ଓଏମ୍‌ସି ଋଣରେ ଭରଣା ହେବ ରଇଡ଼ା ଖଣି ଜରିମାନା

ରାଉରକେଲା : ସୁପ୍ରିମ୍‌ କୋର୍ଟଙ୍କ ରାୟ (ଅଗଷ୍ଟ୨) ଅନୁଯାୟୀ ଖଣି ପ୍ଲାନ୍‌ ଓ ପରିବେଶ ଆଇନ ଉଲ୍ଲଂଘନ ଅଭିଯୋଗରେ ରଇଡ଼ା-ସି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି ଜରିମାନା ଅର୍ଥ (୧୧୧ କୋଟି ୫୫ ଲକ୍ଷ ୩୦ ହଜାର ୯୯୫ ଟଙ୍କା) ପୈଠ କରିନଥିବାରୁ ଏହି ଖଣିକୁ ଜାନୁଆରି ପହିଲାରୁ ବନ୍ଦ କରିଦିଆଯାଇଛି। ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ଲିଃ (ଇଡ୍‌କଲ୍‌) ପରିଚାଳନାଧୀନ ଏହି ଖଣି ନିଗମର ପ୍ରମୁଖ ରାଜସ୍ୱ ଉତ୍ସ ହୋଇଥିବାରୁ ଏହାକୁ ଚାଲୁ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଜରିମାନା ଅର୍ଥ ଭରଣା ପାଇଁ ଏହି ଖଣିର ମୂଳ ଲିଜ୍‌ଧାରୀ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ଠାରୁ ଇଡ୍‌କଲ୍‌ ଋଣ ଆଣିବ।

ଉଲ୍ଲେଖଯୋଗ୍ୟ, ପରିବେଶ ଆଇନ ଉଲ୍ଲଂଘନ ପାଇଁ ରଇଡ଼ା-ସି ଖଣିକୁ ୧୦୫ କୋଟି ୧୫ ଲକ୍ଷ ୯୩,୬୨୨ ଟଙ୍କା ଜରିମାନା କରାଯାଇଥିବା ବେଳେ ଖଣି ପ୍ଲାନ୍‌ ବହିର୍ଭୂତ ଉତ୍ତୋଳନ ପାଇଁ ୬ କୋଟି ୩୯ ଲକ୍ଷ ୩୭, ୩୭୩ ଟଙ୍କା ଜରିମାନା କରାଯାଇଥିଲା। ଯେହେତୁ ଖଣି ପ୍ଲାନ୍‌ ବହିର୍ଭୁତ ଉତ୍ତୋଳନ ବାବଦରେ କରାଯାଇଥିବା ଜରିମାନାକୁ ଇଡ଼୍‍କଲ୍‌ କେନ୍ଦ୍ର ଖଣି ମନ୍ତ୍ରାଳୟର ରିଭିଜନାରୀ ଅଥରିଟିରେ ଚ୍ୟାଲେଞ୍ଜ କରିଛି, ସେ ଦୃଷ୍ଟିରୁ ଏହି ଜରିମାନା ପୈଠ ଲାଗି ରାୟକୁ ଅପେକ୍ଷା କରାଯିବ। ତେଣୁ ପରିବେଶ ଆଇନ ଉଲ୍ଲଂଘନ ବାବଦ ଜରିମାନା ପୈଠ ଲାଗି ଓଏମ୍‌ସି ୧୦୫ କୋଟି ୧୫ ଲକ୍ଷ ୯୩,୬୨୨ ଟଙ୍କାର ଆନ୍ତଃନିଗମ ଋଣ ଇଡ୍‌କଲ୍‌କୁ ଯୋଗାଇ ଦେବ। ଉଲ୍ଲେଖଯୋଗ୍ୟ, ରଇଡ଼ା-ସି ଖଣି ହସ୍ତାନ୍ତର ପ୍ରକ୍ରିୟା ନିମନ୍ତେ ଓଏମ୍‌ସି ଏହା ପୂର୍ବରୁ ଇଡ୍‌କଲ୍‌କୁ ୧୬ କୋଟି ୪୧ ଲକ୍ଷ ୪,୮୬୨ ଟଙ୍କା ଋଣ ଦେଇଥିଲା। ତେଣୁ ସଦ୍ୟ ଋଣକୁ ମିଶାଇଲେ ଇଡ୍‌କଲ୍‌ ଉପରେ ଓଏମ୍‌ସିର ମୋଟ ଋଣ ୧୨୧ କୋଟି ୫୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।

ସ୍ୱଳ୍ପ କିସ୍ତିରେ ଉପରୋକ୍ତ ଋଣ ପରିଶୋଧ ପାଇଁ ଉଚ୍ଚ ସ୍ତରୀୟ ବୈଠକରେ ଖସଡ଼ା ଚୂଡ଼ାନ୍ତ କରାଯାଇଛି। ଇଡ୍‌କଲ୍‌ ଏସ୍କ୍ରୋ ଆକାଉଣ୍ଟ ଖୋଲି ଓଏମ୍‌ସିକୁ ମାସିକ ୨ କୋଟି ଟଙ୍କା ଲେଖାଏଁ ପରିଶୋଧ କରିବ। ଇଡ୍‌କଲ୍‌ ଅଧ୍ୟକ୍ଷ ବୈଠକରେ ଦେଇଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ତୈଲଙ୍ଗି କ୍ରୋମାଇଟ୍‌ ଖଣିରୁ ଉତ୍ତୋଳନ ଆରମ୍ଭ ହେବା ପରେ ନିଗମର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ତେବେ ଏହା ପୂର୍ବରୁ ରଇଡ଼ା-ସି ଖଣି ପୁନଃ କାର୍ଯ୍ୟକ୍ଷମ ନହେଲେ ଇଡ୍‌କଲ୍‌ର ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। ତେଣୁ ଜରିମାନା ପୈଠ ପରେ ଏହି ଖଣିକୁ କାର୍ଯ୍ୟକ୍ଷମ କରିବା ଲାଗି ଇଡ୍‌କଲ୍‌ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବ। ଏ କ୍ଷେତ୍ରରେ ରାଜ୍ୟ ଖଣି ବିଭାଗ ଆବଶ୍ୟକ ସହାୟତା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର