ସରସ୍ୱତୀଙ୍କ ବରପୁତ୍ର ଚନ୍ଦ୍ରଶେଖର ଚାଲିଗଲେ

ଭୁବନେଶ୍ୱର : ଓଡ଼ିଆ କଥା ସାହିତ୍ୟ ଜଗତର ଉତ୍ତୁଙ୍ଗ ପୁରୁଷ ସରସ୍ୱତୀଙ୍କ ବରପୁତ୍ର ଚନ୍ଦ୍ରଶେଖର ରଥ ଆଉ ନାହାନ୍ତି। ଏଥିସହ ଓଡ଼ିଆ ଗଦ୍ୟ ସାହିତ୍ୟ ଜଗତରେ ଏକ ଯୁଗର ଅବସାନ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ମାତ୍ର କେଇ ଘଣ୍ଟା ପୂର୍ବରୁ ମେଡିକାଲ୍‌ରୁ ଫେରି ଘରେ ବିଶ୍ରାମ ନେଉଥିବା ବେଳେ ଆଜି ଅପରାହ୍‌ଣ ୪ଟା ୧୫ରେ ସେ ଦେହ ଛାଡ଼ିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବାର୍ଧକ୍ୟଜନିତ କାରଣରୁ ବେଶ୍‌ କିଛି ମାସ ହେଲା ସେ ଶଯ୍ୟାଶାୟୀ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଆଇଆର୍‌ସି ଭିଲେଜ୍‌ସ୍ଥିତ (ଏନ୍‌୧ ଏ/୩୨) ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୧୯୨୯ ମସିହା ଅକ୍ଟୋବର ୧୭ ତାରିଖରେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିବା ଚନ୍ଦ୍ରଶେଖର ବିଳମ୍ବରେ ଲେଖାଲେଖି ଆରମ୍ଭ କରିଥିଲେ ହେଁ ତାଙ୍କ ସାରସ୍ୱତ ପ୍ରତିଭା ପିଲାବେଳୁ ଲୋକଲୋଚନକୁ ଆସିଥିଲା। ଦିନେ ପିଲାବେଳେ ଚନ୍ଦ୍ରଶେଖର ସାଙ୍ଗମାନଙ୍କ ଆଗରେ କିଛି ଅନର୍ଗଳ ବଖାଣୁଥିବା ଦେଖି ପଡ଼ୋଶୀ ଇନ୍ଦୁ ମାଉସୀ ତାଙ୍କ ମା’ଙ୍କୁ ଡାକି ଆଣି କହିଥିଲେ, ଏଇ ଦେଖ ମୁଁ କାନିରେ ଗଣ୍ଠି ପକେଇ ରଖୁଛି। ଏଇ ପିଲା ଦିନେ ଲେଖକ ହବ, କବି ହବ। ଏଇ କଥାକୁ ସାର୍ଥକ କରି ସତକୁ ସତ ସେ ସାରସ୍ୱତ ଜଗତରେ ପାଲଟି ଯାଇଥିଲେ ଜଣେ ପ୍ରଥିତଯଶା ରହସ୍ୟବାଦୀ ଲେଖକ। ଗଭୀର ଜୀବନ ଦର୍ଶନ ଓ ଶବ୍ଦ ସୌନ୍ଦର୍ଯ୍ୟରେ ସେ ସୃଷ୍ଟି କରିଥିଲେ ଯନ୍ତ୍ରାଋଢ଼, ଅସୂର୍ଯ୍ୟ ଉପନିବେଶ, ନବ ଜାତକ ଭଳି ଉପନ୍ୟାସ।

ଏଥିସହିତ ଲେଖନୀ ମୁନରେ ‘ଅନେକ ବନ୍ୟାପରେ’, ଅଶ୍ୱାରୋହୀର ଗଳ୍ପ, ସମ୍ରାଟ ଓ ଅନ୍ୟମାନେ, ଅନ୍ୟ ଏକ ସକାଳ, ସବୁଯାକ ସ୍ୱପ୍ନ, ବାଘ ସବାର, ଏତେ ପାଖରେ ସମୁଦ୍ର, ବିକ୍ରି ପାଇଁ ଫୁଲ ମାଳ, ସ୍ୱପ୍ନ ବାହକ, ସବୁଠାରୁ ଦୀର୍ଘ ରାତି, ଅନ୍ତିମା, ଶିଖର ଲଂଘନ, ଚନ୍ଦ୍ରଶେଖର କଥା ସରିତ, ନାଗାନ୍ତକ ବିଦ୍ୟା ଏବଂ ସନ୍ଧିକାଳ ଭଳି ଗଳ୍ପ ସଂକଳନ ସୃଷ୍ଟି କରିଥିଲେ। ‘ଦୃଷ୍ଟି ଓ ଦର୍ଶନ’ ଏବଂ ‘ରଥ ସପ୍ତକ’ ତାଙ୍କ ପ୍ରଜ୍ଞା ଓ ପ୍ରଭୁତ ଚେତନାର ପରାକାଷ୍ଠାକୁ ପ୍ରମାଣିତ କରେ। ‘ପକ୍ଷୀଗାନ, ଆଗକୁ ବନସ୍ତ, ମୋ ଘର ବହୁତ ଦୂର ଭଳି କବିତା ସଂକଳନ ବି ଥିଲା ତାଙ୍କ ସାରସ୍ୱତ ସୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ।

ଖାଲି ତାଙ୍କ କଲମ ନୁହେଁ ରଙ୍ଗବୋଳା ତୁଳୀ ଏବଂ ନିହାଣ ତାଙ୍କ ହାତ ସ୍ପର୍ଶ ପାଇ ଗଢ଼ି ଦେଇଥିଲେ ବହୁ ବିସ୍ମୟ ସୃଜନ। ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ୟାନିଂ କଲେଜରୁ ଇଂରାଜି ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ୧୯୫୨ରେ ଓଡ଼ିଶା ଶିକ୍ଷା ସେବାରେ ଯୋଗଦେଇ ଇଂରାଜୀ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରିଥିଲେ। ୧୯୮୭ରେ ଶିକ୍ଷା ବିଭାଗରୁ ଉପନିର୍ଦେଶକ ଭାବେ ଚାକିରି ଜୀବନରୁ ଅବସର ନେଇଥିଲେ। ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠା ପରିଚାଳନା ସହ ‘ସନ୍‌ ଟାଇମ୍‌ସ୍‌’ର ସମ୍ପାଦନା କରି ଢେର୍‌ ସୁନାମ ଆଣିଥିଲେ। ଜଣେ ବାଗ୍ମୀ ଭାବେ ବହୁ ବଡ଼ବଡ଼ ସଭାରେ ସଂସ୍କୃତି ଭିତ୍ତିକ ବକ୍ତତା ଦେଇ ସେ ଶ୍ରୋତାଙ୍କ ଭିତରେ ଅପୂର୍ବ ଶିହରଣ ସୃଷ୍ଟି କରୁଥିଲେ।
ଉପନ୍ୟାସ ‘ଅସୂର୍ଯ୍ୟ ଉପନିବେଶ’ ପାଇଁ ୧୯୭୩ ଏବଂ ପ୍ରବନ୍ଧ ସଂକଳନ ‘ଅଶ୍ରୁତ ସ୍ୱର’ ପାଇଁ ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମି ସମ୍ମାନ ପାଇଥିବା ବେଳେ ଗଳ୍ପ ସଂକଳନ ‘ସମ୍ରାଟ ଓ ଅନ୍ୟମାନେ’ ପାଇଁ ୧୯୮୨ରେ ସାରଳା ପୁରସ୍କାର ଏବଂ ଗଳ୍ପ ସଂକଳନ ‘ସବୁଠାରୁ ଦୀର୍ଘରାତି’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲେ। ୨୦୧୦ରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ପାଇଥିବା ବେଳେ ୨୦୦୪ରେ ‘ଯନ୍ତ୍ରାଋଢ଼’ର ଇଂରାଜି ଅନୁବାଦ କରି ‘ହଚ୍‌ କ୍ରସ୍‌ଓ୍ଵାର୍ଡ ବୁକ୍‌ ଆଓ୍ଵାର୍ଡ’ ଲାଭ କରିଥିଲେ।

 

ଶ୍ରୀ ରଥ ସେପ୍‌ସିସ୍‌ ଏବଂ ମଲ୍‌ଟି ଅର୍ଗାନ ଫେଲିଓର ଯୋଗୁଁ ଜାନୁଆରି ୧୫ରୁ ୨୨ ଏବଂ ଫେବ୍ରୁଆରି ୧ରୁ ୯ ପର୍ଯ୍ୟନ୍ତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଡାକ୍ତର ତାଙ୍କୁ ଆଜି ଅପରାହ୍‌ଣ ୩ଟାରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରିଥିଲେ। ବୋଧେ ନିଜ ଘରେ ମୃତ୍ୟୁଲୋକ ଯିବାକୁ ଇଚ୍ଛା ଥିବାରୁ, ଘରେ ପହଞ୍ଚିବାର ମାତ୍ର ଘଣ୍ଟାଏ ୧୫ ମିନିଟ୍‌ ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ହରପ୍ରସାଦ ଦାସ, ସୌମ୍ୟରଂଜନ ପଟ୍ଟନାୟକ, ଦାଶ ବେନହୁର,ଗୌରହରି ଦାସ, ବିଜୟ ନାୟକ, ଅଲେଖ ପଢ଼ିଆରୀ, ବିପିନ୍‌ ମିଶ୍ର, ଶ୍ରୀରାମ ଦାସ, ସୂର୍ଯ୍ୟ ମିଶ୍ର, ପୀତବାସ ରାଉତରାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବୃନ୍ଦ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଚାରୁବାଳା ରଥଙ୍କ ସମେତ ପୁତ୍ର ଶଶୀଭୂଷଣ ରଥ, ସପ୍ତର୍ଷି ରଥ, ଝିଅ ନିହାରିକା ପାଣିଗ୍ରାହୀ, ଜୟଶ୍ରୀ ମିଶ୍ର, ଉଷା ମିଶ୍ର, ନିବେଦିତା ଶତପଥୀ, ନାତୁଣୀ ଶତରୂପା ଶତପଥୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କର ଛାତ୍ରଛାତ୍ରୀ ଏବଂ ବନ୍ଧୁମାନଙ୍କ ଶେଷ ଦର୍ଶନ ପାଇଁ ଆଜି ଘରେ ମରଶରୀରକୁ ରଖାଯାଇଥିବା ବେଳେ ଶନିବାର ମଧ୍ୟାହ୍ନରେ ଶେଷ ଇଚ୍ଛା ମୁତାବକ ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁତ୍ର ଶଶୀଭୂଷଣ ରଥ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ଔପନ୍ୟାସିକା ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ, ପ୍ରତିଭା ଶତପଥୀ ପୌରୁଷର ସମ୍ପାଦକ ଅସିତ ମହାନ୍ତି, ଉତ୍କଳ ସାହିତ୍ୟ ସମାଜର ବିଜୟାନନ୍ଦ ସିଂହ, ପ୍ରକାଶକ ବନୋଜ ତ୍ରିପାଠୀ ପ୍ରମୁଖ ଶ୍ରୀ ରଥଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରହସ୍ୟ ହୋଇ ରହିଗଲା ‘ପଦ୍ମଶ୍ରୀ’ପରର ସ୍ମିତ ହାସ୍ୟ

ନିକଟରେ ଘୋଷଣା ହୋଇଥିବା ରାଷ୍ଟ୍ରୀୟ ସମ୍ମାନ ‘ପଦ୍ମଶ୍ରୀ’ ପାଇବାକୁ ମନୋନୀତ ହୋଇଥିଲେ ଚନ୍ଦ୍ରଶେଖର ରଥ। ସବୁ ପୁରସ୍କାରଠୁ ଚନ୍ଦ୍ରଶେଖରଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ନିଶ୍ଚିତ ଊର୍ଧ୍ୱରେ ଥିଲା। ମାତ୍ର ଯେବେ ଏ ପୁରସ୍କାର ସମ୍ପର୍କରେ ତାଙ୍କ ପୁତ୍ର ଶଶୀଭୂଷଣ ରଥ ଶଯ୍ୟାଶାୟୀ ଥିବା ଅବସ୍ଥାରେ ଅବଗତ କଲେ ସେ କେବଳ ସ୍ମିତ ହାସ୍ୟଟିଏ ଦେଇଥିଲେ। ରହସ୍ୟବାଦୀ ଲେଖକ ଭାବେ ପରିଚିତ ଶ୍ରୀ ରଥଙ୍କ ଏହି ସ୍ମିତହାସ୍ୟ ବି ଥିଲା ରହସ୍ୟମୟ।

ପଦ୍ମଶ୍ରୀ ପାଇବାକୁ ସେ ବହୁ ଆଗରୁ ହକ୍‌ଦାର ଥିଲେ ହେଁ ଶେଷ ସମୟରେ ତାଙ୍କୁ ଏଭଳି ସମ୍ମାନ ପାଇଁ ଘୋଷଣା କରିବା ଏବଂ ସମ୍ମାନ ପାଇବା ପୂର୍ବରୁ ଆର ପାରିକୁ ଚାଲିଯିବା ନେଇ ଅନେକ ଅସନ୍ତୋଷ ଜାହିର୍‌ କରିଥିଲେ।

ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ: ରାଜ୍ୟପାଳ

ଚନ୍ଦ୍ରଶେଖର ରଥ ତାଙ୍କ କାଳଜୟୀ ସୃଷ୍ଟି ଜରିଆରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ପାଠକୀୟ ଆଦୃତି ହାସଲ କରିବାରେ ଜଣେ ସିଦ୍ଧ ସ୍ରଷ୍ଟା ଥିଲେ। ଶିକ୍ଷା ସେବାରେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ଯେତିକି ପ୍ରିୟ ଥିଲେ ଅନ୍ୟ ଶିକ୍ଷକଙ୍କ ଭିତରେ ସେତିକି ଲୋକପ୍ରିୟ ଥିଲେ। ତାଙ୍କର ବିୟୋଗ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ରାଜ୍ୟପାଳ ଶୋକବାର୍ତାରେ ଜଣେଇବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଓଡ଼ିଆ ଭାଷା ପାଇଁ ବିରାଟ କ୍ଷତି: ମୁଖ୍ୟମନ୍ତ୍ରୀ

କାଳଜୟୀ କବିତା, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଜରିଆରେ ଓନିଆ ଭାଷା ଓ ସାହିତ୍ୟକୁ ଚନ୍ଦ୍ରଶେଖର ରଥ ରୁଦ୍ଧିମନ୍ତ କରିଛନ୍ତି। ଓଡ଼ିଆ ଭାଷା ଓ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଅମର ହୋଇ ରହିବେ। ତାଙ୍କ ପରଲୋକ ଓଡ଼ିଶା ଓ ଓଡ଼ିଆ ଭାଷା ପାଇଁ ଏକ ବିରାଟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତା ଜଣାଇବା ସହ ସ୍ୱର୍ଗତ ରଥଙ୍କ ଆଇଆର୍‌ସି ଭିଲେଜ୍‌ସ୍ଥିତ ବାସଭବନକୁ ଯାଇ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ: ଧର୍ମେନ୍ଦ୍ର ପ୍ରଧାନ

ଦୀର୍ଘ ୫ ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ଚନ୍ଦ୍ରଶେଖର ରଥ ସ୍ମରଣୀୟ ହୋଇ ରହିବେ। ଜଣେ କଥାକାର, ପ୍ରାବନ୍ଧିକ, କବି, ଗାଳ୍ପିକ, ଚିତ୍ରଶିଳ୍ପୀ ଓ ସ୍ଥପତି ଭାବେ ନିଜର ବୌଦ୍ଧିକ ଶକ୍ତିର ପରିଚୟ ଦେଇଥିଲେ। ଶ୍ରୀ ରଥଙ୍କ ବିୟୋଗରେ ଓନିଆ ସାହିତ୍ୟ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିବଂଗତ ଆତ୍ମାର ସଦ୍‌ଗତି ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର