୨୩ରେ ଆନ୍ଦୋଳନକୁ ଓହ୍ଲାଇବେ ୬୬୨ ଓ ନୂତନ ପ୍ରତିଷ୍ଠିତ ମହାବିଦ୍ୟାଳୟ ଶିକ୍ଷକ ସଂଘ

ଭୁବନେଶ୍ୱର : ୯ ଦଫା ଦାବି ନେଇ ଆସନ୍ତା ୨୩ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ୬୬୨ ଓ ନୂତନ ପ୍ରତିଷ୍ଠିତ ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ। ନିଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ଶିକ୍ଷକ ସଂଘର ଆହ୍ଵାନରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ସନ୍ତୋଷ ନାରାୟଣ କହିଲେ, ସରକାରୀ ଜିଆଇଏ ନିର୍ଦେଶନାମା-୨୦୧୪କୁ ୨୦୧୭ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଉ। ଏହାସହ ପରିଚାଳନା କମିଟି ଦ୍ୱାରା ଉଭୟ +୨ ଓ +୩ କଲେଜରେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ କାର୍ଯ୍ୟଭାର ଅନୁଯାୟୀ ସରକାରୀ ସ୍ୱୀକୃତି ପ୍ରଦାନ କରାଯାଉ। ଇମ୍ପ୍ଲିମେଣ୍ଟେସନ୍‌ ଅଫ କଣ୍ଟିନ୍ୟୁଟି ପୋଷ୍ଟ ଲାଗୁ କରିବା ସହିତ ୧୯୭୭ ୟାର୍ଡଷ୍ଟିକ୍‌ ଅନୁଯାୟୀ କାର୍ଯ୍ୟଭାର ନିର୍ଧାରଣ କରାଯାଉ। ୧୯୯୪ ୟାର୍ଡଷ୍ଟିକ ଅନୁଯାୟୀ କାର୍ଯ୍ୟଭାର ନିର୍ଧାରଣ ସହିତ କନିଷ୍ଠ କିରାଣି ଓ ସହାୟକ ପଦବିଗୁଡ଼ିକରେ ସେମାନଙ୍କ କାର୍ଯ୍ୟଭାର ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଉ। ଲ୍ୟାବ ଆସିଷ୍ଟାଣ୍ଟ ପଦବିକୁ ଶିକ୍ଷକ ଭାବେ ଓ ଲ୍ୟାବ୍‌ ବିୟରର ପଦବିକୁ ସହାୟକ କର୍ମଚାରୀଭାବେ ସ୍ୱୀକୃତି ପ୍ରଦାନ କରାଯାଉ। ଲାଇବ୍ରେରି ଆଟେଣ୍ଡାଣ୍ଟ, ମହିଳା ଆଟେଣ୍ଡାଣ୍ଟ, ଜଗୁଆଳି ଓ ଚପରାସି ପଦବିଗୁଡ଼ିକର ଅନୁମୋଦନ ସହିତ ସମସ୍ତ ବିଭାଗର ଷ୍ଟୋର କିପର ପଦବିର ଅନୁମୋଦିନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପସଭାପତି ସୁକାନ୍ତ ବେହେରା, ସାଧାରଣ ସଂପାଦକ ଅଭୟ ପ୍ରଧାନ, ଦିବ୍ୟକାନ୍ତ ତ୍ରିପାଠୀ ଓ ହାରାଧନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର