ପୁଲିସ କବ୍‌ଜାରେ ଅନ୍ତଃରାଜ୍ୟ ଠକ ର‍୍ୟାକେଟ୍‌ : ୭ କୋଟିର ନକଲି ଟଙ୍କା ଜବତ, ଟଙ୍କା ୪ ଗୁଣା କରିବାର ଲୋଭ ଦେଖାଇ ଠକୁଥିଲେ

୭ ଲକ୍ଷ ୨୬ ହଜାର ଟଙ୍କା ଓ ନକଲି ସୁନା ବିସ୍କୁଟ ବି ମିଳିଲା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ଠକିଛନ୍ତି, ପୁଲିସ ଆଗରେ ସତ ଉଗାଳିଲା ପ୍ରଭାତ, ରିମାଣ୍ଡରେ ଅଣାଯିବ

ଭୁବନେଶ୍ବର : ‘ଆମ ପାଖରେ ବହୁତ କଳା ଟଙ୍କା ଅଛି। ଆୟକର ବିଭାଗ ଜାଣିଲେ ଆମକୁ ଫସାଇ ଦେଇପାରନ୍ତି। ତେଣୁ ଆମେ ଏହି ଟଙ୍କା ସବୁ ଦେଇ ଦେବାକୁ ଚାହୁଁଛୁ। ଆପଣ ଯଦି ଆମକୁ ୫ ଲକ୍ଷ ଟଙ୍କା ଦେବେ ଆମ୍ଭେ ଆପଣଙ୍କୁ ୨୦ ଲକ୍ଷ ଟଙ୍କା ଦେବୁ। ଏହାଛଡ଼ା ଆମେ ମାଟି ତଳୁ ଗୁଡ଼ାଏ ସୁନା ବିସ୍କୁଟ ପାଇଛୁ। ଏହାକୁ ମଧ୍ୟ ବିକ୍ରି କରି ଦେବାକୁ ଚାହୁଁଛୁ।’ ଏଭଳି ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଏକ ଅନ୍ତଃରାଜ୍ୟ ଠକ ରୢାକେଟ୍‌ ଏବେ କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଏହି ରୢା‌କେଟ୍ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ରେ ମଧ୍ୟ କୋଟି କୋଟି ଟଙ୍କା ଠକେଇ କରିଛି। ଦୁଇ ଦିନ ତଳେ ରୢାକେଟ୍‌ର ୨ ଜଣ ଠକ ଧରା ପଡ଼ିଥିବାବେଳେ ସେମାନଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ପୁଲିସ ସେମାନଙ୍କର ଆଉ ଜଣେ ସହଯୋଗୀକୁ ଆଜି ଗିରଫ କରିଛି। ତା’ ନାଁ ପ୍ରଭାତ କୁମାର ସାହୁ। ଘର ଜଗତସିଂହପୁର ଜିଲ୍ଲା କୁଜଙ୍ଗର କୋଠିଆ ସାହିରେ। ଏଠାରେ ସେ ଏୟାର‌ଫିଲ୍ଡ ଥାନା ଅଧୀନ ପୋଖରୀପୁଟ ଅଞ୍ଚଳରେ ରହୁଥିଲା। ଆଜି ପ୍ରଭାତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା ନିକଟରୁ ପୁଲିସ ପ୍ରାୟ ୭ କୋଟିର ନକଲି ଟଙ୍କା ସମେତ ନଗଦ ୭ଲକ୍ଷ ୨୬ ହଜାର ଟଙ୍କା, ୧୦୫ଟି ନକଲି ସୁନା‌ ବିସ୍କୁଟ, କାର୍‌ ଆଦି ଜବତ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଅନୁପ ସାହୁ ଏହି ରୢାକେଟ୍‌ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏହି ଠକମାନେ ପ୍ରଥମେ ମୋବାଇଲରେ ବିଭିନ୍ନ ଲୋକଙ୍କୁ ଫୋନ୍‌ କରନ୍ତି। ସେମାନଙ୍କୁ ଏଭଳି ଲୋଭ ଦେଖାନ୍ତି ଯେ ଜଣେ ସହଜରେ ରାଜି ହୋଇଯାଏ। ପରେ ତାଙ୍କୁ ଏକ ଜନଗହଳି ସ୍ଥାନକୁ ଡକା ଯାଇଥାଏ। ୫ ଲକ୍ଷ ଟଙ୍କା ବଦଳରେ ୨୦ ଲକ୍ଷ ଟଙ୍କା ନେବାକୁ ଆସୁଥିବା ଲୋକ ଟଙ୍କା ନେଇ ପହଞ୍ଚିବା କ୍ଷଣି ତାକୁ ନକଲି ନୋଟ୍‌ ଧରାଇ ଦିଆଯାଏ। ସନ୍ଦେହ କଲେ କିମ୍ବା ଟଙ୍କା ଯାଞ୍ଚ ଆରମ୍ଭ କଲେ, ପୁଲିସ ଆସିଲା, ପୁଲିସ ଆସିଲା କହି ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥାନ୍ତି। କିନ୍ତୁ କାହା ମନରେ ସନ୍ଦେହ ନ ହେବା ପାଇଁ ସେମାନେ ଏମିତି ଟଙ୍କା ବିଡ଼ା ସଜାଡ଼ିଥାନ୍ତି ଯେ କେହି ବି ଟଙ୍କା ଅସଲି ବୋଲି ବିଶ୍ବାସ କରିଯାଏ। ସେହିପରି ଯେଉଁମାନେ ଏହି ଠକ ରୢାକେଟଠାରୁ ସୁନା ବିସ୍କୁଟ କି‌ଣିବାକୁ ଚାହାନ୍ତି, ପ୍ରଥମେ ଠକମାନେ ସେମାନଙ୍କୁ ଅସଲି ସୁନା ବିସ୍କୁଟ ପରଖିବାକୁ ଦେଇଥାନ୍ତି। ସୁନା ଅସଲି ବୋଲି ଜଣାପଡ଼ିଲେ ବିକ୍ରି ପାଇଁ ଡିଲ୍‌ ଚାଲେ। ଏହି ସମୟରେ ଏହି ଠକ ନକଲି ସୁନା ବିସ୍କୁଟ ଦେଇ ଲକ୍ଷ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରେ।

ଝାଡ଼ଖଣ୍ଡର ରାଞ୍ଚି ପ୍ରେମନଗରରେ ରହୁଥିବା ରୋହିତ ବର୍ମାଙ୍କୁ ଏହି ଗ୍ୟାଙ୍ଗ୍ ଏଭଳି ଉପାୟରେ ଠକିବାକୁ ଭୁବନେଶ୍ବର ଡକାଇଥିଲା। ସେ ଠକେଇର ଶିକାର ହେବା ପରେ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଡିସିପି ଶ୍ରୀ ସାହୁ ଘଟଣାର ତଦନ୍ତ କରିବାକୁ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦେଇଥିଲେ। ସ୍ପେସାଲ ସ୍କ୍କାଡ୍ ଏସିପି ସଂଜୀବ ଶତପଥୀ ଓ ତାଙ୍କ ଟିମ୍‌ ଏହି ଠକ ରୢାକେଟ୍‌ ପଛରେ ପଡ଼ି ଯାଇଥିଲେ। ମୋବାଇଲ ଟ୍ରାକିଂ କରି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା କାଙ୍କୁଆ ଥାନା ନନ୍ଦନପୁରର ପ୍ରଦୀପ ମାଇତି ଓ ବୁଦ୍ଧେଶ୍ବରୀ ପୁରୁଣା ପୋଷ୍ଟ ଅଫିସ ଲେନ୍‌ରେ ରହୁଥିବା ଯାଜପୁର ବିଞ୍ଝାରପୁର ରୁଦ୍ରପୁରର ରାଜେନ୍ଦ୍ର ଦାସଙ୍କୁ ଗିରଫ କରିଥିଲା ସ୍ପେସାଲ ସ୍କ୍ବାଡ୍‌। ଏହି ସମୟରେ ସେମାନଙ୍କ ନିକଟରୁ କିଛି ନକଲି ନୋଟ ମିଳିଥିଲା। ନକଲି ନୋଟ କେଉଁଠୁ ଆସିଲା ? କିଏ ଏମାନଙ୍କୁ ନକଲି ନୋଟ ଯୋଗାଉଥିଲା, ତାର ତଦନ୍ତ କରିବା ବେଳେ ପ୍ରଭାତଙ୍କ ନାଁ ଆସିଥିଲା। ଆଜି ସକାଳୁ ସକାଳୁ ପ୍ରଭାତର ପୋଖରୀପୁଟ ଘରେ ଚଢ଼ଉ ବେଳେ ୭ କୋଟିର ନକଲି ଟଙ୍କା, ନଗଦ ୭ଲକ୍ଷ ୨୬ ହଜାର ଟଙ୍କା, ୧୦୫ଟି ନକଲି ସୁନା‌ ବିସ୍କୁଟ ଓ କାର ଆଦି ଜବତ କରିଥିଲା ପୁଲିସ। ଅଧିକ ତଥ୍ୟ ହାସଲ ପାଇଁ ପ୍ରଭାତକୁ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର