ହଜ୍‌ ଯାତ୍ରା ଅର୍ଥ ବାଟମାରଣା ବିରୋଧରେ ୧୭ରୁ ଆମରଣ ଅନଶନ

ଭୁବନେଶ୍ୱର : ହଜ୍‌ ଯାତ୍ରାରେ ମିଳୁଥିବା ଅର୍ଥ ହେରଫେର ଏବଂ ତଲାକି ମହିଳାମାନଙ୍କ ପେନ୍‌ସନରେ ହୋଇଥିବା ଅନିୟମିତତା ବିରୋଧରେ ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ‘ତଲାକି ମହିଳା ସହାୟତା ସମିତି’ ଏବଂ ‘କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ’ ପକ୍ଷରୁ ଆମରଣ ଅନଶନ ଆରମ୍ଭ ହେବ। ଏ ନେଇ ଉଭୟ ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୦୭ ମସିହାରେ ରାଜ୍ୟ ସରକାର ଓଡ଼ିଶାର ସହସ୍ରାଧିକ ତଲାକି ଓ ନିରାଶ୍ରୟ ମହିଳାମାନଙ୍କର ଦୀର୍ଘବର୍ଷର ଦାବିକୁ ଗ୍ରହଣ କରି ମାସିକ ପେନ୍‌ସନ ପ୍ରଦାନ କରିଥିଲେ। ପ୍ରଥମ ଦଫାରେ ୬୧୬ ହିତାଧିକାରୀଙ୍କୁ ଏହି ସୁବିଧାରେ ଅନ୍ତର୍ଭୁକ୍ତ କରାଯାଇ ପେନ୍‌ସନ ପ୍ରଦାନ କରାଯାଇଥିଲା। ଲଗାତାର ଭାବେ ୭ ବର୍ଷକାଳ ସଂପୃକ୍ତ ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ପେନ୍‌ସନ ଟଙ୍କା ପ୍ରଦାନ କରାଯାଉଥିବାବେଳେ ହଠାତ୍‌ ୨୦୧୪ରେ ମାସିକ ପେନ୍‌ସନ୍‌ ଟଙ୍କା ବନ୍ଦ କରିଦିଆଗଲା। ଏହା ଫଳରେ ୨୭୦୦ ଅସହାୟ ମୁସଲମାନ ମହିଳା ବହୁ କଷ୍ଟରେ ଦିନ କାଟୁଛନ୍ତି। ଅନ୍ୟପକ୍ଷରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ହଜ୍‌ ଯାତ୍ରା ପାଇଁ ରାଜ୍ୟ ସରକାର ୫୦ ଲକ୍ଷରୁ ଊଦ୍ଧ୍ଵର୍ ଟଙ୍କାର ଅନୁଦାନ ହଜ୍‌ କମିଟିକୁ ଦେଉଥିବାବେଳେ ଏହି ଅନୁଦାନ ଅର୍ଥ ବ୍ୟାପକ ହେରଫେର ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ତଲାକି ମହିଳା ସହାୟତା ସମିତି’ ଏବଂ ‘କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ’ ଅଭିଯୋଗ ଆଣିଛନ୍ତି। ରାଜ୍ୟ ହଜ୍‌ ଯାତ୍ରୀଙ୍କ ଯାତ୍ରାକାଳୀନ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଅର୍ଥକୁ ଦାୟିତ୍ଵରେ ଥିବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତାଙ୍କର ସହଯୋଗୀମାନେ ଲୁଟ୍‌ କରିଛନ୍ତି। ଏହା ବିରୋଧରେ ‘ତଲାକି ମହିଳା ସହାୟତା ସମିତି’ ଏବଂ ‘କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ’ ପକ୍ଷରୁ ଆସନ୍ତା ୧୭ ତାରିଖ ଦିନ ୱାକଫ ବୋର୍ଡ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ‘ତଲାକି ମହିଳା ସହାୟତା ସମିତି’ର ସଭାପତି ସାୟରା ମିର୍ଜା, ସୂଚିସ୍ମିତା ଦାସ, ଶେଖ ଅସଫାକ ଅଲ୍ଲୀ ଏବଂ ‘କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ’ର ସଭାପତି ଆଫତାବ ନୁର, ସଂପାଦକ ଶେଖ ରହେମତ, ମହମ୍ମଦ ଜାଭେଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର