ତିନି ଜିଲ୍ଲା ଗସ୍ତରେ ୫-ଟି ସଚିବ : ‘ମୋ ସରକାର’ କାର୍ଯ୍ୟକ୍ରମରେ ରୋଗୀ ସେବାକୁ ପ୍ରାଧାନ୍ୟ

ତିନି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବୁଲିଲେ

ମାଲକାନଗିରି/ କୋରାପୁଟ/ ନବରଙ୍ଗପୁର : ‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ଏବଂ ୫-ଟିକୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି, ଆଜି ଏହିସବୁ ଜିଲ୍ଲା ଗସ୍ତ କରି ତାହାର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ତାଙ୍କ ସହିତ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ମଧ୍ୟ ଏହିସବୁ ଜିଲ୍ଲା ଗସ୍ତ କରିଛନ୍ତି।

ତିନି ସଚିବ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ୱାର୍ଡ ପରିଦର୍ଶନ କରି ରୋଗୀଙ୍କ ସହ କଥାବାର୍ତା କରିଥିଲେ। ରୋଗୀ ସେବା ସଂପର୍କରେ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ହସ୍ପିଟାଲର ଏସଏନସିୟୁ, ଆଇସିୟୁ କିଭଳି ପରିଚାଳିତ ହେଉଛି ତାହାର ତଦାରଖ କରିଥିଲେ। ମୋ ସରକାର ଯୋଜନା ତୃଣମୂଳ ସ୍ତରରେ କିଭଳି ଲୋକଙ୍କ ନିକଟରେ ପହଞ୍ଚୁଛି ତାହାର ଯାଞ୍ଚ କରିଥିଲେ। ମାଲକାନଗିରିରୁ ଫେରି ଏହି ସଚିବମାନେ କୋରାପୁଟରେ ପହଞ୍ଚିବା ପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିଦର୍ଶନରେ ଯାଇଥିଲେ। ମେଡିକାଲ କଲେଜର ବିଭିନ୍ନ ୱାର୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ସଠିକ୍ ଚିକିତ୍ସା ହେଉଛି ନା ନାହିଁ, ଔଷଧ ମିଳୁଛି ନା ନାହିଁ, ଡାକ୍ତରଙ୍କ ଠାରୁ ସିଠିକ୍ ପରାମର୍ଶ ମିଳୁଛି ନା ନାହିଁ ଆଦି ରୋଗୀଙ୍କୁ ପଚାରି ବୁଝିଥିଲେ। ଅପରାହ୍ନରେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରି ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ।

ଏହାପରେ ତିନି ପ୍ରମୁଖ ପ୍ରଶାସକ ନବରଂଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିଥିଲେ। ସେଠାରେ ସେମାନେ ଅସ୍ତ୍ରୋପଚାର ଗୃହ, ଏସଏନସିୟୁ, ଆଇସିୟୁ, କେମୋ ଥେରାପି କେନ୍ଦ୍ର, ଡାଇଲିସିସ୍ କେନ୍ଦ୍ର ଓ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ସ୍ବାସ୍ଥ୍ୟସେବା ନେଇ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ସଚିବ ପାଣ୍ଡିଆନ ରୋଗୀଙ୍କୁ ଯେଭଳି ସରକାରୀ ଔଷଧ ମିଳିପାରିବ ସେଥିନେଇ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ଔଷଧ ଡାକ୍ତରଖାନାରେ ଉପଲବ୍ଧ ନାହିଁ ସେହି ଔଷଧକୁ ମେଡିକାଲ ଅର୍ଥରେ କିଣାଯାଇ ରୋଗୀଙ୍କୁ ଯୋଗାଇବାକୁ ପରାମର୍ଶ ଦେଇଥିଲେ।

ଫିଙ୍ଗିଦେଲେ ରୋଗୀଙ୍କ ଲୁଗା

ମାଲକାନଗିରି : ୫-ଟି ସଚିବ ପାଣ୍ଡିଆନ ମାଲକାନଗିରି ଆସିବେ ବୋଲି ଦୁଇ ଦିନ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ପ୍ରଶାସନ। ସ୍ବାସ୍ଥ୍ୟ ବିଭାଗକୁ ବି ମେଡିକାଲ ପରିସର ସଫା କରିବାକୁ ନିର୍ଦେଶ ଦିଆଯାଇଥିଲା। କୌଣସି ତ୍ରୁଟି ଯେମିତି ହେବ ନାହିଁ ସେଥିପାଇଁ ସର୍ତକ ରହିବାକୁ ସମସ୍ତଙ୍କୁ କୁହାଯାଇଥିଲା। କିନ୍ତୁ ସଚିବଙ୍କ ଗସ୍ତର ଗୋଟିଏ ଘଣ୍ଟା ପୂର୍ବରୁ ସବୁ ଓଲଟ ପାଲଟ ହୋଇଗଲା। ରୋଗୀଙ୍କ ସଂପର୍କୀୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ମେଡିକାଲ କର୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କାରଣ ହେଲା ସେମାନେ ବାହାରେ ଶୁଖାଇଥିବା ପିନ୍ଧା ଲୁଗାକୁ ମେଡିକାଲ କର୍ମଚାରୀ ଅଳିଆ ବୋଲି ଫିଙ୍ଗି ଦେଇଥିଲେ। ଯାହାକୁ ନେଇ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିବା ବି ଦେଖିବାକୁ ମିଳିଥିଲା। ଶେଷରେ ବାଧ୍ୟ ହୋଇ ମେଡିକାଲ କର୍ତୃପକ୍ଷ ରୋଗୀଙ୍କ ସଂପର୍କୀୟଙ୍କୁ ବୁଝାସୁଝା କରିଥିଲେ। ଏନେଇ ସିଡିଏମ୍ଓ ଅଜୟ କୁମାର ବୈଠାରୁଙ୍କୁ ପଚରାଯିବାରୁ ଏମିତି କିଛି ଅଭିଯୋଗ ତାଙ୍କ ନିକଟକୁ ଆସିନାହିଁ। ଯଦି ଏମିତି କିଛି ହୋଇଛି, ତେବେ ତାହା ହେବାର ନଥିଲା ବୋଲି କହି ସେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର