ମରିଗଲାଣି ମଣିଷପଣିଆ! : ପୁଅକୁ କ୍ଷମା କରିଦେଲା ମା’

ଗାନ୍ଧୀଛକ/ବସ୍ତା/ଅମର୍ଦ୍ଦରୋଡ୍‌ : ପୁଅକୁ ଦଶମାସ ଦଶଦିନ ଗର୍ଭରେ ଧରି, ଅସହ୍ୟ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା ମା’। ପୁଅର ସବୁ ଅଳିଅର୍ଦ୍ଦଳି ପୂରଣ କରିବା ପାଇଁ ନିଜର ସବୁ ସୁଖସ୍ୱାଚ୍ଛନ୍ଦକୁ ଜଳାଞ୍ଜଳି ଦେଇଥିଲା। ବୃଦ୍ଧାବସ୍ଥାରେ ଉପନୀତ ସେହି ମା’କୁ ପୁଅର ଗୋଇଠା ମାଡ଼ ସହ ଚୁଟି ଝିଙ୍କି ଗଡ଼େଇତଡ଼େଇ ପିଟିବାର ଦୃଶ୍ୟ ଏବେ ଘୂରି ବୁଲୁଛି ମୋବାଇଲରୁ ମୋବାଇଲ। ୮୨ ବର୍ଷୀୟା ମା’ କାନ୍ଦି କାନ୍ଦି ଲୋଟିଯାଉଛି, ପୁଅକୁ କାକୁତିମିନତି ହେଉଛି। କିନ୍ତୁ ଦାନବ ପାଲଟି ଯାଇଥିବା ପୁଅ ତାଙ୍କୁ ପଶୁ ଭଳି ବାଡ଼େଇ ଚାଲିଛି। ଏଭଳି ଏକ ଅମାନୁଷିକ ନିର୍ଯାତନାର ଦୃଶ୍ୟକୁ ଯିଏ ଦେଖୁଛି ତାହା ପାଟିରୁ ବାହାରି ଆସୁଛି ପୁଅ ନା ରାକ୍ଷସ!

ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଘଟିଥିବା ଏଭଳି ଏକ ହୃଦୟବିଦାରକ ଭିଡିଓ ଭାଇରାଲ୍‌ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ସାଧାରଣରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେବା ପରେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କୌତୂହଳର ବିଷୟ ହେଲା, ଜନ୍ମକଲା ପୁଅଠାରୁ ଏପରି ଅକଥନୀୟ ଅତ୍ୟାଚାର ସହି ମଧ୍ୟ ମମତାମୟୀ ମା’ ଜଣକ ପୁଅର ଏହି ରାକ୍ଷସପଣିଆକୁ ପ୍ରକାଶ କରିବାକୁ ଚାହୁଁନାହିଁ। ମା’ର ମହାନତା ହେଉ ବା ପୁଣିଥରେ ନିଜର ରାକ୍ଷସ ପୁଅର ମାଡ଼ ଭୟ, ତାଙ୍କ ସହ ସେମିତି କିଛି ଘଟିନାହିଁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ବୃଦ୍ଧା ମା’।

ସୂଚନାଯୋଗ୍ୟ, ବସ୍ତା ଥାନା ଅଧୀନ ଭେଲୋରା ପଞ୍ଚାୟତ ଅନ୍ତର୍ଗତ ବାଇତିପଡ଼ା ଗାଁର ସ୍ୱର୍ଗତ ରଘୁନାଥ ବାରିକଙ୍କ ପତ୍ନୀ ହେଉଛନ୍ତି ସାବିତ୍ରୀ। ତାଙ୍କର ଦୁଇପୁଅ ଶ୍ରୀଧର ବାରିକ(ବଡ଼) ଓ ବଂଶୀଧର ବାରିକ(ସାନ)। ସାବିତ୍ରୀ ବଡ଼ପୁଅ-ବୋହୂଙ୍କ ପାଖରେ ରୁହନ୍ତି। ଅଧିକାଂଶ ସମୟରେ ଶ୍ରୀଧର ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ନିଜ ପତ୍ନୀ ଓ ମା’କୁ ମାଡ଼ଗାଳି କରିଥାନ୍ତି। ତେବେ ଗତ ୫ ତାରିଖ ଦିନ ତାଙ୍କର ଅତ୍ୟାଚାର ସବୁ ସୀମାକୁ ଲଂଘି ଯାଇଥିଲା। ନିଜ ବୃଦ୍ଧା ମା’କୁ ଦାଣ୍ଡ ମଝିରେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ବିଧାଗୋଇଠା ବର୍ଷିଥିଲେ ଏବଂ ଚୁଟିକୁ ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ନିକଟରେ ଆଉ ଜଣେ ମହିଳା ତାଙ୍କୁ ଯେତେ ବାରଣ କରୁଥିଲେ ମଧ୍ୟ ସେ ପୁଣି ଏକ କାଠଫାଳିଆ ନେଇ ନିଜ ମା’ ଉପରେ ପକାଇ ଠିଆ ହୋଇଯିିବାକୁ ଉଦ୍ୟମ କରିଥିଲେ। ଏମିତି ଏକ ଅମାନବୀୟ ଦୃଶ୍ୟକୁ ପଡ଼ୋଶୀଘରର ଜଣେ ଯୁବକ ନିଜ ମୋବାଇଲରେ ସୁଟିଂ କରି ତାଙ୍କ ଫେସବୁକ୍‌ରେ ଛାଡ଼ି ଦେଇଥିଲେ। ଆଉ ଏହି ଅମାନୁଷିକ ନିର୍ଯାତନାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତଙ୍କୁ ଆନ୍ଦୋଳିତ କରି ପକାଇଥିଲା।

ଏହି ଘଟଣା ସଂପର୍କରେ ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇଥିଲା। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ତତ୍‌କ୍ଷଣାତ ଏହାର ଯାଞ୍ଚ୍‌ ପାଇଁ ବସ୍ତା ପୁଲିସ ଓ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ। ବିଡିଓଙ୍କ ନିର୍ଦ୍ଦେଶକ୍ରମେ ବସ୍ତା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚାନ୍ଦ୍‌ ଗତ ୮ ତାରିଖରେ ଘଟଣାସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଯାଞ୍ଚ କରିବା ସହ ଶ୍ରୀଧରଙ୍କ ନାଁରେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୧୬୨/୧୮ନଂର ମାମଲା ରୁଜୁ ସହ ଅଭିଯୁକ୍ତ ପୁଅ ଶ୍ରୀଧର ବାରିକକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ମିଳିଥିବା ଖବର ଅନୁଯାୟୀ ଗିରଫ ଶ୍ରୀଧରଙ୍କ ପୁଅ ଗତ କିଛି ଦିନ ଧରି ବିବାହ କରିଛନ୍ତି। ଏହି ବୃଦ୍ଧା ଜଣଙ୍କ ତାର ନାତୁଣୀବୋହୂଙ୍କୁ ଘର କାମ କରିବାକୁ କହିବାରୁ ଶ୍ରୀଧର ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଏଭଳି ମାଡ଼ ମାରିଥିଲେ।

ପୁଅ ହାତେ ପ୍ରାଣଗଲା

ବରୀ : ସାମାନ୍ୟ ପାରିବାରିକ କଳହରୁ ପୁଅ ତା’ ଜନ୍ମକଲା ମା’କୁ ହତ୍ୟା କରିବା ପାଇଁ ପଛାଇନି! ଏହାର ଏକ ବୀଭତ୍ସ ଦୃଶ୍ୟ ଯାଜପୁରର ବରୀରେ ଦେଖିବାକୁ ମିଳିଛି। ହତ୍ୟାକାରୀ ପୁଅ ବୃଦ୍ଧା ମା’କୁ କଟୁରୀରେ ହାଣି କେଉଁଆଡ଼େ ଫେରାର୍‌ ହୋଇଯାଇଛି।

ମୃତ ବୃଦ୍ଧା ହେଲେ, ମେଘୀ ଜେନା (୬୫)। ଗତକାଲି ମେଘୀ ଓ ତାଙ୍କ ବୋହୂ ମଂଜୁଲତା ଜେନାଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ଆଜି ସକାଳୁ ପୁଣିଥରେ ଉଭୟ କଳହରେ ମାତିଥିଲେ।

ଡ୍ରାଇଭର ରୂପେ କାମ କରୁଥିବା ସାନ ପୁଅ ରାଜେନ୍ଦ୍ର ଅପରାହ୍ନରେ ଘରକୁ ଫେରିଲାପରେ ଉଭୟ ସ୍ୱାମୀ-ସ୍ତ୍ରୀ ପ୍ରତିଶୋଧ ସ୍ୱରୂପ ମେଘୀଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ପ୍ରଥମେ ମଝି ବଖରାରେ ଶୋଇଥିବା ମା’ ମେଘୀଙ୍କ ଗୋଡ଼କୁ ବାନ୍ଧି ଦେଇଥିଲେ। ମୁହଁରେ କପଡ଼ା ଭର୍ତ୍ତି କରି ଦେଇଥିଲେ। ଏହାପରେ ଅତି ନିଷ୍ଠୁର ଭାବେ କଟୁରୀରେ ହାଣି ଦେଇଥିଲେ। ଘରଠାରୁ ଅଳ୍ପ ଦୂରରେ ଗ୍ରାମର କିଛିଲୋକ ତାସ ଖୋଳୁଥିଲେ ମଧ୍ୟ ଘଟଣା ସଂପର୍କରେ ଜାଣି ପାରିନଥିଲେ। ସେହି ସମୟରେ ଉଭୟ ରାଜେନ୍ଦ୍ର ଓ ମଞ୍ଜୁଲତା ଚମ୍ପଟ ମାରିଥିଲେ।

ପରେ ଗ୍ରାମବାସୀ ଘର ଭିତରକୁ ଯାଇ ଦେଖିଲାବେଳକୁ ବୃଦ୍ଧା ମେଘୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ଘରସାରା ରକ୍ତଛିଟା ପଡ଼ିଥିଲାବେଳେ ବାରଣ୍ଡା ମଧ୍ୟ ରକ୍ତରଞ୍ଜିିତ ହୋଇଯାଇଥିଲା। ଲୋକେ ତୁରନ୍ତ ତାଙ୍କୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ମେଘୀ ଜଣେ ବିଧବା। ବଡ଼ପୁତ୍ର ଶୈଳେନ୍ଦ୍ର ଜେନା (୪୦) ଅବିବାହିତ।

ନିଜ ପୁଅ ନିଜ ଜନ୍ମିତ ମା’ଙ୍କୁ ହତ୍ୟା କରିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରିନାହାନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି। ଏଥିପାଇଁ ଉଦ୍ୟମ କରାଯାଉଛି ବୋଲି ବରୀ ଥାନା ଆଇଆଇସି ରୋଜାଲିନ୍‌ ପଟେଲ କହିଛନ୍ତି।

ସମ୍ବନ୍ଧିତ ଖବର