ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନ ଆଇଆରସି ଭିଲେଜରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କର ରକ୍ତାକ୍ତ ମୃତଦେହ ପୁଲିସ ଜବତ କରିଛି। ମୃତକ ଜଣକ ହେଲେ ସାଲିଆ ସାହି ତାରିଣୀ ନଗରର ପୂର୍ଣ୍ଣଚନ୍ଦ୍ର ନାୟକ(୪୫)। ସେ କିଛି ବର୍ଷ ହେଲା ପରିବାର ସହ ଏଠାରେ ରହୁଥିଲେ ହେଁ ତାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଅଧୀନ କପିଳେଶ୍ୱରପୁରରେ। ପୂର୍ଣ୍ଣଚନ୍ଦ୍ରଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାବେଳେ ପାରିପାର୍ଶ୍ୱିକ ପରିସ୍ଥିତି ଏବଂ ପରିବାର ଲୋକଙ୍କ ବୟାନ ଏହି ହତ୍ୟାକାଣ୍ଡକୁ ରହସ୍ୟ ଘେରକୁ ଟାଣି ନେଇଛି। ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡର ଡାହାଣ ପାର୍ଶ୍ୱକୁ ଧାରୁଆ ଅସ୍ତ୍ରରେ ହଣାଯାଇଛି। ପାଖରେ ଏକ ରକ୍ତ ଲଗା ପଥର, ମୋବାଇଲ୍ ଫୋନ୍, ପେନ୍ଡ୍ରାଇଭ୍, ମଦ ବୋତଲ, ଗୁଟ୍ଖା ପ୍ୟାକେଟ୍, ଦୁଇଟି ପ୍ଲାଷ୍ଟିକ୍ ଗ୍ଲାସ, କିଛି କାଗଜପତ୍ର, ୯ଶହ ଟଙ୍କା ମଧ୍ୟ ପଡ଼ିଥିବାରୁ ଏକାଧିକ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟାକାରୀମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଜୀବନ ବଞ୍ଚାଇବାକୁ ଦଉଡ଼ିଥିଲେ ମଧ୍ୟ ରକ୍ଷା ପାଇପାରିନଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୂର୍ଣ୍ଣଚନ୍ଦ୍ରଙ୍କୁ ଯେଉଁଭଳି ଆକ୍ରମଣ ହୋଇଛି ସେଥିରେ ତାଙ୍କର ଚିହ୍ନା ପରିଚିତ ଲୋକ ସାମିଲ୍ ଥିବା ସନ୍ଦେହ କରାଯାଉଛି। ଏପରିକି ଏହା ଏକ ସୁଚିନ୍ତିତ ଏବଂ ଆକ୍ରୋଶମୂଳକ ହତ୍ୟାକାଣ୍ଡ ହୋଇଥିବାରୁ କୌଣସି ବ୍ୟକ୍ତିଗତ କିମ୍ବା ପାରିବାରିକ ଶତ୍ରୁତାରୁ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କର ରାଜନୀତି କରିବାର ପ୍ରବଳ ଇଚ୍ଛା ଥିଲା। ଏହି କାରଣରୁ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି। ଦୁଇ ଦିନ ତଳେ ଜଣେ ଡେଙ୍ଗା ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ। ଆସନ୍ତା ସାଧାରଣ ନିର୍ବାଚନରେ ସେ ପ୍ରାର୍ଥୀ ହେବା ନେଇ ଆଲୋଚନା କରିଥିଲେ। ସେହି ଡେଙ୍ଗା ବ୍ୟକ୍ତି ଜଣକ ଗଲା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା। ଏହାକୁ ନେଇ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇ ସାଙ୍ଗଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। କିଛି ବର୍ଷ ହେବ ପୂର୍ଣ୍ଣଚନ୍ଦ୍ର ନିଆଳିରୁ ପରିବାର ସହ ତାରିଣୀନଗରରେ ଭଡ଼ାରେ ରହୁଥିଲେ। ଏଠାରେ ସେ ହୋର୍ଡିଂ କାମ କରିବା ସହ ଗୋଟିଏ ପବ୍ଲିକ ସ୍କୁଲ ଖୋଲିଥିଲେ, ଟ୍ୟୁସନ୍ ବି କରୁଥିଲେ। ତେଣୁ ପୁଲିସ ତାଙ୍କର ବ୍ୟବସାୟିକ ଏବଂ ପାରିବାରିକ ଶତ୍ରୁତା ଦିଗ ଉପରେ ବି ତଦନ୍ତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ସୋମବାର ପୂର୍ବାହ୍ଣ ୧୧ଟାରେ ପୂର୍ଣ୍ଣଚନ୍ଦ୍ର ଘରୁ ଆସିଥିଲେ। ରାତି ପ୍ରାୟ ସାଢ଼େ ୯ଟାବେଳେ ନୂଆପଲ୍ଲୀ ବିଗ୍ବଜାର ନିକଟରେ ଥିବା ମାମୁଁଙ୍କ ଚାଟ୍ ଦୋକାନରୁ ଚାଟ୍ ଓ ରୁଟି ଖାଇ ଘରକୁ ଫେରୁଥିଲେ। ଏହି ସମୟରେ ଗଣେଶ ନାମକ ଜଣେ ଯୁବକ ତାଙ୍କ ସହିତ ଥିଲେ। ପୂର୍ଣ୍ଣଚନ୍ଦ୍ର ପୁଅ ସୌମ୍ୟରଂଜନଙ୍କ ସହିତ କଥା ମଧ୍ୟ ହୋଇଥିଲେ। ଘରକୁ ଚାଉମିନ୍ ନେଇ ଯାଉଛି ଗଲେ ଖାଇବୁ ବୋଲି ପୁଅକୁ କହିଥିଲେ। କିନ୍ତୁ ରାତି ପ୍ରାୟ ୨ଟା ବେଳେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଯେହେତୁ ସେ ବିଭିନ୍ନ ସମୟରେ ରାତିରେ ହୋର୍ଡିଂ କାମରେ ବାହାରେ ରୁହନ୍ତି, ତେଣୁ ପରିବାର ଲୋକ ଅଧିକ ଖୋଜାଖୋଜି କରିନଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଖବର ପାଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଦ୍ୟପାନ ପରେ କୌଣସି କଥାକୁ ନେଇ ବଚସା ହେବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇ ଥାଇ ପାରେ ବୋଲି ସନ୍ଦେହ କରୁଛୁ। କିନ୍ତୁ ପତ୍ନୀ ଶ୍ରଦ୍ଧାଞ୍ଜଳି କହିଛନ୍ତି, ପୂର୍ଣ୍ଣଚନ୍ଦ୍ର କେବେ ବି ମଦ୍ୟପାନ କରନ୍ତି ନାହିଁ କି ଗୁଟ୍ଖା ବି ଖାଆନ୍ତିିନି। ପତ୍ନୀଙ୍କ ବୟାନ ପରେ ପୂର୍ଣ୍ଣଚନ୍ଦ୍ରଙ୍କ ସାଥିରେ ଥିବା ଯୁବକଙ୍କୁ ପୁଲିସ ସନ୍ଦେହ କରୁଛି। ସ୍ଥାନୀୟ ଲୋକ କହିଛନ୍ତି, ପୂର୍ଣ୍ଣଚନ୍ଦ୍ର ସଂଧ୍ୟାରେ ଗଣେଶ ଓ ରାମ ନାମକ ଦୁଇ ଜଣ ଯୁବକଙ୍କ ସାଙ୍ଗରେ ଥିଲେ। ପୁଲିସ ଦୁହିଁଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ପୁଲିସ ଯେଉଁ ମୋବାଇଲ୍ ଫୋନ୍ ଜବତ କରିଛି ସେଥିରେ ଦୁଇଟି ସିମ୍ ଥିଲା। ମୋବାଇଲ୍ ଫୋନ୍ଟିର ପଛ କଭର ବାହାରି ଯାଇଥିଲା। ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇଟି ନମ୍ବରର କଲ୍ ଡିଟେଲ୍ସ ମଗାଇଛି। ସେ ସନ୍ଧ୍ୟାରୁ କାହା ସହିତ କଥାବାର୍ତା ହୋଇଥିଲେ, କିଏ ତାଙ୍କୁ ସେହି ସ୍କୁଲ ପରିସରକୁ ଡକାଇଥିଲା ବା କାହା ସହିତ ଆସିଥିଲେ ତା’ର ଛାନଭିନ୍ ଆରମ୍ଭ ହୋଇଛି। ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରୁ ଟଙ୍କା କିମ୍ବା ମୋବାଇଲ୍ ଫୋନ୍ ଲୁଟ୍ ହୋଇ ନ ଥିବାରୁ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହୋଇଛି ନା ଆଉ କେଉଁ କାରଣରୁ ପୁଲିସ ତାହା ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ ପଦାକୁ ଆସିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।