ନାଟ୍ୟକାର ରମେଶ ପାଣିଗ୍ରାହୀ ପାଇବେ ସାହିତ୍ୟ ଭାରତୀ ସମ୍ମାନ

ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସାହିତ୍ୟ ସମ୍ମାନ ଘୋଷଣା

କଟକ : ପ୍ରଖ୍ୟାତ ନାଟ୍ୟକାର ଡକ୍ଟର ରମେଶ ପ୍ରସାଦ ପାଣିଗ୍ରାହୀ ଚଳିତବର୍ଷର ସମ୍ମାନଜନକ ‘ସାହିତ୍ୟ ଭାରତୀ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ‘ଗଙ୍ଗାଧର ରଥ ଫାଉଣ୍ଡେସନ’ ପକ୍ଷରୁ ଡକ୍ଟର ପାଣିଗ୍ରାହୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବାକୁ ଚୟନ କରାଯାଇଛି। ସମ୍ମାନସ୍ବରୂପ ଡକ୍ଟର ପାଣିଗ୍ରାହୀଙ୍କୁ କୋଣାର୍କ ମନ୍ଦିରର ରୌପ୍ୟ ପ୍ରତିରୂପ ସମେତ ଏକ ଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ।

ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ବିଶିଷ୍ଟ ଜୀବବିଜ୍ଞାନୀ, ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦୀଙ୍କୁ ପ୍ରଦାନ କରାଯିବ। କାବ୍ୟ ସାହିତ୍ୟ କ୍ଷେତ୍ରରେ ବି‌ଶେଷ ଅବଦାନ ପାଇଁ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଓ କଥା ସାହିତ୍ୟ ପାଇଁ ବିଜୟିନୀ ଦାସଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ଉଭୟ ପ୍ରତିଭାଙ୍କୁ ରୌପ୍ୟ ଉପଢ଼ୌକନ ସମେତ ପଚିଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହିତ ସାହିତ୍ୟ କ୍ଷେତ୍ରରେ ପରାକାଷ୍ଠା ପାଇଁ ସାହିତ୍ୟିକ ଦେବାଶିଷ ସାମନ୍ତରାୟ ଓ ଡ.ସୁଶିଲ କୁମାର ବାଗ୍‌ଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ଉଭୟଙ୍କୁ ରୌପ୍ୟ ଉପଢ଼ୌକନ ସମେତ ଦଶ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ।

ମାର୍ଚ୍ଚ ୧୫ ତାରିଖ ରବିବାର ସଂଧ୍ୟା ସାଢ଼େ ୬ଟାରେ କଳାବିକାଶ ‌କେନ୍ଦ୍ରରେ ଆୟୋଜିତ ସାରସ୍ବତ ସମାରୋହରେ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ଦରଘାବଜାରସ୍ଥିତ ଫାଉଣ୍ଡେସନ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଅନୁଷ୍ଠାନର ସଂପାଦିକା ସୁସ୍ମିତା ରଥ, ଉପଦେଷ୍ଟା ଡକ୍ଟର ବିଜୟାନନ୍ଦ ସିଂହ, ଆଇନଜୀବୀ ସଞ୍ଜୟ ରଥ, କବି ଅମରେଶ ପଟ୍ଟନାୟକ, ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ସମାରୋହରେ କେନ୍ଦ୍ର ସାହିତ୍ୟ ଅକାଦେମି ଉପସଭାପତି ମାଧବ କୌଶିକ୍‌ ଓ ଡକ୍ଟର ସଂଘମିତ୍ରା ମିଶ୍ର ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିବେ।

ସମ୍ବନ୍ଧିତ ଖବର