୩ଟି ସହର ପାଇଁ ନୂଆ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର : ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡ୍‌ସି) ପାଣ୍ଠିରୁ ୩ଟି ଖଣିଜ ଅଞ୍ଚଳ ସହର ନିମନ୍ତେ ୪ଟି ନୂଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ସହରଗୁଡ଼ିକ ହେଲା ଝାରସୁଗୁଡ଼ା, କୋରାପୁଟ ଓ ରାଇରଙ୍ଗପୁର। ୪ଟି ଯାକ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୯୩.୬୬ କୋଟି ଟଙ୍କା। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଯାଇଛି। ଝାରସୁଗୁଡ଼ା ସହରାଞ୍ଚଳରେ ୧୩୩.୬୬ କୋଟି ଟଙ୍କା ଆକଳନରେ ପ୍ରସ୍ତୁତ ୨ଟି ପ୍ରକଳ୍ପ, କୋରାପୁଟ ସହରାଞ୍ଚଳର ୩୫ କୋଟି ଟଙ୍କା ଆକଳନରେ ଗୋଟିଏ ପ୍ରକଳ୍ପ ଏବଂ ରାଇରଙ୍ଗପୁର ପାଇଁ ୨୫ କୋଟି ଟଙ୍କା ଆକଳନରେ ଗୋଟିଏ ପ୍ରକଳ୍ପ ଅନୁମୋଦିତ ହୋଇଛି।

ବୈଠକରେ ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରସ୍ତାବିତ ପ୍ରକଳ୍ପର ଆବଶ୍ୟକତା, ପ୍ରଶାସନିକ ଓ ଆର୍ଥିକ ଦିଗ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇ ସେସବୁକୁ ଚଳିତ ଗ୍ରୀଷ୍ମ ଋତୁରେ ତ୍ୱରିତ ବେଗରେ କାର୍ଯ୍ୟାନ୍ଵୟନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଜଳକ୍ଳିଷ୍ଟ ପାହାଡ଼ିଆ ଅଞ୍ଚଳରେ ପାନୀୟ ଜଳ ଉତ୍ସ ନିମନ୍ତେ ପୋଖରୀ ଓ ଜଳାଶୟ ଆଦି ଓମ୍ବାଡ୍‌ସି ପାଣ୍ଠିରୁ ଖୋଳାଇବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହାର ବୈଷୟିକ ସମ୍ଭାବନା ଓ କାର୍ଯ୍ୟାନ୍ଵୟନ ପଦ୍ଧତ୍ତି ଆଦି ବିଷୟରେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ଓମ୍ବାଡ୍‌ସି ପାଣ୍ଠିରୁ ଖଣିଜ ଅଞ୍ଚଳ ନିମନ୍ତେ ସମୁଦାୟ ୨୪୮ଟି ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ୪୧ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ୧୪୦ଟି ପ୍ରକଳ୍ପର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଛି। ୧୯୦ଟି ପ୍ରକଳ୍ପର ଟେଣ୍ଡର୍‌ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଛି। ୩୩ଟି ପ୍ରକଳ୍ପ ନିମନ୍ତେ ନିର୍ଭରଯୋଗ୍ୟ ଦୀର୍ଘସୂତ୍ରୀ ଜଳ ଉତ୍ସ ନ ମିଳିବାରୁ ନିକଟତମ ନଦୀ ବା ଝରଣାରୁ ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥାନନ୍‌, ସ୍ୱତନ୍ତ୍ର ଶାସନ ସଚିବ ପ୍ରେମ କୁମାର ଝାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର