ନୂଆଗାଁ : ଭାରୀଯାନ ଯୋଗୁ ପ୍ରଧାନମନ୍ତ୍ରୀ ସଡ଼କ ନଷ୍ଟ

ନୂଆଗାଁ : ନୂଆଗାଁ ବ୍ଲକ୍ ଦୁରୁଦୁରା ପଞ୍ଚା‌ୟତ ଅନ୍ତର୍ଗତ କିରିଆଲାଞ୍ଜିଠାରୁ ଗୋପୀନାଥପୁର ପ୍ରଧାନମନ୍ତ୍ରୀ ସଡ଼କରେ ଭାରିଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ନଷ୍ଟ ହେବାକୁ ବସିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ମାଲ୍‌ବାହୀ ଟ୍ରକ୍‌ ଓ ଡମ୍ଫର୍‌ ଯାତାୟାତ କରୁଥିବାରୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗାଡ଼ିଗୁଡ଼ିକ ନିର୍ଦ୍ଧାରିତ ଓଜନଠାରୁ ଅତ୍ୟଧିକ ଓଜନର୍‌ ମାଲ୍‌ ବୋଝେଇ କରି ନେଉଥିବାରୁ ରାସ୍ତା ଉପରେ ଏହାର ପ୍ରଭାବ ପଡ଼ୁଥିବା ଜଣାପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କରିଥିବା ବେଳେ କେତେକ ସ୍ଥାନରେ ରାସ୍ତା ଧସି ଯାଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନ ରୋକ୍ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।

ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ପାଇଁ କିରିଆଲାଞ୍ଜିଠାରୁ ଗୋପୀନାଥପୁର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ରାସ୍ତା ନିର୍ମାଣ ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ରାସ୍ତାରେ ଭାରି ଯାନ ଚଳାଚଳ ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିର୍ମାଣ କାମ ଶେଷ ହେବାର ବର୍ଷେ ନ ପୂରୁଣୁ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇଛି। ପ୍ରତିଦିନ ଏହି ରାସ୍ତା ଦେଇ ପଥର, ମେଟାଲ୍, ଚିପ୍ପ୍‌ ବୋଝେଇ ଗାଡ଼ି ଯାତାୟାତ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଶରତ କୁମାର ପଢ଼ିଆରୀ ରାସ୍ତାରେ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତା ନଷ୍ଟ ହେଉଥିବା କହିଛନ୍ତି। ତେବେ ବିଭାଗ ପକ୍ଷରୁ ବନ୍ଦ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର