ଭୁବନେଶ୍ୱର : ଧାନ ସଂଗ୍ରହ କ୍ଷେତ୍ରରେ ଆବଶ୍ୟକ ଆନୁଷଙ୍ଗିକ ଖର୍ଚ ବହନ କରିଥାନ୍ତି କେନ୍ଦ୍ର ସରକାର। ଏହି ମୂଲ୍ୟ ଅତ୍ୟନ୍ତ କମ୍ ଥିବାରୁ ରାଜ୍ୟରେ ଧାନ ସଂଗ୍ରହ ସୁରୁଖୁରୁରେ ହୋଇପାରୁନାହିଁ। ରାଜ୍ୟରେ ୨୦୧୭-୧୮ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ସରିବାକୁ ବସିଲାଣି। ମେ’ ପହିଲାରୁ ରବି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆନୁଷଙ୍ଗିକ ଖର୍ଚ ହାରକୁ ଯଥାର୍ଥ ବୃଦ୍ଧି କରିବାକୁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶଓ୍ଵାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ୨୦୦୩-୦୪ ବର୍ଷରୁ ଧାର୍ଯ୍ୟ ହୋଇଥିବା ଆନୁଷଙ୍ଗିକ ଖର୍ଚ ବର୍ତମାନ ପର୍ଯ୍ୟନ୍ତ ଓଡ଼ିଶାକୁ ମିଳୁଛି। ତେବେ ଓଡ଼ିଶା ସରକାର ୨୦୧୫-୧୬ ପର୍ଯ୍ୟନ୍ତ ହିସାବ ପଠାଇସାରିଛନ୍ତିି। ଯଦି ଆନୁଷଙ୍ଗିକ ଖର୍ଚ ଶୀଘ୍ର ପ୍ରଦାନ କରାନଯାଏ, ଧାନ ସଂଗ୍ରହ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହେବ। ଓଡ଼ିଶାରେ ୨୦୦୩-୦୪ ମସିହାରେ ଧାନ ସଂଗ୍ରହର ବିକେନ୍ଦ୍ରୀକରଣ ହୋଇଥିଲା। ସେତେବେଳେ ମାତ୍ର ୬୦ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା। ଗତ ବର୍ଷ ଏହି ଧାନ ସଂଗ୍ରହ ୫୨ ଲକ୍ଷ ମେଟ୍ରିକ ଟନ୍ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଆନୁଷଙ୍ଗିକ ଖର୍ଚ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ତାଙ୍କ ଅଧୀନ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କହିବାନୁସାରେ ଆନୁଷଙ୍ଗିକ ଖର୍ଚ ମଧ୍ୟରେ ମୁଖ୍ୟତଃ ପରିବହନ ଖର୍ଚ ଅନ୍ତର୍ଭୁକ୍ତ। ଏହି ଖରିଫ ଋତୁରେ ରାଜ୍ୟ ସରକାର ପରିବହନ ଖର୍ଚ ବାବଦରେ ପ୍ରାୟ ୧୦୦ କୋଟି ଟଙ୍କାର ବୋଝ ବହନ କରିଥିବା ସେ କହିଛନ୍ତି।