ଭୁବନେଶ୍ୱର : କୋରାପୁଟ ଜିଲ୍ଲାରେ ‘ଚିପ୍ ସୋନା’ ନାମରେ ଏକ ନୂଆ କିସମର ଆଳୁ ଉତ୍ପାଦନ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। କୋରାପୁଟରେ ପେପସି କଂପାନୀ ନିଜର ଏକ ଆଳୁ ଚିପ୍ସ ୟୁନିଟ ସ୍ଥାପନ କରିବ। ଏ ନେଇ ରାଜ୍ୟ ସରକାର ଓ ପେପ୍ସି କଂପାନୀ ମଧ୍ୟରେ ନିକଟ ଭବିଷ୍ୟତରେ ଚୁକ୍ତିନାମା ସ୍ବାକ୍ଷର ହେବାକୁ ଯାଉଛି ରାଜ୍ୟ ଉଦ୍ୟାନ କୃଷି ନିଦ୍ଦେର୍ଶକ ଡ. ବିଜୟ କେତନ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ପରୀକ୍ଷାମୂଳକ ଭାବେ ‘ଚିପ୍ ସୋନା’ ନାମରେ ଏକ ନୂଆ କିସମ ଆଳୁ ଚାଷ ଚଳିତ ଖରିଫ ଋତୁରୁ କୋରାପୁଟ ଜିଲ୍ଲାରୁ ଆରମ୍ଭ ହୋଇଛି। କୋରାପୁଟରେ ପେପ୍ସି କଂପାନୀ ନିଜର ଏକ ଆଳୁ ଚିପ୍ସ ୟୁନିଟ ଖୋଲିବ ବୋଲି ସୂଚନା ମିଳିଛି। ଏହି ଆଳୁ କେବଳ ଚିପ୍ସ ପାଇଁ ଯୋଗ୍ୟ ବୋଲି ରାଜ୍ୟ ଉଦ୍ୟାନ କୃଷି ନିଦ୍ଦେର୍ଶକ ଡ. ଉପାଧ୍ୟାୟ ସୂଚନା ଦେଇଛନ୍ତି। ଚଳିତ ଖରିଫ ଋତୁରେ କୋରାପୁଟ ଜିଲ୍ଲାରେ ୮୦୦ ହେକ୍ଟର ଜମିରେ ‘ଚିପ୍ ସୋନା’ ଅାଳୁ ଚାଷ ହୋଇଛି। ଏହି ଆଳୁର ବିଶେଷ ଗୁଣ ହେଉଛି, ଏହା ରବି ଋତୁ ପରିବର୍ତ୍ତେ ଖରିଫ ଋତୁରେ ଅମଳ ହେବ। କୋରାପୁଟ ଜିଲ୍ଲାର ପାହାଡ଼ିଆ ଉଚ୍ଚ ଭୂମି ‘ଚିପ୍ ସୋନା’ ଆଳୁ ପାଇଁ ଉପଯୁକ୍ତ। ଯଦି କୋରାପୁଟରେ ଚିପ୍ ସୋନା ଆଳୁ ଚାଷ ସଫଳ ହୁଏ ତେବେ ଏହାକୁ ଅବିଭକ୍ତ କୋରାପୁଟର ସମସ୍ତ ଜିଲ୍ଲା ସମେତ କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଚାଷ କରାଯିବ ବୋଲି ଡ. ଉପାଧ୍ୟାୟ କହିଛନ୍ତି। କୋରାପୁଟରେ ଚିପ୍ ସୋନାର ଅମଳକୁ ଦେଖି ପେପ୍ସି କଂପାନୀ ନିଜର ଆଗାମୀ ଯୋଜନା ସଂପର୍କରେ ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି। ଯଦି ଓଡ଼ିଶାରେ ଚିପ୍ ସୋନା ସଫଳ ହୁଏ ଆଗାମୀ ଦିନରେ ପେପ୍ସି କଂପାନୀ ବ୍ୟତୀତ ହଳଦୀରାମ କଂପାନୀ ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଭିତ୍ତିରେ ଏହି ଚାଷକୁ ବ୍ୟାପକ କରିବ ବୋଲି ଡ. ଉପାଧ୍ୟାୟ ସୂଚନା ଦେଇଛନ୍ତି। ଚିପ୍ ସୋନା ବ୍ୟତୀତ ‘ଅଶୋକ’ ନାମରେ ଆଉ ଏକ ଚିପ୍ସ ଭେରାଇଟି ଆଳୁ ମଧ୍ୟ ରାଜ୍ୟରେ ଚାଷ କରାଯିବାର ଲକ୍ଷ୍ୟ ରହିଛି।