ନବୀନ ସରକାର @ ୧୯: ସୁଦୃଢ଼ କିନ୍ତୁ ଆହ୍ଵାନ ଅନେକ

ଭୁବନେଶ୍ୱର : ବିପୁଳ ଜନାଦେଶ ସହିତ ୨୦୧୪ ମେ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପାଳି ଶାସନ ଆରମ୍ଭ କରିଥିଲେ। ଚତୁର୍ଥ ପାଳିର ଚତୁର୍ଥ ବର୍ଷ ଆଜି ପୂରୁଛି। ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟରେ ଏହି ଦିନଟି ଜୁଟିନାହିଁ। ଏହାସତ୍ତ୍ୱେ ବିଜେଡି ନେତୃତ୍ୱାଧୀନ ସରକାରର ୧୮ ବର୍ଷ ଓ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ଶେଷରେ ସରକାରଙ୍କ ସଫଳତା, ବିଫଳତାକୁ ନେଇ ସବୁ ମହଲରେ ପୋଷ୍ଟମର୍ଟମ ବା ବ୍ୟବଚ୍ଛେଦ ଚାଲିଛି। ବିରୋଧୀ ସରକାରଙ୍କୁ କଠୋର ସମାଲୋଚନା କରୁଛନ୍ତି। ବିଜେଡି ନେତାମାନେ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରୁଛନ୍ତି।

ବାସ୍ତବତା ହେଉଛି, ବିକାଶ ମୁହାଁ ହୋଇଛି ଓଡ଼ିଶା। ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର କ୍ଷେତ୍ରରେ ଓଡ଼ିଶା ବର୍ତମାନ ଜାତୀୟସ୍ତରଠାରୁ ଉପରେ। ଏକଦା ନିଜ କର୍ମଚାରୀଙ୍କୁ ବେତନ ଦେଇପାରୁନଥିବା ରାଜ୍ୟ ଆର୍ଥିକ ସୁପରିଚାଳନା କ୍ଷେତ୍ରରେ ଦକ୍ଷତାର ପରିଚୟ ଦେଇଛି। ଏନ୍ତୁଡିଶାଳରୁ ଶ୍ମଶାନ ଯାଏ, ରାଜ୍ୟର ସବୁ ବର୍ଗ ପାଇଁ ସରକାର ମାଳ ମାଳ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କିନ୍ତୁ, ଏସବୁର କାର୍ଯ୍ୟାନ୍ଵୟନ ବେଳେ କେଉଁଠି କେମିିତି କିଛି ଭୁଲ୍‌ ଭାଲ୍‌ ହୋଇଯାଉଛି, ଯାହା ବିରୋଧୀଙ୍କୁ ସମାଲୋଚନା ପାଇଁ ଅବଶ୍ୟ ଅସ୍ତ୍ର ଦେଉଛି।

ଉଲ୍ଲେଖଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଶୋଚନୀୟ ପ୍ରଦର୍ଶନ କରିଥିଲା। କିନ୍ତୁ ଚତୁର୍ଥ ପାଳିର ଚତୁର୍ଥ ବର୍ଷ ରାଜନୈତିକ ଦୃଷ୍ଟିକୋଣରୁ ନବୀନ ପଟ୍ଟନାୟକଙ୍କ ପାଇଁ ଅନେକ ସଫଳତା ଆଣିଛି। ବିଜେପୁର ଉପନିର୍ବାଚନରେ ବିଜେଡି ଏକ ବଡ଼ ବ୍ୟବଧାନରେ ବିଜୟୀ ହୋଇ ଏକ ନମ୍ବର ଦଳର ମର୍ଯ୍ୟାଦାକୁ ବଳବତ୍ତର ରଖିଛି। ସହରାଞ୍ଚଳର ଭୋଟରଙ୍କୁ ପଦ୍ମ ଯେ ଆକୃଷ୍ଟ କରିପାରୁନାହିଁ, ଏକଥା ହିନ୍ଦୋଳ ଓ ଅତାବିରା ଏନ୍‌ଏସି ନିର୍ବାଚନରେ ଏକପାଖିଆ ଭାବେ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି।

ତଥାପି ପଞ୍ଚାୟତ ନିର୍ବାଚନରୁ ଶିକ୍ଷାଲାଭ କରି ସରକାର ଚୁପ୍‌ ହୋଇ ବସିବାକୁ ଚାହୁଁନାହାନ୍ତି। ବରଂ ସବୁ ବର୍ଗକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ଓ ପ୍ରଭାବୀ ଢଙ୍ଗରେ ତାହାର କାର୍ଯ୍ୟାନ୍ଵୟନ ପାଇଁ ଖସ଼ଡ଼ା ପ୍ରସ୍ତୁତ ଚାଲିଛି। ନୂଆ ପିଢ଼ିର ଭୋଟରଙ୍କୁ ଟାର୍ଗେଟ କରିଛନ୍ତି ସରକାର। ଯେଉଁଥିପାଇଁ ବିଜୁ ଯୁବ ବାହିନୀ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା କୃଷିଜୀବୀଙ୍କ ପର୍ଯ୍ୟନ୍ତ, ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଠାରୁ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଯାଏ ଇତିମଧ୍ୟରେ ଅନେକ ବ଼ଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀ଼଼଼ଡ଼ା କ୍ଷେତ୍ରରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନାଁ କମାଇଛି।

ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସମ୍ବେଦନଶୀଳ, ଉତ୍ତରଦାୟୀ ଦକ୍ଷ ଶାସନର ରାଣ ଖାଇଥିବା ସରକାର ପାଇଁ କିନ୍ତୁ ଆହ୍ଵାନ କିଛି କମ୍‌ ନାହିଁ। ରାଜ୍ୟରେ ନାରୀ ସୁରକ୍ଷା ଆଜି ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ସମ୍ପୂର୍ଣ୍ଣ ନିଶା ନିବାରଣ ସଂକଳ୍ପ କାର୍ଯ୍ୟକାରୀ ପାଇଁ ସରକାର ଏଯାଏଁ ଆଗ୍ରହ ଦେଖାଇନାହାନ୍ତି। ଲୋକାୟୁକ୍ତ ଗଠନ ହୋଇପାରିଲା ନାହିଁ। ରାଜ୍ୟର ପ୍ରମୁଖ ସାମ୍ବାଧାନିକ ପଦବି ଖାଲି ପ଼ଡିଛି। ୩୫% ଜଳସେଚନ ସ୍ଲୋଗାନରେ ଅଟକିଯାଇଛି ବୋଲି କଥା କଥାକେ ବିରୋଧୀ ଖୁଣ୍ଟା ଦେଉଛନ୍ତି। କୃଷି କମିସନଙ୍କ ସୁପାରିସ ଫାଇଲରେ ରୁନ୍ଧି ହୋଇଯାଇଛି ଓ କୃଷି ପାଇଁ ନିଃଶୁକ୍ଳ ବିଦ୍ୟୁତ ଯୋଗାଣ ପ୍ରତିଶ୍ରୁତି ମଧ୍ୟ ପ୍ରସ୍ତାବରେ ରହିଯାଇଛି। କୃଷକଙ୍କୁ ଉପଯୁକ୍ତ ମୂଲ୍ୟ, ବଜାର ବା ସମ୍ମାନ ଅଥବା ପେନ୍‌ସନ୍‌ ଦେବା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପକୁ ଚାଷୀ ଅପେକ୍ଷା କରିଛନ୍ତି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଅଡୁଆ ହଟିନାହିଁ ବୋଲି ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ଆଇନଜୀବୀ ଆନ୍ଦୋଳନ ଜାରି ରଖିଛନ୍ତି। କେଉଁଠାରେ ହେବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ, ସେ କଥା ନିର୍ଣ୍ଣୟ କରାଯାଇପାରି ନାହିଁ। କଲିଙ୍ଗ ରେଜିମେଣ୍ଟ ଓ କଳିଙ୍ଗ ବ୍ୟାଙ୍କ ପ୍ରତିଷ୍ଠା କଥାକୁ ସମ୍ଭବତଃ ସରକାର ଭୁଲିଯାଇଛନ୍ତି। ବିଧାନ ପରିଷଦ ଗଠନ ପ୍ରସ୍ତାବକୁ କମିଟି ଝୁଲାଇ ରଖିଛି। ସର୍ବୋପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ନିକଟରେ ଏକ ପ୍ରମୁଖ ଦାବି ଭାବେ ଉପସ୍ଥାପନ କରାଯାଇପାରିନାହିଁ।

ଏପଟେ ଚତୁର୍ଥ ପାଳିର ୩ବର୍ଷ ପୂର୍ତ୍ତି ଅବସରରେ ଗତବର୍ଷ ଅମଲାଙ୍କ ପାଇଁ ନବୀନ ଯେଉଁ ଆହ୍ଵାନ ଦେଇଥିଲେ, ତାକୁ ମଧ୍ୟ ପ୍ରଶାସନ ପ୍ରମୁଖତା ଦେବାକୁ କୁନ୍ଥକୁନ୍ଥ ହେଉଛି। ଅମଲାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ସେଦିନ କହିଥିଲେ, ଟିମ୍‌ ଓ୍ଵାର୍କ (ସାମୂହିକ ଉଦ୍‌ଯୋଗ), ଟ୍ରାନ୍ସପ୍ୟାରେନ୍ସି (ସ୍ୱଚ୍ଛତା) ଓ ଟେକ୍ନୋଲୋଜି (ବୈଷୟିକ) ଏଭଳି ତିିନିଟି ‘ଟି’କୁ ପାଥେୟ କରି ନିଜ ବିଭାଗକୁ ସେମାନେ ଆଗେଇ ନେବା ଦରକାର।

ହେଲେ ବାସ୍ତବତା ହେଲା ଏୟା, ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ଵୟର ଅଭାବ କାରଣରୁ ପିଇବା ପାଣିର ସଙ୍କଟ ଦୂର ହୋଇପାରିନାହିଁ। ଶିଳ୍ପାୟନ କ୍ଷେତ୍ରକୁ ମାନ୍ଦାବସ୍ଥା ମାଡ଼ିବସିଛି। ଗୁଣାତ୍ମକ ଶିକ୍ଷା ବାଟବଣା ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ଭାଗ୍ୟକୁ ବାଜି ଲଗାଇ ସରକାର ଯେମିତି ଜିଦ୍‌ ଧରିଛନ୍ତି, ଶିକ୍ଷକମାନେ ବି ଅନୁରୂପ ଭାବେ ତାକତ ଦେଖାଇବାକୁ ଯାଇ ବର୍ଷତମାମ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଭୁଲୁନାହାନ୍ତି। ପଞ୍ଚାୟତରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଅନେକ ଗାଁକୁ ସଡ଼କ, ସ୍ୱାସ୍ଥ୍ୟ ପହଞ୍ଚିପାରିନାହିଁ ବୋଲି ସରକାରଙ୍କୁ ନିନ୍ଦା କରୁଛନ୍ତି ବିରୋଧୀ। ସେହିଭଳି ମୋ କୁଡିଆ ଠାରୁ ଆରମ୍ଭ କରି ଷ୍ଟ୍ରିଟ୍‌ ଲାଇଟ୍‌ ଯୋଜନାରେ ଦୁର୍ନୀତି ଚର୍ଚ୍ଚାର ବିଷୟ ହୋଇଛି।

ବୈଷୟିକ ବ୍ୟବସ୍ଥାରେ ବେଶ୍‌ କିଛି ଆଖିଦୃଶିଆ ଉନ୍ନତି ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଗାଁ ଲୋକଙ୍କ ସହିତ ସିଧାସଳଖ କଥା ହୋଇପାରୁଛନ୍ତି। କେଇ ସେକେଣ୍ଡ ମଧ୍ୟରେ ଲୋକଙ୍କ ଚାହିଦାକୁ ପୂରଣ କରିପାରୁଛନ୍ତି ସରକାର।

ରାଜନୈତିକ ସମୀକ୍ଷକଙ୍କ ମତରେ, ଆଞ୍ଚଳିକସ୍ତରରେ କିଛି ନେତାଙ୍କର ଗ୍ରହଣୀୟତା କମିଛି ଓ ସେମାନେ ବିବାଦୀୟ ହୋଇଛନ୍ତି। ମାତ୍ର ନବୀନଙ୍କ ଲୋକପ୍ରିୟତା କମିବା ବଦଳରେ ବଢୁଛି, ଏକଥା ନିର୍ବାଚନ ଫଳାଫଳ, ସଭା ସଙ୍କେତ ଦେଉଛି। ସବୁଠାରୁ ବଡ଼ କଥା ହେଲା, ସବୁ ଦଳ ଠାରୁ ସମଦ୍ୱରତ୍ୱ ରଖିବା କାରଣରୁ ଜାତୀୟସ୍ତରରେ ନବୀନଙ୍କ ପତିଆରା ଓ ପ୍ରତିଷ୍ଠା ବଢିଛି। ପ୍ରାୟ ସବୁ ଜାତୀୟ ନେତାଙ୍କ ଦୃଷ୍ଟିରେ ସେ ଅଛନ୍ତି, ଏକଥା ବିଭିନ୍ନ ବର୍ଗର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସୂଚାଉଛି।

ଅନ୍ୟପଟରେ ଆରମ୍ଭରୁ ଟିକିଏ ପଛରେ ଥିଲେ ବି ମହାନଦୀ ପ୍ରସଙ୍ଗକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପ୍ରଚେଷ୍ଟା ଜାରି ରହିଛି। ସେଥିପାଇଁ ଝାରସୁଗୁଡ଼ା ଜିଲ୍ଳା ଲଖନପୁର ବ୍ଲକର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖଲି ଠାରୁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ମାଧ୍ୟମରେ ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଆରମ୍ଭ କରିଛି ଶାସକ ଦଳ। ଓଡ଼ିଶାକୁ ଯୋଡିବା ସହିତ ବିଜେଡି ପ୍ରତି ଅନୁକୂଳ ବାତାବରଣ ସୃଷ୍ଟି ଲାଗି ମୁଖ୍ୟମନ୍ତ୍ରୀ ଉଦ୍ୟମ ଚଳାଇଛନ୍ତି। ଏହା ବିରୋଧୀ ଶିବିରକୁ ବିଚଳିତ କଲାଣି। ସୁପ୍ରିମକୋର୍ଟଙ୍କ ଚାପରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିବା ଲାଗି ବାଧ୍ୟ ହେବା ପରେ କେନ୍ଦ୍ର ସରକାର ମଧ୍ୟ ଅସମ୍ଭବ ଚାପରେ ଅଛନ୍ତି, ଏକଥା ଆଉ ଅଛପା ନାହିଁ। ପ୍ରଧାନମନ୍ତ୍ରୀଙ୍କ ତରବରିଆ ଓଡ଼ିଶା ଗସ୍ତ ଓ କଟକ ମହାନଦୀ ପଠାରେ ସଭା ଯୋଜନାକୁ ଏହାର ଅଂଶବିଶେଷ ବୋଲି ରାଜନୈତିକ ମହଲରେ ବିଚାର କରାଯାଉଛି।

ପ୍ରକାଶଥାଉକି, ସରକାର ପାଇଁ ବିପଦ ସୃଷ୍ଟି କରିବା ସ୍ଥିତିରେ ବିରୋଧୀ ନାହାନ୍ତି। କାରଣ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳର ବିଶ୍ୱସନୀୟତା ସଙ୍କଟ ଭିତରକୁ ଠେଲି ହୋଇଯାଇଛି। ସରକାର ଓ ଶାସନ ମୁଖ୍ୟ ଅର୍ଥାତ୍‌ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିକୁ ନେଇ ବିଜେପି ବାରମ୍ବାର ପ୍ରଶ୍ନ କରୁଥିଲେ ହେଁ, ଦଳର ରାଜ୍ୟ ନେତୃତ୍ୱର ହାତମୁଠା କ୍ରମଶଃ ଢିଲା ହେବାରେ ଲାଗିଛି ଓ କର୍ତ୍ତୃତ୍ୱ ବି କ୍ଷୁର୍ଣ୍ଣ ହେବା ଆରମ୍ଭ କଲାଣି। ଜଣେ କାହାକୁ ସର୍ବମାନ୍ୟ ନେତୃତ୍ୱ ସ୍ଥାନରେ ବସାଇବାରେ ବିଜେପି ବିଫଳ ହୋଇଛି। ଅନ୍ୟପକ୍ଷରେ ହତାଶା ମଧ୍ୟରେ ଥିବା କଂଗ୍ରେସର ନବକଳେବର ଦଳର ନିଶ୍ଚଳ ଶରୀରରେ ପ୍ରାଣ ପୁନଃପ୍ରତିଷ୍ଠା କରିଥିଲେ ହେଁ, ସରକାରକୁ ଦୋହଲାଇବା ଲାଗି ସେମାନେ ଏଯାଏ ତାକତ ହାସଲ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର