ଗୁରୁପ୍ରିୟା ସେତୁର ସୁରକ୍ଷା ପାଇଁ ଯନ୍ତାପାଇଠାରେ ପ୍ରତିଷ୍ଠା ହେଲା ବିଏସ୍‌ଏଫ୍‌ର ନୂଆ କ୍ୟାମ୍ପ

ମାଲକାନଗିରି : ବହୁ ପ୍ରତିକ୍ଷୀତ ମାଲକାନାଗରି ଜିଲ୍ଲାର ଗୁରୁପ୍ରିୟା ସେତୁର କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଏହି ଅଞ୍ଚଳରେ ନକ୍ସଲଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଏହି ସେତୁର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି। ଏହାକୁୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ବିଏସ୍‌ଏଫ୍‌ ପକ୍ଷରୁ ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହି କ୍ୟାମ୍ପଟି ଏବେ ଯନ୍ତାପାଇଠାରେ ଖୋଲିଛି। ଏହି କ୍ୟାମ୍ପ ପାଇଁ ଯବାନ ଓ ସେମାନଙ୍କର ସାମଗ୍ରୀ ନେଇ ଯାଉଥିବା ଗାଡ଼ି ଗୁରୁପ୍ରିୟା ସେତୁ ଅତିକ୍ରମ କରି ବିଚ୍ଛିନ୍ନାଞ୍ଚଳରେ ପ୍ରତିଷ୍ଠା ହୋଇଥିବା ବିଏସ୍‌ପି କ୍ୟାମ୍ପରେ ପହଞ୍ଚିଛି।

ଏହି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବୃଦ୍ଧି ପାଉଥିବାରୁ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବିଏସ୍‌ପିର ସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା। ଗୁରୁପ୍ରିୟା ସେତୁ ସମାପ୍ତ ପରେ ଏବେ ଏହି ଅଞ୍ଚଳକୁ ସବୁ ପ୍ରକାର ଗାଡ଼ି ଯିବା ଆସିବା କରିପାରିବ। ସ୍ଥାୟୀ କ୍ୟାମ୍ପ ନିକଟରେ ଏକ ନଳକୂପ ଖୋଳିବା ପାଇଁ ସେତୁ ଦେଇ ନଳକୂପ ଖନନ ଗାଡି ବିଚ୍ଛିନ୍ନାଞ୍ଚଳକୁ ଯାଇଥିଲା। ଏହି କ୍ୟାମ୍ପ ପ୍ରତିଷ୍ଠା ପରେ ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ଚାରିପଟୁ ବିଚ୍ଛିନ୍ନାଞ୍ଚଳକୁ ଯବାନମାନେ ଘେରି ରହିବା ସହ ନକ୍ସଲଙ୍କୁ ଏହି ଅଞ୍ଚଳରେ ପଶିବାକୁ ଦେବେନାହିଁ। ଏହି କ୍ୟାମ୍ପ ଯୋଗୁଁ ବିଚ୍ଛିନ୍ନାଞ୍ଚଳର ୧୫୧ଗାଁର ପ୍ରାୟ ୩୦ହଜାର ଲୋକ ଏଥର ନିର୍ଭୟରେ ରହିପାରିବେ। ବିକାଶ ଏଠାରେ ପହଞ୍ଚିବା ସହ ନକ୍ସଲ ଦମନ ପାଇଁ ସରକାର ଏବଂ ପ୍ରଶାସନକୁ ସବୁ ଦିଗରୁ ସହଜ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର