ସୁନ୍ଦରଗଡ଼ ଭୋଟ୍‌ : କେଉଁ ଭୋଟ୍‌ ଉପରେ କାହାର ଆଖି?

ବିଜେଡି: ଭୂୟାଁ ସମ୍ପ୍ରଦାୟ, କଂଗ୍ରେସ: ଖ୍ରୀଷ୍ଟିଆନ୍ ଓ ପେସା ସମର୍ଥକ, ବିଜେପି: ଓରାମ ସମାଜ

ରାଉରକେଲା : ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ଓ ୭ଟି ବିଧାନସଭା ଆସନରେ ଲଢେଇର ଦୃଶ୍ୟପଟ କ୍ରମେ ସ୍ପଷ୍ଟ ହେବାରେ ଲାଗିଛି। ଅଧିକାଂଶ ସ୍ଥାନରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡି, କଂଗ୍ରେସ ଓ ବିଜେପି ଏବଂ କେତେକ ସ୍ଥାନରେ ସିପିଏମ୍‌, ଜେଏମ୍‌ଏମ୍‌ ପ୍ରତିଦ୍ବନ୍ଦ୍ବିତାରେ ରହିଛନ୍ତି। ଟିକେଟ୍‌ ବଣ୍ଟନର ମାସେ କିମ୍ବା ତା’ଠାରୁ କମ୍‌ ସମୟ ମଧ୍ୟରେ ଜଣେ ପ୍ରାର୍ଥୀ ସମସ୍ତ ଭୋଟର କିମ୍ବା ସବୁ ସ୍ଥାନକୁ ଯିବା ସମ୍ଭବ ନୁହେଁ। ତେଣୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ନୀତି ଆଦର୍ଶକୁ ସୁହାଇବା ଭଳି ସମାଜ, ସଂଗଠନ ଓ ସମ୍ପ୍ରଦାୟକୁ ନିଜର କରି ଏକକାଳୀନ ବହୁ ଭୋଟ ହାତେଇବା ପାଇଁ ଉଦ୍ୟମ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି, କଂଗ୍ରେସ ଓ ବିଜେପି ଏଭଳି ଦୌଡ଼ରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି।

ନିର୍ବାଚନ ଘୋଷଣା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁ ସବୁଠୁ ବଡ଼ ରାଜନୈତିକ ପରିବର୍ତ୍ତନ ହୋଇଥିଲା, ତାହା ଥିଲା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳଙ୍କ ବିଜୁ ଜନତା ଦଳରେ ଯୋଗଦାନ। ସେ ବିଜେଡିରେ ଯୋଗ ଦେବାର ୪ ଦିନ ପରେ ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା। ସୁନୀତାଙ୍କୁ ଟିକେଟ୍‌ ଦେବା ପଛରେ ବିଜେଡିର ‘ଭୂୟାଁ ଭୋଟ’ ପ୍ରମୁଖ କାରଣ ବୋଲି କୁହାଯାଉଛି। ଜିଲ୍ଲାରେ ସର୍ବାଧିକ ଭୂୟାଁ ସମ୍ପ୍ରଦାୟର ଲୋକେ ରହୁଥିବାରୁ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରି ବିଜେଡି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଯୋଜନା ରଖିଛି। ବିଜେଡିର ନିଜସ୍ବ ଭୋଟ୍‌ ଏବଂ ଭୂୟାଁ ଭୋଟ ମିଶିଲେ ଦଳ ଅତି ସହଜରେ ଜିତିଯିବ ବୋଲି ଦଳୀୟ ନେତା ହିସାବ କରିଛନ୍ତି ଓ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ବେଶ୍ ଗୁରୁତ୍ବ ରହିଛି। ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୩ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଏକମାତ୍ର ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର। ଜିଲ୍ଲାରେ ପେସା ଓ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଦାବିରେ ଜର୍ଜଙ୍କ ନେତୃତ୍ବରେ ଅନେକ ଆନ୍ଦୋଳନ ହୋଇଛି। ତେଣୁ ଅନେକ ଅଞ୍ଚଳରେ ଆଦିବାସୀ-ମୂଳ ନିବସୀ ଜର୍ଜଙ୍କୁ ଦୃଢ ସମର୍ଥନ ଦେଇ ଆସିଛନ୍ତି। ଜର୍ଜଙ୍କ ନେତୃତ୍ବରେ କେବଳ ଲୋକସଭା ନୁହେଁ, ୭ଟି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହେବାକୁ ଆଶା ବାନ୍ଧିଛି।

ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାରେ ଓରାମ ସମାଜର ମଧ୍ୟ ବେଶ୍ ଗୁରୁତ୍ବ ରହିଛି। ନିର୍ବାଚନରେ ଜୁଏଲଙ୍କୁ ଏହି ସମାଜର ଲୋକେ ସମର୍ଥନ ଦିଅନ୍ତି। ଏଥର ନିର୍ବାଚନରେ ଜୁଏଲ ତାଙ୍କ ସମ୍ପ୍ରଦାୟର ଭୋଟକୁ ହାତେଇବା ଲକ୍ଷ୍ୟରେ ରହିଛନ୍ତି। ତେବେ ଜିଲ୍ଲାର କେତେକ ବିଧାନସଭା କ୍ଷେତ୍ରରେ ବିଜେଡି ଓ କଂଗ୍ରେସ ଓରାମ ସମାଜ ଲୋକଙ୍କୁ ପ୍ରାର୍ଥୀ କରିଥିବାରୁ ଭୋଟ କାହା ସପକ୍ଷକୁ ଯିବ ସେ ନେଇ ଏବେଠାରୁ ପୂର୍ବାନୁମାନ କରିବା ଠିକ୍ ହେବ ନାହିଁ।

ସମ୍ବନ୍ଧିତ ଖବର