ସରକାରୀ ବିଜ୍ଞାପନରେ ରହିବ ହକି ବିଶ୍ୱ କପ୍‌, ବ୍ରାଣ୍ଡ ଓଡ଼ିଶା ଲୋଗୋ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌-୨୦୧୮’ ପାଇଁ ରାଜ୍ୟ ସରକାରଙ୍କର ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଯେପରି ଏହି କ୍ରୀଡ଼ା ମହାକୁମ୍ଭର ପ୍ରଚାର ପ୍ରସାରରେ କୌଣସି ଉଣା ନ ରହେ ଏବଂ ହକି ବିଶ୍ୱକପ୍‌ ପାଇଁ ଏକ ସ୍ୱତନ୍ତ୍ର ମାହୋଲ୍‌ ସୃଷ୍ଟି ହେବ ସେଥିପାଇଁ ସମସ୍ତ ସରକାରୀ ବିଜ୍ଞାପନରେ ହକି ବିଶ୍ୱ କପ୍‌ ଏବଂ ବ୍ରାଣ୍ଡ ଓଡ଼ିଶା ଲୋଗୋ ରଖିବାକୁ ନିଷ୍ପତ୍ତି ହୋଇଛି।

କେବଳ ସରକାରୀ ବିଜ୍ଞାପନ ନୁହେଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଉଥିବା ଚିଠି, ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମସ୍ତ ପ୍ରକାରର ଯୋଗାଯୋଗରେ ଏହି ଦୁଇଟି ଲୋଗୋ ଲଗାଇବାକୁ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

‘ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌-୨୦୧୮’ରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଟିମ୍‌ ଭାଗ ନେଉଥିବାବେଳେ ଏହା ହକିର ସବୁଠୁ ବଡ଼ ପ୍ରତିଯୋଗିତା। ପ୍ରତି ୪ବର୍ଷରେ ଥରେ ଆୟୋଜନ ହେଉଥିବା ଏହି ହକି ବିଶ୍ୱକପ୍‌ରେ ଚଳିତବର୍ଷ ୩୬ଟି ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍‌ ୧୦୦ରୁ ଅଧିକ ଦେଶରେ ସିଧା ପ୍ରସାରଣ ହେବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ହକି ବିଶ୍ୱକପ୍‌ ଲୋଗୋ ଏବଂ ବ୍ରାଣ୍ଡ ଓଡ଼ିଶା ଲୋଗୋ ବ୍ୟବହାର କଲେ ଓଡ଼ିଶାର ଅଧିକ ପ୍ରଚାର ପ୍ରସାର ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର