ଦୁଇ ସପ୍ତାହ ଭିତରେ ବିଜ୍ଞାନ ଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର କଲେଜ ଛାତ୍ରୀଙ୍କ ଯୁକ୍ତ ୩ ବିଜ୍ଞାନ ଦ୍ୱିତୀୟ ବର୍ଷ ପରୀକ୍ଷା ଫଳ ୨ ସପ୍ତାହ ଭିତରେ ପ୍ରକାଶ ପାଇଁ ହାଇକୋର୍ଟ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ୍‌.ଏନ୍‌ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଯୁକ୍ତ ୩ ବିଜ୍ଞାନର ନିୟମିତ ଛାତ୍ରୀ ଗାୟତ୍ରୀ ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଭାତ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିୟା ଚୌଦ୍ୱାର କଲେଜର ଯୁକ୍ତ ୩ ବିଜ୍ଞାନର ଛାତ୍ରୀ ହୋଇଥିବା ବେଳେ ୨୦୧୭ରେ ସେ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଥିଲେ। ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ନିମନ୍ତେ ସେ କୌଣସି କାରଣବଶତଃ ନିର୍ଦ୍ଧାରିତ ତାରିଖରେ ଫର୍ମ ପୂରଣ କରି ପାରି ନଥିଲେ। ସେ ବିଳମ୍ବ ତାରିଖରେ ଫର୍ମ ଦାଖଲ କରିଥିଲେ । ପରୀକ୍ଷା ସମୟରେ ତାଙ୍କର ଆଡମିଟ୍‌ କାର୍ଡ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଠାରୁ ଆସିନଥିଲେ ମଧ୍ୟ କଲେଜ ଅଧ୍ୟକ୍ଷ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ପ୍ରଦାନ କରିଥିଲେ । ତାଙ୍କୁ ବୈଧ ରୋଲ ନମ୍ବର ମଧ୍ୟ ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ବର୍ଷର ସମସ୍ତ ବିଷୟରେ ନିୟମିତ ଛାତ୍ରୀ ଭାବେ ଗାୟତ୍ରୀ ପରୀକ୍ଷା ଦେଇଥିଲେ ଏବଂ ପରୀକ୍ଷା ଉତ୍ତରଖାତାରେ ପରୀକ୍ଷା ତଦାରଖ ଦାୟିତ୍ୱରେ ଥିବା ଅଧ୍ୟାପକ ଦସ୍ତଖତ ମଧ୍ୟ କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଦ୍ୱିତୀୟ ବର୍ଷର ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଗାୟତ୍ରୀଙ୍କ ନାମ ଏଥିରେ ସ୍ଥାନ ପାଇ ନଥିଲା। ତାଙ୍କର ଦ୍ୱିତୀୟ ବର୍ଷ ପରୀକ୍ଷାଫଳ ପ୍ରକାଶ ନିବେଦନ କରି ଗାୟତ୍ରୀ ବାରମ୍ବାର କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରିକଙ୍କ ନିକଟକୁ ଦୌଡି ଥିଲେ ମଧ୍ୟ ତାଙ୍କୁ କୌଣସି ସହଯୋଗ ମିଳି ପାରି ନଥିଲା। କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ବିରୋଧରେ ଗାୟତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଓ ଚୌଦ୍ୱାର କଲେଜ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ବୈଧ ରୋଲ୍‌ ନମ୍ବର ସହିତ ନିୟମ ଅନୁସାରେ ସେ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କ ପରୀକ୍ଷା ଫଳ ପ୍ରକାଶ କରା ନ ଯିବା ଗ୍ରହଣୀୟ ନୁହେଁ। କର୍ତ୍ତୃପକ୍ଷଙ୍କ ଖାମ ଖିଆଲ ମନୋଭାବ ଯୋଗୁ ତାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ଏପରି ପରିସ୍ଥିତିରେ ତୁରନ୍ତ ତାଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଉ ବୋଲି ନିବେଦନ କରି ସେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର