କୃଷି ଶିଳ୍ପର ତଣ୍ଟି ମୋଡ଼ିଦେଲେ

0 134

ଭୁବନେଶ୍ୱର : ରାଜ୍ୟର ୫ଟି ସମବାୟ ଭିତ୍ତିକ ଚିନିକଳ ମଧ୍ୟରୁ ୨ଟି ଚିନିକଳ କ୍ଷତିରେ ଚାଲିଛି। ଅବଶିଷ୍ଟ ୩ଟି ଚିନିକଳର ଦୁର୍ଦଶା ଯେତେ ଅଧିକ ଆଲୋଚନା କରାଯିବ, ସେତିକି ଯନ୍ତ୍ରଣାଦାୟକ। ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ସମବାୟ ଭିତ୍ତିକ ୬ଟି ସୂତାକଳ ଓ ୧୨ଟି କଳତନ୍ତ ସମବାୟ ସମିତି ବନ୍ଦ ରହିଛି। ଅଏଲ ଓଡ଼ିଶା ଭଳି ସଂସ୍ଥାର ଫାଟକରେ କେବେଠାରୁ ତାଲା ଝୁଲି ସାରିଲାଣି। ଆଉ ସମବାୟ ଶୀତଳଭଣ୍ଡାର କଥା ନକହିବା ଭଲ।

ଓଡ଼ିଶାର ଆର୍ଥିକ ବିକାଶ ପାଇଁ କୃଷି ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ରାଜ୍ୟରେ ବିଭିନ୍ନ ସମୟରେ ପ୍ରତିଷ୍ଠା କରାଯାଇଥିବା ସମବାୟ ଭିତ୍ତିକ ଚିନିକଳ, ସୂତାକଳ, ବୟନଶିଳ୍ପ, ଶୀତଳଭଣ୍ଡାର ଆଦିକୁ ଏମିତି ଅବସ୍ଥାରେ ଛାଡ଼ି ଦିଆଯାଇଛି। ଆଶ୍ଚର୍ଯ୍ୟଜନକ କଥା ହେଲା, ରାଜ୍ୟ ସମବାୟ ବିଭାଗ ଏସବୁର ପୁନରୁଦ୍ଧାର ପାଇଁ ଆବଶ୍ୟକ ନିଷ୍ଠା ଦେଖାଉ ନାହାନ୍ତି। କେବଳ ସେତିକି ନୁହେଁ, ନୂତନ ସମବାୟ କୃଷି ଶିଳ୍ପ ପ୍ରତିଷ୍ଠା ପାଇଁ ବି କୌଣସି ଯୋଜନା ବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯାଉନାହିଁ।

ଓଡ଼ିଶାର ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ ଯାଇ କୃଷି ଶିଳ୍ପର ବିକାଶ ସମ୍ପର୍କରେ ଅତୀତରେ ଅନେକ ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ସମୟରେ ରାଜ୍ୟରେ ୫ଟି ସମବାୟ ଭିତ୍ତିକ ଚିନିକଳ ପ୍ରତିଷ୍ଠା କରାଯାଇଥିଲା। ୧୯୬୧ ମସିହାରେ ଗଂଜାମ ଜିଲ୍ଲା ଆସିକାଠାରେ ସମବାୟ ଚିନି ଶିଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ୧୯୭୦ ମସିହାରେ ବରଗଡ଼ ଜିଲ୍ଲା ତୋରାଠାରେ ବରଗଡ଼ ଚିନି ଶିଳ୍ପ ଲିମିଟେଡ୍‌ ପ୍ରତିଷ୍ଠା ହୋଇଥିଲା। ସରକାରୀ ତଥ୍ୟ ଅନୁସାରେ, ଉଭୟ ଚିନିକଳ ଏବେ ଘୋର ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି। ସ୍ଥିତି ଏତେ ସାଂଘାତିକ ଯେ ଏମାନେ ଏକ ଲାଭଜନକ ସଂସ୍ଥାରେ ପରିଣତ ହେବା କାଠିକର ପାଠ ହୋଇପଡ଼ିଛି।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ସାଗରପାଲିଠାରେ ୧୯୯୧-୯୩ ମସିହାରେ ସ୍ଥାପନ ହୋଇଥିଲା ଆଉ ଏକ ଚିନିକଳ। ୨୦୦୫ ମସିହାରେ ବିଜୟାନନ୍ଦ ସମବାୟ ଚିନିକଳ ଲିମିଟେଡ ଏହାକୁ କିଣିନେଲେ। ୨୦୧୩-୧୪ ପର୍ଯ୍ୟନ୍ତ ଏ ଶିଳ୍ପ ଚାଲୁଥିଲା। ପରବର୍ତ୍ତୀ ସମୟରେ ଏହି ଶିଳ୍ପ ସଂସ୍ଥା ମାମଲା ଭିତରେ ଛନ୍ଦି ହୋଇଗଲା ଓ ଆବଶ୍ୟକ ପରିମାଣର ଆଖୁ ନମିଳିବା ତଥା ସାମଗ୍ରିକ କ୍ଷତି ହେତୁ ଏଥିରେ ଏବେ ତାଲା ପଡ଼ିଛି। କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ସୁନାପାଳଠାରେ ପ୍ରତିଷ୍ଠିତ ବଡ଼ମ୍ବା ଚିନିକଳ ଓ ନୟାଗଡ଼ ଜିଲ୍ଲା ପାଣିପୋଇଲାଠାରେ ପ୍ରତିଷ୍ଠିତ ନୟାଗଡ଼ ସମବାୟ ଚିନିକଳର ସଂପତ୍ତି ଓ ବ୍ୟାବସାୟିକ ପରିଚାଳନାର କ୍ରୟ ଓ ବିକ୍ରୟ ଚୁକ୍ତିନାମା ହୋଇଛି। ଦୁଇଟି ଘରୋଇ ସଂସ୍ଥା ଯଥା ଲକ୍ଷ୍ମୀପତି ବାଲାଜୀ ସୁଗାର ଓ ଡିଷ୍ଟିଲାରି ପ୍ରାଇଭେଟ ଲିମିଟେଡ ଓ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଲିମିଟେଡ୍‌ ଯଥାକ୍ରମେ ୨୦୦୫ ଓ ୨୦୦୪ ମସିହାରୁ ଏହାର ଦାୟିତ୍ୱ ନେଇଥିଲେ। ମାତ୍ର ଲକ୍ଷ୍ମୀପତି ବାଲାଜୀ ସୁଗାର ମିଲ୍‌ରେ ଆଖୁ ପେଡା ବନ୍ଦ ରହିଛି, ନୟାଗଡରେ କଷ୍ଟେ ମଷ୍ଟେ ତିନି ମାସ ପେଡାଯାଉଛି ଆଖୁ।

ଅନ୍ୟପକ୍ଷରେ ବରଗଡ଼ ତୋରାଠାରେ ଥିବା ଓଡ଼ିଶା ବୁଣାକାର ସମବାୟ ସୂତାକଳ ଲିମିଟେଡ୍‌, ଢେଙ୍କାନାଳର କଳିଙ୍ଗ ବୁଣାକାର ସମବାୟ ସୂତାକଳ ଲିମିଟେଡ୍‌, ବାଲେଶ୍ୱର ଜିଲ୍ଲାର ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ ଲିମିଟେଡ୍‌, ଜଗତସିଂହପୁରର ଶ୍ରୀ ସାରଳା ବୁଣାକାର ସମବାୟ ସୂତାକଳ ଲିମିଟେଡ୍‌, କଟକ ଆଠଗଡ଼ର ଶ୍ରୀ ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଲିମିଟେଡ୍‌ ଏବଂ ଖୋର୍ଧାସ୍ଥିତ ଉତ୍କଳ ବୁଣାକାର ସମବାୟ ସୂତାକଳ ଲିମିଟେଡ୍‌ରେ କାହିଁ କେବେଠାରୁ ତାଲା ପଡ଼ିଯାଇଛି। ଏସବୁ ଅଞ୍ଚଳରେ କିନ୍ତୁ ଅତ୍ୟାଧୁନିକ ସମବାୟ ସୂତାକଳ ବସାଇ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ଆଖିବୁଜି ଦିଆଯାଇଛି।

କଳତନ୍ତ ସମବାୟ ସମିତିକୁ ମଧ୍ୟ ମାରି ଦିଆଯାଇଛି। ୧୯୫୮ ମସିହାରେ କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହୋଇଥିବା ଶ୍ରୀ ବଳଦେବଜୀଉ କଳତନ୍ତ ସମବାୟ ସମିତି ହେଉ କି ୧୯୮୮ ମସିହାରେ ଭବାନୀପାଟଣାରେ ସ୍ଥାପିତ ମାଣିକେଶ୍ୱରୀ କଳତନ୍ତ ସମବାୟ ସମିତି ଲିମିଟେଡ୍‌, ଅଥବା ବାରିପଦା, ଖୋର୍ଧା, ବ୍ରହ୍ମପୁର, ଛତିଆ, ରାହାମା, ଆଠଗଡ଼, ବରଗଡ଼, ଢ଼େଙ୍କାନାଳ, ସୁନ୍ଦରଗଡ଼ କିମ୍ବା କଟକସ୍ଥିତ ପ୍ରକଳ୍ପ, ଏସବୁ ଆଉ ଖୋଲିବ, ଏ ବିଶ୍ୱାସ ଆଉ କାହାର ନାହିଁ।

ଆଜି ଦିନରେ ରାଜ୍ୟ ରାଜନୀତିରେ ଏ ଅଞ୍ଚଳକୁ ବହୁ ପ୍ରତିଷ୍ଠିତ ନେତାମାନେ ପ୍ରତିନିଧିତ୍ୱ କରୁଥିଲେ ହେଁ ଏସବୁ ଶିଳ୍ପର ପୁନରୁଦ୍ଧାର ଲାଗି କେବେ ଆଗ୍ରହ ଦେଖାଇନାହାନ୍ତି। ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଘଟିଛି ଏବଂ ଏହାକୁ ପାଥେୟ କରି ଅନ୍ୟ ରାଜ୍ୟମାନେ ବ୍ୟାପକ ନିଯୁକ୍ତି ସାଉଁଟୁଥିବା ବେଳେ ଆମ ରାଜ୍ୟରେ କିନ୍ତୁ ଏଭଳି ସମ୍ଭାବନାକୁ କବର ଦିଆଯାଇଛି।

ଓଡ଼ିଶାରେ କୃଷି ଶିଳ୍ପକୁ ହତ୍ୟା କରିବା ଲାଗି ଯେଉଁ ଷଡ଼ଯନ୍ତ୍ର ହୋଇଛି, ତା’ ପ୍ରଭାବରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ସ୍ଥାପିତ ହୋଇଥିବା ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ଅଏଲ ସିଡ୍‌ସ ଗ୍ରୋୟର୍ସ ଫେଡେରେସନ୍‌ ଲିମିଟେଡ୍‌ ବା ଅଏଲ ଓଡ଼ିଶା ବର୍ତ୍ତିପାରିନାହିଁ। ୧୯୮୨ ମସିହାରେ ଏଭଳି ଏକ ଶିଳ୍ପର ପରିକଳ୍ପନା କରାଗଲା, ଯାହା ଅଳ୍ପ କେତେ ବର୍ଷ ମଧ୍ୟରେ ଏକ ଶୀର୍ଷ ସମବାୟ ତେଲ ଶିଳ୍ପ ସଂସ୍ଥାରେ ପରିଣତ ହୋଇଥିଲା। ଏହାକୁ ମଧ୍ୟ ଅଚଳ କରିଦିଆଗଲା। ଏହି ସଂସ୍ଥା ଅଧୀନରେ ଖୋର୍ଧା ମୁକୁନ୍ଦପ୍ରସାଦରେ ଏକ ସେଣ୍ଟ୍ରାଲ ଅଏଲ ମିଲ୍‌ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯାଇଥିଲା ଯାହା ଖାଇବା ତେଲ ପ୍ରସ୍ତୁତ କରୁଥିଲା। ଏହାର ପୁନଃ କାର୍ଯ୍ୟକ୍ଷମ ସମ୍ଭବ ନୁହେଁ ବୋଲି ସରକାର ହାତ ଟେକିଦେଇଛନ୍ତି। ଏଭଳି ଅନ୍ୟ ସଂସ୍ଥା ସୃଷ୍ଟି କରିବା ଲାଗି ମଧ୍ୟ ଆଉ ଆଗ୍ରହ ଦେଖାଉନାହାନ୍ତି ସରକାର।

ସବୁଠାରୁ ବିସ୍ମୟର କଥା ହେଉଛି, ରାଜ୍ୟରେ ୧୮ଟି ସମବାୟ ଶୀତଳ ଭଣ୍ଡାର ମଧ୍ୟରୁ ୫ଟି ମାତ୍ର ସଚଳ ରହିଛି। ଏହାର ମୋଟ ସଂରକ୍ଷଣ କ୍ଷମତା ମାତ୍ର ୧୮୫୦ ଟନ୍‌। ଅନ୍ୟଗୁଡ଼ିକ ଅଚଳ ହୋଇ ରହିଛି ବୋଲି ନିକଟରେ ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗୋଟିଏ ପଟେ ରାଜ୍ୟ ସରକାର ଚାଷ ଓ ଚାଷୀର ବିକାଶ କଥା କହୁଛନ୍ତି। ସ୍ୱତନ୍ତ୍ର କୃଷି ବଜେଟ ଓ କୃଷି କ୍ୟାବିନେଟ୍‌ କଥା କହୁଛନ୍ତି। ଅଥଚ କୃଷି ଶିଳ୍ପ ସଂସ୍ଥା ଗୁଡ଼ିକର ତଣ୍ଟି ମୋଡ଼ି ଦେଇଛନ୍ତି। ଏହା ଦ୍ୱାରା ଚାଷୀ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କେବଳ କ୍ଷତି ସହୁଛି ତା’ ନୁହେଁ, କୃଷିକୁ ଆୟୁଧ କରି ଯେତିକି ନିଯୁକ୍ତି ସୃଷ୍ଟି କରାଯାଇପାରନ୍ତା, ତାହା ବି ସମ୍ଭବ ହେଉନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.