ପ୍ରକାଶ ପାଇବ ସ୍କନ୍ଦପୁରାଣ ଓ ଲକ୍ଷ୍ମୀପୁରାଣର ଇଂରାଜୀ ଅନୁବାଦ

ଜାନୁଆରି ୨୮ରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଚେତନା ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ସମ୍ମିଳନୀ ଆସନ୍ତା ବର୍ଷ ଜାନୁଆରି ୨୮ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ବିଭିନ୍ନ ସଂଗଠନର ମିଳିତ ଉଦ୍ୟମରେ ହେଉଥିବା ଏହି ଅନନ୍ୟ କାର୍ଯ୍ୟକ୍ରମରେ ଆମେରିକା ଓ ଅନ୍ୟ ରାଷ୍ଟ୍ରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯିବ। ଫକୀର ମୋହନ ଭବନରେ ଅନୁଷ୍ଠିତ ସମ୍ମିଳନୀ ସମ୍ପର୍କିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ରୀତିନୀତି, ପୂଜା ପଦ୍ଧତି ଓ ମୁଖ୍ୟ ପର୍ବପର୍ବାଣୀ ସମ୍ପର୍କରେ ଆଲୋଚନା କରାଯିବ। ଅପରାହ୍‌ଣରେ ଶ୍ରୀମନ୍ଦିରର ସ୍ଥାପତ୍ୟ, ନିର୍ମାଣ ଶୈଳୀ ଓ ଭାସ୍କର୍ଯ୍ୟ ସମ୍ପର୍କରେ ବିଦେଶରୁ ଆସିଥିବା ପ୍ରତିନିଧିମାନଙ୍କୁ ଅବଗତ କରାଯିବ। ଏଥିସହିତ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପର୍କରେ ଏକ ଆଲୋଚନା କରାଯିବ। ଶ୍ରୀମନ୍ଦିରର ସେବକ ଓ ପ୍ରଶାସନ ଅଧିକାରୀ ଏ ସମ୍ପର୍କରେ ମତ ରଖିବେ। ଓଡ଼ିଶା ଓ ଭାରତ ସମେତ ବିଶ୍ୱରେ ଯେତେ ଜଗନ୍ନାଥ ମନ୍ଦିର ଅଛି ତା’ର ସମସ୍ତ ବିବରଣୀ ଏହି ପୁସ୍ତକରେ ସ୍ଥାନିତ କରାଯିବ। କେବଳ ସେତିକି ନୁହେଁ ସ୍କନ୍ଦ ପୁରାଣ ଏବଂ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣର ଇଂରାଜୀ ଅନୁବାଦ ପୁସ୍ତକ ମଧ୍ୟ ଏହି ଅବସରରେ ପ୍ରକାଶ ପାଇବ। ଆୟୋଜିତ ପ୍ରସ୍ତୁତି ବୈଠକରେ ଆମେରିକାର ଡ.ଦାଶ ଫାଉଣ୍ଡେସନ୍‌ର ମୁଖ୍ୟ ତଥା ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଚେୟାରମ୍ୟାନ୍‌ ଶୀତିକଣ୍ଠ ଦାଶ, ଶ୍ରୀଜଗନ୍ନାଥ ସୋସାଇଟି ଅଫ୍‌ ଆମେରିକାର ସଭାପତି ପ୍ରଦେଶ ନନ୍ଦିନୀ ଆଚାର୍ଯ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ମୁମ୍ବାଇର ଭଗବାନ ପଣ୍ଡାଙ୍କ ସମେତ ଓଡ଼ିଶାରୁ ଶ୍ରୀଜଗନ୍ନାଥ ଗବେଷଣା ସନ୍ଧାନ ପରିଷଦର ଡ.ଶ୍ରୀନିବାସ ଆଚାର୍ଯ୍ୟ, ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ରବୀନ୍ଦ୍ରନାଥ ପ୍ରତିହାରୀ, ପୌରୁଷର ସମ୍ପାଦକ ଅସିତ ମହାନ୍ତି, ଗବେଷକ ଡ.ଭାସ୍କର ମିଶ୍ର, ଶ୍ରୀମନ୍ଦିରର ସେବକ ବିଶ୍ୱନାଥ ସାମନ୍ତରା, ସୁଭଦ୍ରାଙ୍କ ବାଡ଼ଗ୍ରାହୀ, ଶ୍ରୀରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ସାମିଲ୍‌ ହୋଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି ସମ୍ମିଳନୀର ସଫଳତା କାମନା କରିଥିବା ବେଳେ ସମ୍ମିଳନୀର ଉପାଧ୍ୟକ୍ଷ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡ.ସୁବାସ ପାଣି, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଉପସଭାପତି ପୀତବାସ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

 

 

ସମ୍ବନ୍ଧିତ ଖବର