ଚାକିରି ଆଶାୟୀ! ସାବଧାନ : ବୁଲୁଛନ୍ତି ଠକ, ଲୁଟିନେବେ, ସତର୍କ କରାଇଲା ପୂର୍ବତଟ ରେଳପଥ

ଭୁବନେଶ୍ୱର : ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀ ସାବଧାନ। ଠକାମିର ଶିକାର ହୋଇପାରନ୍ତି। ରେଳବାଇରେ ନିଯୁକ୍ତି କରାଇ ଦେବାକୁ କହି ସାରା ଦେଶରେ ବୁଲୁଛନ୍ତି ଠକ। ନିଯୁକ୍ତି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି। ନିଯୁକ୍ତି ତ ଦୂରର କଥା ସାର୍ଟିଫିକେଟ ନେଇ ପଳାଇବାର ସମ୍ଭାବନା ମଧ୍ୟ ରହିଛି।

ରେଳବାଇ ପକ୍ଷରୁ ଏବେ ସାରା ଦେଶରେ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ କେତେଜଣ ଅସାଧୁ ବ୍ୟକ୍ତି ଓ ସଂସ୍ଥା ନିଯୁକ୍ତି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକୁଥିବା ନଜରକୁ ଆସିବା ପରେ ଏମିତି ଢଙ୍ଗରେ ସତର୍କ କରାଇଛନ୍ତି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ। ସଂସ୍ଥା ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ରେଳବାଇରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ପ୍ରାୟ ୬୪ ହଜାର ପଦବି ଟ୍ରେନ୍‌ ଲୋକୋ ପାଇଲଟ୍‌ ଓ ଟେକ୍ନିସିଆନ୍‌(ଉଭୟ ଗ୍ରୁପ୍‌-ଡି)ଙ୍କ ପାଇଁ ରହିଛି। ବାକି ୬୩ ହଜାର ପଦ ଟ୍ରାକ୍‌ ମେଣ୍ଟେନର୍‌, ସହାୟକ ପଏଣ୍ଟସ୍‌ ମ୍ୟାନ୍‌ ସ୍ତରରେ ପୂରଣ କରାଯିବ। ଏହି ନିଯୁକ୍ତି ପ୍ରକ୍ରିୟା ରେଳବାଇ ଭର୍ତ୍ତି ବୋର୍ଡ ଦ୍ୱାରା ପରିଚାଳିତ ହେଉଛି।

କେବଳ ସେତିକି ନୁହେଁ, ଭାରତୀୟ ରେଳବାଇ ସୁରକ୍ଷା ବଳ କ୍ଷେତ୍ରରେ ୮୬୧୯ କନ୍‌ଷ୍ଟେବଳ ଓ ୧୧୨୦ ସବ୍‌-ଇନ୍‌ସପେକ୍ଟର୍‌ ପଦବି ପାଇଁ ପରୀକ୍ଷା ଆୟୋଜନ କରାଯାଉଛି। ଏହା ରେଳବାଇ ସୁରକ୍ଷା ବଳ ଡାଇରେକ୍ଟର୍‌ ଜେନେରାଲଙ୍କ ଦ୍ୱାରା ପରିଚାଳିତ। ତୃତୀୟ ଶ୍ରେଣୀ ପଦବି ପାଇଁ ପ୍ରାୟ ୪୭ ଲକ୍ଷ ଆବେଦନକାରୀ ଓ ଟେକ୍ନିସିଆନ ପଦବି ପାଇଁ ୧ କୋଟି ୮୯ ଲକ୍ଷ ଆବେଦନକାରୀ ରହିଛନ୍ତି। ସେହିପରି ଆର୍‌ପିଏଫ୍‌ କନ୍‌ଷ୍ଟେବଳ ପାଇଁ ୫୮ ଲକ୍ଷ ଓ ସବ୍‌-ଇନ୍‌ସପେକ୍ଟର ପଦବି ପାଇଁ ୧୪ ଲକ୍ଷ ଆବେଦନପତ୍ର ପହଞ୍ଚିଛି।

ହେଲେ ଆଶାୟୀ ପ୍ରାର୍ଥୀଙ୍କୁ ରେଳ ମନ୍ତ୍ରୀଙ୍କ କୋଟାରେ ନିଯୁକ୍ତି କରାଇ ଦେବାକୁ କହି କେତେଜଣ ଠକ ଟଙ୍କା ଲୁଟିନେଉଥିବା ନଜରକୁ ଆସିଥିବା ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କହିଛନ୍ତି। ମହାରାଷ୍ଟ୍ରର ଭାସାଇରେ ଏହିପରି ଢ଼ଙ୍ଗରେ ଆଶାୟୀ ପ୍ରାର୍ଥୀଙ୍କଠାରୁ ପ୍ରାୟ ୯୩ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ରେଳବିଭାଗ ଜାଣିପାରିଛି। ଏ ନେଇ ରେଳବାଇ ପକ୍ଷରୁ ମାତା ରାମବାଇ ଆମ୍ବେଦକର ମାର୍ଗ ଥାନା(ମୁମ୍ବାଇ) ରେ ଏତଲା ମଧ୍ୟ କରାଯାଇଛି। ଭାରତୀୟ ପିଙ୍ଗଳ କୋର୍ଡ ଧାରା-୪୧୯, ୪୨୦ ଓ ୩୪ରେ ମକଦ୍ଦମା ରୁଜୁ କରି ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ୨ ଜଣଙ୍କୁ ଧରିବା ସହିତ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି।

ପୂର୍ବତଟ ରେଳପଥ ଅଧିକାରୀଙ୍କ କହିବା କଥା, ଏହି ସବୁ ପଦ ପାଇଁ ନିଯୁକ୍ତି ନିୟମାନୁସାରେ ନିରପେକ୍ଷ ଓ ପାରଦର୍ଶିତା ଭିତ୍ତିରେ ହେଉଛି। ନିଯୁକ୍ତି ପ୍ରଣାଳୀର କମ୍ପ୍ୟୁଟରୀକରଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭି, ସୁରକ୍ଷିତ ଇଣ୍ଟରନେଟ୍‌ ବ୍ୟବସ୍ଥା ରହିଛି।

ଏଣୁ ଆଶାୟୀ ପ୍ରାର୍ଥୀମାନେ କୌଣସି ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ବ୍ୟକ୍ତି କିମ୍ବା ସଂସ୍ଥାଙ୍କ ପ୍ରରୋଚନାରେ ନ ପଡ଼ିବା କିମ୍ବା ଜାତୀୟ ଓ ଆଞ୍ଚଳିକ ଖବରକାଗଜରେ ପ୍ରକାଶିତ ଲୋଭନୀୟ ବିଜ୍ଞପ୍ତିରେ ନ ପଡ଼ିବାକୁ କୁହାଯାଇଛି। ଯଦି କୌଣସି ସଂସ୍ଥା ବା ବ୍ୟକ୍ତି ମିଥ୍ୟା ପ୍ରତିଶ୍ରୁତି ଦେଉଥାନ୍ତି ତେବେ ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ କୁହାଯାଇଛି। ପରିକ୍ଷାର୍ଥୀମାନେ ମୁଖ୍ୟ ସତର୍କତା ଅଧିକାରୀ, ପୂର୍ବତଟ ରେଳପଥ, ପ୍ରଥମ ମହଲା, ରେଳ ସଦନ, ଚନ୍ଦ୍ରଶେଖରପୁର ଠିକଣାରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଅଧିକାରୀମାନେ ଫୋନ୍‌ ନମ୍ବର, ଇମେଲ୍‌ (୮୪୫୫୮୮୫୦୩୧, ୦୬୭୪-୨୩୦୦୨୩୦, ଫ୍ୟାକ୍ସ-୦୬୭୪-୨୩୦୧୩୨୮ ଓ ଇ-ମେଲ୍‌ ‘[email protected]’) ଆଦି ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ରେଳବାଇ ନିଯୁକ୍ତି ଠକେଇ ଘଟଣାକୁ ନେଇ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ସିବିଆଇ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି। ୨୦୧୬ ଓ ୨୦୧୭ରେ ଏହି ଘଟଣା ଆନ୍ଧ୍ର, କର୍ଣ୍ଣାଟକ, ତାମିଲନା଼ଡୁ ଭଳି ରାଜ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର