୨୩ ବର୍ଷ ପରେ ଫେରାର ଅଭିଯୁକ୍ତକୁ ଗିରଫ କଲା ସିବିଆଇ, ସିବିଆଇ ହାଜତରୁ ମାରିଥିଲା ଚମ୍ପଟ

ଟମ୍‌କା ଶ୍ରମିକ ସଂଘ ନେତାଙ୍କୁ ଅପହରଣ ଓ ହତ୍ୟା ଘଟଣା

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଟମ୍‌କା ଥାନା ଅଧୀନରେ ଘଟିଥିବା ବହୁ ଚର୍ଚିତ ଶ୍ରମିକ ସଂଘ ନେତା ସମ୍ପଦ ରାଉତଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ। ତା ନାଁ ଗଜେନ୍ଦ୍ର ମହନ୍ତ ଓରଫ ଗଜିଆ। ଘର ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଧୀନ ରାମଗୁଡ଼ିଆରେ। ଆଜି ତାକୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି। ଗଜିଆ ୨୩ ବର୍ଷ ତଳେ ସିବିଆଇ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ହାଜତ ଭିତରୁ ଚମ୍ପଟ ହୋଇ ଯାଇଥିଲା। ଦୀର୍ଘ ଦିନ ପର୍ଯ୍ୟନ୍ତ ଫେରାର ରହିବା ଫଳରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାକୁ ପଳାତାକ ଘୋଷଣା କରି ତାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ମଧ୍ୟ କରିଥିଲା। ଗଜିଆକୁ ଗିରଫ କରିବା ଲାଗି ସିବିଆଇର ଅଧିକାରୀମାନେ ସାରା ଦେଶରେ ଜାଲ ବିଛାଇ ଥିଲେ ମଧ୍ୟ ସେ ବିଭିନ୍ନ ସମୟରେ ଚକ୍‌ମା ଦେଇ ଫେରାର ହୋଇ ଯାଉଥିଲା। ଆଜି ଭୋର୍‌ରୁ ସେ ନିଜ ଘର ଯାଜପୁରକୁ ଆସୁଥିବାବେଳେ ସିବିଆଇର ଅଧିକାରୀମାନେ ତାକୁ କାବୁ କରିଥିଲେ।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଟମ୍‌କା ଥାନା ଅଧୀନରେ ସମ୍ପଦ ରାଉତଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିଲା। ଶେଷରେ ମୃତ ସମ୍ପଦଙ୍କ ପତ୍ନୀ ଅର୍ଚନା ରାଉତ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଆବେଦନ କରିଥିଲେ। ୧୯୯୪ ମସିହା ଜୁଲାଇ ମାସରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଭୁବନେଶ୍ୱର ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ୧୯୯୫ ମସିହାରେ ସିବିଆଇ ପକ୍ଷରୁ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ପରବର୍ତୀ ସମୟରେ ଗଜିଆଙ୍କ ସମେତ ଆଉ ୩ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯିବା ସହିତ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ସିବିଆଇ ହେପାଜତରେ ଥିବାବେଳେ ଗଜିଆ ଚକ୍‌ମା ଦେଇ ଫେରାର ହୋଇ ଯାଇଥିଲା। ଦୀର୍ଘ ୨୩ ବର୍ଷ ଧରି ସେ ଫେରାର ହୋଇ ଯାଇଥିଲା। ଫେରାର ଥିବାବେଳେ ସେ ହରିଆଣାର ଭିମାନୀରେ ଏକ ଫାର୍ମରେ ଚାଷ କାମ କରୁଥିଲା। ମଝିରେ ମଝିରେ ସେ ଯାଜପୁର ଆସୁଥିଲା। ଦୁଇ ଦିନ ତଳେ ସେ ନୂଆଦିଲ୍ଲୀରୁ ଉତ୍କଳ ଏକ୍ସପ୍ରେସ ଯୋଗେ ଯାଜପୁର ଆସୁଥିଲା। ଖବର ପାଇ ସିବିଆଇ ଟିମ୍‌ ତାକୁୁ ବାଲେଶ୍ୱର ଷ୍ଟେସନ୍‌ରୁ ଗିରଫ କରିଥିଲା। ଆଜି ତାକୁ ଭୁବନେଶ୍ୱର ଅଣାଯାଇଥିଲା। ଏଠାରେ କ୍ୟାପିଟାଲ ହସ୍ପିଟାଲରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅପରାହ୍‌ଣରେ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧିତ ଖବର