର୍ଷିକ ପ୍ୟାକେଜ୍ କେତେ ରହୁଛି? କେମିତି କ’ଣ ହେବ ଟିକେ କହିବେ।’ ସେପଟୁ ଉତ୍ତର ମିଳିଲା ‘କିଏ କହୁଥିଲେ?’
‘କହିଲି ଭୁବନେଶ୍ୱରରୁ କହୁଥିଲି। ଜଣେ ଅଭିଭାବକ। ପୁତୁରା ଏଥର ଯୁକ୍ତ୨ ପାସ୍ କରିଛି। ନିଟ୍ରେ ଭଲ ର୍ୟାଙ୍କ ମିଳିନି। ହେଲେ ଆମ ଇଚ୍ଛା ସେ ଡାକ୍ତର ହେଉ। କେଉଁ କଲେଜରେ ନାମ ଲେଖାଇ ହେବ?’
ଉତ୍ତରରେ ବ୍ୟକ୍ତି ଜଣକ କହିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ। ମେଡିକାଲ ପଢ଼ିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିପାରିବେ? କେଉଁଠି ପଢ଼ାଇବାକୁ ଚାହୁଛନ୍ତି? ଓଡ଼ିଶାରେ ନା ଓଡ଼ିଶା ବାହାରେ? ନିଟ୍ରେ ମାର୍କ କେତେ ରହିଛି? ଓଡ଼ିଶାରେ ଏମ୍ବିବିଏସ୍ କଲେ ବଜେଟ୍ ଅଧିକ ରହିବ। ଓଡ଼ିଶା ବାହାରେ କମ୍।
ଆମେ କହିଥିଲୁ ଓଡ଼ିଶା ଭିତରେ କେଉଁଠି ହୋଇପାରିବ। ସେ ଉତ୍ତରରେ ଭୁବନେଶ୍ୱରର ଦୁଇଟି ନାମକରା କଲେଜ ନାଁ କହିଲେ। ସେଠାରେ ଆରାମରେ ନାମଲେଖା ହୋଇପାରିବ ବୋଲି ଆଶ୍ୱାସନା ମଧ୍ୟ ଦେଇଥିଲେ। କିନ୍ତୁ ଫି’ ଅଧିକ ରହିବ। ଗୋଟିଏରେ ବର୍ଷକୁ ୧୮ ଲକ୍ଷ ଏବଂ ଅନ୍ୟଟିରେ ବର୍ଷକୁ ଫି’ ୧୨ ଲକ୍ଷ। ଏମିତିରେ ୬୦ରୁ ୭୦ ଲକ୍ଷ। ଏହା ବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ମିଶି ୯୦ ଲକ୍ଷ ଟାର୍ଗେଟ୍ ରଖନ୍ତୁ।
ଖାଲି ସେତିକି ନୁହେଁ। ସମ୍ପୃକ୍ତ ବ୍ୟକ୍ତିଙ୍କ ଉତ୍ତର ଥିଲା, ଯଦି ଓଡ଼ିଶାରେ ପଇସା ଖର୍ଚ୍ଚ କରିପାରିବେ ନାହିଁ, ତେବେ ବିଦେଶରେ ବି କରାଇଦେବୁ। ମାତ୍ର ୨୦ରୁ ୨୫ ଲକ୍ଷରେ ଏମ୍ବିବିଏସ୍ ଡିଗ୍ରି ପାଇଯିବେ। ଏପରିକି ବିଦେଶରୁ ପାସ୍ କରିବା ପରେ ଏମ୍ସିଆଇ ଦ୍ୱାରା କରାଯାଉଥିବା ସ୍କ୍ରିନିଂ ଟେଷ୍ଟରେ ପାସ୍ କରାଇଦେବୁ। ସେ ଟେନସେନ୍ ନିଅନ୍ତୁନି। ସେତେବେଳେ ଯାହା ୪/୫ଲକ୍ଷ ଟଙ୍କା ଦରକାର ଦେଲେ ସବୁ ହୋଇଯିବ।
ଦ୍ୱିତୀୟ ଦିନ ସମ୍ପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ଆମକୁ ଡାକିବାରୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ। ଖଣ୍ଡଗିରି ଅଞ୍ଚଳରେ ଥିବା ଏହି ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିବା ପରେ ବି ସେହି ଏକା କଥା କହିଥିଲେ। ଭୁବନେଶ୍ୱରର ଉକ୍ତ ଦୁଇ କଲେଜରେ ନାମ ଲେଖାଇ ଦେବେ ବୋଲି କହିଥିଲେ। ଏହା ସହ କହିଥିଲେ, ଏଠାରେ ଯଦି ଅଧିକ ଟଙ୍କା ହୋଇଯାଉଛି ବୋଲି ଭାବୁଛନ୍ତି ତେବେ ଫିଲିପାଇନ୍ସରେ ଏମ୍ବିବିଏସ୍ କଲେ ୫ ବର୍ଷରେ ୨୫ ଲକ୍ଷ ମଧ୍ୟରେ ଖର୍ଚ୍ଚ ହେବ। ବାହାରେ ଏମ୍ବିବିଏସ୍ ପଢ଼ିବାକୁ ଏବେ ସୁଦ୍ଧା ଆମେ ୧୭ ଜଣ ସର୍ଟ ଲିଷ୍ଟ ହୋଇଛନ୍ତି। ସିଟ୍ କମ୍ ଅଛି। ପଞ୍ଜୀକରଣ କଲେ ଆମକୁ ଅଗଷ୍ଟ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ହେବ। ଏହା ଏକ ଉଦାହରଣ ମାତ୍ର। ରାଜଧାନୀରେ ଏଭଳି ଢ଼ଙ୍ଗରେ ଏବେ ଚାଲିିଛି ଠକେଇ। ଏଥିପାଇଁ ୫ରୁ ୬ଟି ସଂସ୍ଥା ଖୋଲି ବସିଛନ୍ତି। ଗୋଟିଏ ପଟେ ମେଡିକାଲ କଲେଜରେ ନାମଲେଖା ଚାଲିଛି। ଆଉ ଅନ୍ୟ ପଟେ ସହରରେ କାୟା ମେଲାଇ ଚାଲିଛନ୍ତି ସିଟ୍ ଦଲାଲ। ପ୍ରଥମେ ଅଭିଭାବକଙ୍କ ନିକଟକୁ ମ୍ୟାସେଜ୍ ପଠାଉଛନ୍ତି। ଯେଉଁମାନଙ୍କର ନାମଲେଖାଇବାର ଅଛି ସେମାନଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ କିଛି ଅର୍ଥ ବି ନେଉଛନ୍ତି। ଆଉ କିଛି ଅର୍ଥ ନେବା ପରେ ଦଲାଲମାନେ ଛୁ ମାରୁଛନ୍ତି। ନା ଦେଖିବାକୁ ମିଳୁଛି ସଂସ୍ଥାର କାର୍ଯ୍ୟାଳୟ ନା କୌଣସି କର୍ମଚାରୀ। କେହି ବି ନାହାନ୍ତି। ଆଉ ଅଭିଭାବକ ମୁଣ୍ଡରେ ହାତ ଦେଇ ବସୁଛନ୍ତି। ପ୍ରତିବର୍ଷ ଏହି ଠକେଇ ହେଉଥିଲେ ହେଁ ଏହା ଉପରେ ରୋକ୍ ଲାଗିପାରୁନି।
ସୂଚନାଯୋଗ୍ୟ, ଠକାମିର ଶିକାର ହୋଇଥିବା ନବରଙ୍ଗପୁରର ପ୍ରହ୍ଲାଦ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ୪ ଦିନ ତଳେ କମିସନରେଟ୍ ପୁଲିସ ଜଣେ ଦଲାଲଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅଭିଯୁକ୍ତ ଜଣକ ପ୍ରହ୍ଲାଦଙ୍କ ଝିଅଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ନାମ ଲେଖାଇଦେବାକୁ କହି ୩୦ ଲକ୍ଷ ଟଙ୍କା ନେଇଥିଲେ। ବଦଳରେ ଯେଉଁ ନାମଲେଖା ପତ୍ର ଦେଇଥିଲେ ତାହା ନକଲି ବୋଲି ପରେ ଜଣାପଡ଼ିଥିଲା। ଏହାପରେ ପ୍ରହ୍ଲାଦଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ପ୍ରହ୍ଲାଦ କହିଛନ୍ତି ଯେତିକି ଟଙ୍କା ଯାଇଥିଲା ତାହା ଫେରିପାଇଛି। ତା’ ଭିତରେ ଆଉ ପଶିବାକୁ ଚାହୁଁନି।