ଆଦିବାସୀ ଛାତ୍ରୀଙ୍କ କୁମାରୀ ମାତୃତ୍ବ : ହ‌େ‌ଷ୍ଟଲ୍‌ ଶୌଚାଳୟରେ ପ୍ରସବ

ଦାରିଙ୍ଗିବାଡ଼ି ଅଶାନ୍ତ, ୩ ଘଣ୍ଟା ରାସ୍ତାରୋକ, ୬ ବହିଷ୍କୃତ, ୩ ନିଲମ୍ବିତ, ଅଭିଯୁକ୍ତ ଛାତ୍ର ଗିରଫ

ଦାରିଙ୍ଗବାଡ଼ି/ଫୁଲବାଣୀ : କନ୍ଧମାଳର ଦାରିଙ୍ଗିବାଡ଼ି ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚବିଦ୍ୟାଳୟ ହଷ୍ଟେଲ୍‌ ଶୌଚାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ କରିଛନ୍ତି। ଏହିଭଳି ଏକ ଲଜ୍ଜାଜନକ ଓ ସମ୍ବେଦନଶୀଳ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିପକାଇଛି। ଏହି ଘଟଣା ପ୍ରଘଟ ହେବା କ୍ଷଣି ଉତ୍ତ୍ୟକ୍ତ ଲୋକେ ଓ ଅଭିଭାବକ ୩ ଘଣ୍ଟାରୁ ଅଧିକ ସମୟ ଧରି ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାରେ ୬ ଜଣ କର୍ମଚାରୀଙ୍କୁ ବହିଷ୍କାର, ୩ ଜଣଙ୍କୁ ନିଲମ୍ବିତ କରାଯାଇଥିବାବେଳେ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଭୋର୍‌ ୪ଟା ସମୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀ ଜଣକ ହଷ୍ଟେଲ ଶୌଚାଳୟରେ ଏକ କନ୍ୟାସନ୍ତାନ ଜନ୍ମଦେଇଥିବା ଖବର ପ୍ରଚାରିତ ହୋଇଥିଲା। ଏହା ପ୍ରଘଟ ହେବା କ୍ଷଣି ଭୋରରୁ ହିଁ ଦାରିଙ୍ଗବାଡ଼ି ଓ ଗ୍ରୀନବାଡ଼ି ଗ୍ରାମର ଶତାଧିକ ଅଭିଭାବକ ସେଠାରେ ପହଞ୍ଚି ପାଟିତୁଣ୍ଡ ଆରମ୍ଭ କରିଥିଲେ।

କିଛି ଅଭିଭାବକ ପ୍ରଧାନଶିକ୍ଷୟିତ୍ରୀଙ୍କ ଘର ଆଗରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାରିଙ୍ଗବାଡ଼ି ଥାନା ଅଧିକାରୀ ଅଲେଖ ଗରଡ଼ିଆ ସଦଳବଳ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ଘର ଭିତରୁ ମୁକୁଳାଇ ଥାନାକୁ ଆଣିଥିଲେ। ଏହା ପ‌େର ଲୋକେ ଅଧିକ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ।

ସେମାନେ ଦାରିଙ୍ଗବାଡ଼ି ଚାରିଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବାଲିଗୁଡା ଏସଡିପିଓ ନୀତିନ କୁଶଲକର ଦାଗଡୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ପ୍ରତି ମାସରେ ଛାତ୍ରୀ ନିବାସରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବାବେ‌େଳ ଛାତ୍ରୀ ଜଣକ ଗର୍ଭବତୀ ଥିବା ବିଦ୍ୟାଳୟ କର୍ମଚାରୀ କିଭଳି ଜାଣିପାରିଲେ ନାହିଁ ବୋଲି ଅଭିଭାବକ ପ୍ରଶ୍ନ କରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରି ଜିଲ୍ଲା ପ୍ରଶାସନ ଆବାସିକ ବିଦ୍ୟାଳୟର ସହକାରୀ ପରିଚାଳିକା ଅଶାରାଣୀ ମିଶ୍ର, ନକ୍ଷତ୍ରମାଳା ସାହୁ ଓ ଜ୍ୟୋତ୍ସ୍ନା ନାୟକଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ଛାତ୍ରୀନିବାସର ଦୁଇଜଣ ମ୍ୟାଟ୍ରନ ସୌଦାମିନି ସିଂ ଓ ମଞ୍ଜୁଳା ଦିଗାଲ, ୨ଜଣ ସିସିଏ ରଶ୍ମିତା ପ୍ରଧାନ ଓ ସୁମିତ୍ରା ମାଝୀ, ଏଏନଏମ ଶୈବାଳିନୀ ପ୍ରଧାନ ଓ ୱାର୍ଡ଼େନ ଲତା ପ୍ରଧାନଙ୍କୁ ବହିଷ୍କୃତ କରାଯାଇଛି । ପ୍ରଧାଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ ପାଇଁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିଛନ୍ତି। ୧୦ ଦିନ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ଡା.ବୃନ୍ଦା ଡି’ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସେହିପରି ଏ ନେଇ ଦାରିଙ୍ଗବାଡି ଥାନାରେ କେସ ନମ୍ବର ୪ ଅନୁସାରେ ଏକ ମାମଲା ରୁଜୁ କରାଯିବା ସହ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ତଥା ଯୁକ୍ତ ତିନି ଛାତ୍ର ଶ୍ରାବଣ କୁମାର ପ୍ରଧାନକୁ ଗିରଫ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର