ଆମ ନେତା କେତେ ପାଠୁଆ

ରାଉରକେଲା : ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ସୁନ୍ଦରଗଡ଼ ଜିଲ୍ଲାର ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଚର୍ଚ୍ଚା ଜୋର୍‌ ଧରିଛି। ଏଠାକାର କିଛି ପ୍ରାର୍ଥୀ ଏମ୍‌ବିବିଏସ୍‌, ଇଜିନିଅରିଂ କରିଥିବାବେଳେ କେତେଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌, ଯୁକ୍ତ ଦୁଇ (ସେତେବେଳର ଇଣ୍ଟରମିଡିଏଟ)ରେ ସୀମିତ ରହିଥିବା ଜଣାପଡ଼ିଛି। ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଉତ୍କଳମଣୀ ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଂଜିନିଅରିଂ (ୟୁଜିଆଇଇ)ରେ ୧୯୮୨ ମସିହାରେ ଇଲେକ୍ଟ୍ରିକାଲ ଇଂଜିନିଅରିଂରେ ଡିପ୍ଲୋମା କରିଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ୧୯୭୭ରେ ବିଜେବି କଲେଜରୁ ବିଏସ୍‌ସି (ତତ୍କାଳୀନ ଆଇଏସ୍‌ସି) ପାସ୍‌ କରିଥିବାବେଳେ ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ବାଳ ୨୦୦୦ ମସିହାରେ ରମାଦେବୀ କଲେଜରୁ ବିଏ ପାସ୍‌ କରିଛନ୍ତି।

ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ୟୁଜିଆଇଇରୁ ୧୯୮୦ ମସିହାରେ ଇଲେକ୍ଟ୍ରିକାଲ ଇଂଜିନିଅରିଂରେ ଡିପ୍ଲୋମା କରିଥିବାବେଳେ ବିଜେପି ପ୍ରାର୍ଥୀ ନିହାର ରାୟ ରାଉରକେଲା ଲ’ କଲେଜରୁ ଏଲ୍‌ଏଲ୍‌ବି (୧୯୮୨) ଓ କଂଗ୍ରେସ ପ୍ରାର୍ଥୀ ବୀରେନ ସେନାପତି ୨୦୧୨ ମସିହାରେ ତାମିଲନାଡ଼ୁ ସ୍ଥିତ ବିନାୟକ ମିଶନ ବିଶ୍ବବିଦ୍ୟାଳୟରୁ ବିଏ ପାସ୍‌ କରିଛନ୍ତି। ରଘୁନାଥପଲ୍ଲୀ ବିଜେପି ପ୍ରାର୍ଥୀ ଜଗବନ୍ଧୁ ବେହେରା ଇଣ୍ଟର୍‌ମିଡିଏଟ୍‌ ପାସ୍‌ କରିଥିବାବେଳେ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇ ଓୟୁଏଟିରୁ ଇଂଜିନିଅରିଂ ଓ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍ଏ ପାସ୍‌ କରିଛନ୍ତି। ତଲସରା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ବୀର ସୁରନ୍ଦ୍ରସାଏ ମେଡିକାଲ କଲେଜ (ଏବେକାର ଭିମସାର୍‌)ରେ ଡାକ୍ତରୀ ଶିକ୍ଷା ଲାଭ କରିଥିବାବେଳେ ବିଜେଡି ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗ କରୁଣ୍ୟା ବିଶ୍ବବିଦ୍ୟାଳୟରୁ ୨୦୦୮ରେ ଏମ୍‌ବିଏ ଓ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ସବଡେଗା ଆଂଚଳିକ ସହଯୋଗ କଲେଜରୁ ୧୯୯୮ରେ ଯୁକ୍ତ ଦୁଇ ପାସ କରିଛନ୍ତି। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅମୀତା ବିଶ୍ବାଳ ୨୦୦୫ରେ ବାଣୀବିହାର ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ପାସ୍‌ ବେଳେ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଆହ୍ଲାବାଦ ସ୍ଥିତ ସାମ୍‌ ହିଗିନ୍‌ବଟମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଗ୍ରିକଲଚର ଟେକ୍ନୋଲୋଜି ଆଣ୍ଡ୍‌ ସାଇନ୍ସେସ୍‌ କଲେଜରୁ ୨୦୧୧ରେ ବିଏ ଓ ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ସର୍ଗିପାଲି ସ୍ଥିତ ଏସ୍‌.ଆର୍‌.ଡି.ଏମ୍‌.ଏନ. ପଞ୍ଚାୟତ କଲେଜରୁ ବିଏ (୧୯୯୮) ପାସ୍‌ କରିଛନ୍ତି। ବୀରମିତ୍ରପୁର ବିଜେପି ପ୍ରାର୍ଥୀ ଶଙ୍କର ଓରାମ କଟକସ୍ଥିତ ଭୂବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍‌ ଇଂଜିନିଅରିଂରେ ସିଭିଲ ଇଂଜିନିଅରିଂରେ ଡିପ୍ଲୋମା (୧୯୯୬) କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ରୋହିତ ତିର୍କୀ ବିଜେପି କଲେଜରୁ ବି.କମ୍‌ ଓ ବିଜେଡି ପ୍ରାର୍ଥୀ ମଖଲୁ ଏକ୍କା ବୀରମିତ୍ରପୁର ଶ୍ରମଶକ୍ତି କଲେଜରୁ ବିଏ (୧୯୯୧) ପାସ୍‌ କରିଛନ୍ତି। ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ରାଜେନ ଏକ୍କା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ (୧୯୯୬) ପାସ୍‌ କରିଥିବାବେଳେ ବିଜେଡି ପ୍ରାର୍ଥୀ ମଙ୍ଗଳା କିଶାନ ରାଜଗାଙ୍ଗପୁର କଲେଜରୁ ବିଏ (୧୯୭୪) ଓ ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ଝାରସୁଗୁଡ଼ା ସ୍ଥିତ ପ୍ରସନ୍ନ ପଣ୍ଡା ଲ’ କଲେଜରୁ ଏଲ୍‌ଏଲ୍‌ବି (୨୦୧୬) ପାସ୍‌ କରିଛନ୍ତି। ସେହିଭଳି ବଣାଇଁ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଅନୀଲ ବାର୍ଲା ୨୦୧୨ ମସିହାରେ ମାଟ୍ରିକ୍‌ ପାସ୍‌ କରିଥିବାବେଳେ ବିଜେଡି ପ୍ରାର୍ଥୀ ରଂଜିତ କିଶାନ ସିଟି (୧୯୭୮) ଓ ସିପିଆଇ(ଏମ୍‌) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବଣାଇଁଗଡ଼ କଲେଜରୁ ୧୯୮୮ ମସିହାରେ ବିଏ ପାସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର