ଟାର୍ଗେଟ ଆଳରେ ଧାନ ମଣ୍ଡି ଠପ୍ : ଆବଶ୍ୟକ ୩୨ ଲକ୍ଷ କ୍ବିଣ୍ଟାଲ, ଟାର୍ଗେଟ ମିଳିଛି ୨୨ଲକ୍ଷ

ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ି ରହିଛି, ଭିଜାଧାନକୁ ନେଇ ଚାଷୀ ଅଡୁଆରେ, କଳାହାଣ୍ଡି ଜିଲ୍ଲାପାଳ ଲମ୍ବା ଛୁଟିରେ, ମିଲର୍ସ ଓ ଦଲାଲଙ୍କ କଚେପୁଅ ବାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଟାର୍ଗେଟ ଆଳ ଦେଖାଇ ଧାନ ମଣ୍ଡି ଠପ୍‌ ହୋଇଥିବା ବେଳେ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ି ରହିବା ଯୋଗୁଁ ଚାଷୀମାନେ ଅଡୁଆରେ ପଡ଼ିଛନ୍ତି । ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ କ୍ବିଣ୍ଟାଲ ଧାନ ଅମଳ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମାତ୍ର ୨୨ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଆସିଛି । ଫଳରେ ହଜାର ହଜାର କ୍ବିଣ୍ଟାଲ ଧାନ ମଣ୍ଡି ପଡି ରହିବା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨୬ ହଜାର ଚାଷୀ ଧାନ ବିକ୍ରି ପାଇଁ ନାଁ ପଞ୍ଜୀକୃତ କରିଥିବା ବେଳେ ପ୍ରାୟ ୩୨ଲକ୍ଷ କ୍ବିଣ୍ଟାଲ ଧାନ ଅମଳ ହୋଇଛି। ପୂର୍ବରୁ ୨୦ ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଆସିଥିଲା। ଗତକାଲି ଆହୁରି ୧ଲକ୍ଷ ୪୭ ହଜାର କ୍ବିଣ୍ଟାଲ ଧାନର ଟାର୍ଗେଟ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୪ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ପାଇଁ ରାଜ୍ୟ ଯୋଗାଣ ବିଭାଗକୁ ଗତ ୧୮ ତାରିଖ ଦିନ ଅନୁରୋଧ କରାଯାଇଛି। ମାତ୍ର ଟାର୍ଗେଟ ବଢ଼ା ଯାଉ ନ ଥିବାରୁ ଚାଷୀମାନଙ୍କ ଧାନ ମଣ୍ଡିରେ ପଡ଼ି ରୁହୁଛି ।

ଏ ପର୍ଯ୍ୟନ୍ତ ଜିଲ୍ଲାର ୬୫ ମଣ୍ଡିରେ ୧୮୭୫୧୮୨.୭ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। ତେବେ ଟାର୍ଗେଟ ଆଳ ଦେଖାଇ ମଣ୍ଡି ମାନଙ୍କରେ ଚାଷୀଙ୍କ ଧାନ କ୍ରୟ କରାଯାଉନାହିଁ । ଅନ୍ୟ ପକ୍ଷରେ ଟାର୍ଗେଟ ନ ଆସିବା ପୂର୍ବରୁ ଦଲାଲ ଜରିଆରେ ଅଣ୍ଡରରେଟରେ ଧାନ କ୍ରୟ କରି ଟାର୍ଗେଟ ଆସିବା ପରେ ତାକୁ କାଗଜପତ୍ରରେ ଦେଖାଇବା ପାଇଁ ମିଲର୍ସମାନେ ସୁପରିକଳ୍ପିତ ଯୋଜନା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲାର କଲମପୁର, ଜୁନାଗଡ, ଜୟପାଟଣା, କୋକସରା , ଧର୍ମଗଡ ସମେତ ବହୁ ବ୍ଲକରେ ପ୍ରାକ ମୌସୁମୀ ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜି ଯାଇଥିବା ଯୋଗୁଁ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଭିଜା ଧାନକୁ ଆଦ୍ରତାର ଆଳ ଦେଖାଇବା ଯୋଗୁଁ ଚାଷୀମାନେ ମିଲର୍ସମାନଙ୍କ ଦ୍ବାରା ବ୍ୟାପକ କଟନି-ଛଟନିର ଶିକାର ହେଉଛନ୍ତି । କମ କଟନି-ଛଟନି ପାଇଁ ରାଜି ହେଉଥିବା ଚାଷୀଙ୍କ ଧାନ ମଣ୍ଡିରେ ଦିନ ଦିନ ଧରି ପଡ଼ି ରହିଛି। କଳାହାଣ୍ଡି ଜିଲ୍ଲାପାଳ ଦୀର୍ଘଦିନ ଧରି ଛୁଟିରେ ଥିବା ଯୋଗୁଁ ମିଲର୍ସ ଉପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଇବାରେ ବିଫଳ ହେଉଛନ୍ତି। କମ ଟାର୍ଗେଟ ଆସିଥିବା ବେଳେ ଅଧିକ ଧାନ ବାହାରେ ପଡ଼ି ରହିଥିବା ଯୋଗୁଁ ଧାନ ବିକ୍ରି ନେଇ ଚାଷୀମାନେ ଆଶା ଆଶଙ୍କାରେ ରହିଛନ୍ତି ।

ଧାନ କ୍ରୟ ପାଇଁ ଜୁନାଗଡ, ଚିଲଗୁଡା, ମଣ୍ଡଲ ସମେତ ବିଭିନ୍ନ ମଣ୍ଡିରେ ଚାଷୀମାନେ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ। ଆଜି ଜୁନାଗଡ ବ୍ଲକର ଚିଲଗୁଡାଠାରେ ଚାଷୀମାନେ ରାସ୍ତାରୋକ କରିଥିଲେ। ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜି ଗଜା ହୋଇଥିବା ଯୋଗୁଁ ଚାଷୀ ବିକ୍ରୟ କରିନପାରି ଘୋର ମନସ୍ତାପରେ ଥିବାବେଳେ ରାଜନେତା, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଏ ନେଇ ଚୁପ୍‌ ରହୁଥିବା ଯୋଗୁଁ ମିଲର୍ସ ମର୍ଜିରେ ମଣ୍ଡି ଚାଲିଛି । ବର୍ତ୍ତମାନ ମୌସୁମୀ ବର୍ଷା ଆଗମନ ଅପେକ୍ଷାରେ ଥିବା ବେଳେ ଟାର୍ଗେଟ ଅଭାବରୁ ପଡି ରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ତୂରନ୍ତ ହସ୍ତକ୍ଷେପ ନ କଲେ ପରିସ୍ଥିତି ଅଣାୟତ ହେବ ବୋଲି ଚାଷୀମାନେ ଚେତାବନୀ ‌େଦଇଛନ୍ତି।

ସମ୍ବନ୍ଧିତ ଖବର