ଆଳୁ ସଙ୍କଟ ଟାଳିବା ନେଇ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ : ବେଆଇନ ମହଜୁଦ୍‌କାରୀଙ୍କ ବିରୋଧରେ ଚଢ଼ଉ କର

ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

ଭୁବନେଶ୍ୱର : ଗତ ସପ୍ତାହରେ ରାଜ୍ୟରେ ଆଳୁ ଦର କିଲୋ ପିଛା ୧୨ରୁ ୧୫ ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା। ଗତ ତିନିଦିନରେ ଅଚାନକ ଓ ଅହେତୁକ ଭାବେ ଆଳୁ ଦର କିଲୋ ପିଛା ୧୮ରୁ ୨୦ ଟଙ୍କାକୁ ବୃଦ୍ଧି ପାଇଛି। ସାଧାରଣତଃ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଆଳୁ ଦର ବୃଦ୍ଧି ପାଇବା ସ୍ୱାଭାବିକ। କିନ୍ତୁ ଅଦିନିଆ ଦର ବଢ଼ିଥିବାରୁ ଖାଉଟିଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ବେଆଇନ ଆଳୁ ମହଜୁଦ୍‌କାରୀଙ୍କ ବିରୋଧରେ ଚଢ଼ାଉ କରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିର୍ଦେଶ ଦେଇଛନ୍ତି। ବିଭାଗୀୟ ସଚିବ ମଧ୍ୟ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆଳୁର କଳାବଜାର, ବେଆଇନ ମହଜୁଦ୍‌ ଉପରେ କଡ଼ା ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି।

ଆଜି ଖାଦ୍ୟ ଯୋଗାଣ ସଚିବ ବୀର ବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବଜାରରେ ଆଳୁ ଦର, ଏହାର ଯୋଗାଣ ଏବଂ କଳାବଜାର କିମ୍ବା ମହଜୁଦ୍‌ ଉପରେ ନଜର ରଖିବାକୁ ଅନୁରୋଧ କରିଛନ୍ତିି। ବିଶେଷ କରି ରାଜ୍ୟର ପଶ୍ଚିମବଙ୍ଗ ସୀମାବର୍ତୀ ଜିଲ୍ଲାଗୁଡ଼ିକ ଦେଇ ରାଜ୍ୟ ଭିତରକୁ ଆସୁଥିବା ଆଳୁ ପରିବହନ, ଯୋଗାଣ ଯେପରି ସୁରୁଖୁରୁରେ ହୋଇପାରିବ ତା’ ଉପରେ ଦୃଷ୍ଟି ରଖିବାକୁ ସେ କହିଛନ୍ତି। କୌଣସି ପରିସ୍ଥିତିରେ ଯେପରି ଆଳୁ ଯୋଗାଣ ବାଧାପ୍ରାପ୍ତ ନ ହେବ, ସେଥିପ୍ରତି ସଂପୃକ୍ତ ଜିଲ୍ଲା ପ୍ରଶାସନ ନଜର ରଖିବେ। ତେବେ ବେଆଇନ ମହଜୁଦ୍‌କାରୀମାନଙ୍କ ଗୋଦାମ ଚଢ଼ାଉ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଖାଦ୍ୟ ଯୋଗାଣ ବିଭାଗ ଅଧୀନରେ ମାର୍କେଟ୍‌ ଇଣ୍ଟେଲିଜେନ୍‌ସ ସଂସ୍ଥା ରହିଛି। ଏହି ସଂସ୍ଥାର ୪୪ଟି ମଞ୍ଜୁରୀପ୍ରାପ୍ତ କର୍ମଚାରୀ ପଦବି ରହିଛି। କିନ୍ତୁ ପ୍ରକୃତରେ ୧୭ଜଣ ମାର୍କେଟ୍‌ ଇଣ୍ଟେଲିଜେନ୍‌ସ ଇନ୍‌ପେକ୍ଟର ଏବଂ ୩ଜଣ ଅଫିସର କାର୍ଯ୍ୟ କରୁଛନ୍ତି। ଏଥିରୁ ମନ୍ତ୍ରୀଙ୍କ ନିର୍ଦେଶ କିଏ କିପରି କାର୍ଯ୍ୟକାରୀ କରିବ ତାହା ବେଶ୍‌ ଅନୁମେୟ।

ବିଭାଗୀୟ ସୂଚନା ଅନୁଯାୟୀ ଆଳୁ ଯୋଗାଣରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ। ପ୍ରତିଦିନ ଭୁବନେଶ୍ୱରକୁ ୨୦ରୁ ୨୫ ଟ୍ରକ ଆଳୁ ଆସୁଛି। କଟକ, ଭୁବନେଶ୍ୱରରେ ଆଳୁର ପାଇକାରି ମୂଲ୍ୟ କିଲୋ ପିଛା ପ୍ରାୟ ୧୫ ଟଙ୍କା ଥିବା ବେଳେ ଖୁଚୁରା ଦର ୧୮ ଟଙ୍କା। ତେବେ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ବିଭିନ୍ନ ସ୍ଥାନରେ ଆଳୁ କିଲୋ ୨୦ ଟଙ୍କା ରହିଛି। ପଶ୍ଚିମବଙ୍ଗରେ ନୂଆ ଆଳୁ ଶୀତଳଭଣ୍ଡାରରେ ଗଚ୍ଛିତ ପ୍ରକ୍ରିୟା ଆରମ୍ଭ ହେଉଛି। ଖୁବଶୀଘ୍ର ପୂର୍ବରୁ ଗଚ୍ଛିତ ଆଳୁ ବଜାରକୁ ଛଡ଼ାଯିବ। ଏଣୁ, ଆଳୁ ଦର ସ୍ୱାଭାବିକ ହେବାର ସମ୍ଭାବନା ଅଧିକ। ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ପାଖାପାଖି ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଛି। କିନ୍ତୁ ରାଜ୍ୟର ବାର୍ଷିକ ଚାହିଦା ୧୨.୫୦ ଲକ୍ଷ ଟନ୍‌। ଏଣୁ, ଅବଶିଷ୍ଟ ପରିମାଣର ଆଳୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶରୁ ଆମଦାନି କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର